ରାଉରକେଲା: ଗାଁକୁ ସଂଯୋଗ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ମାଧ୍ୟମରେ ରାସ୍ତା, ସେତୁ ନିର୍ମାଣ କରାଯାଉଛି। ପର୍ଯ୍ୟାପ୍ତ ପରିମାଣର ଅନୁଦାନ ବି ଦିଆଯାଉଛି। କିନ୍ତୁ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ରାସ୍ତା/ସେତୁ ନିର୍ମାଣ ହୋଇପାରୁନି। ଜମି ଅଧିଗ୍ରହଣରେ ଉପୁଜୁଥିବା ସମସ୍ୟାର ସମାଧାନ କରିପାରୁନାହାନ୍ତି। ଏମିତିକି ଶିଥିଳ ପଡ଼ିଥିବା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇପାରୁନି। ଫଳରେ ସରକାରୀ ଅନୁଦାନ ଫେରିଯାଉଛି। ରାଉରକେଲା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍ଡବ୍ଲ୍ୟୁ ଡିଭିଜନ)ରେ ଚଳିତ ଆର୍ଥିକ ବର୍ଷରେ ରାସ୍ତା ଓ ସେତୁ ପାଇଁ ଅନୁମୋଦିତ ଅର୍ଥର ୧୧% ଫେରିଯାଇଛି।
ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଆର୍ଡବ୍ଲ୍ୟୁ ଡିଭିଜନର ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ୧୦ କୋଟି ୫୧ ଲକ୍ଷ ୩ ହଜାର ଟଙ୍କା ଅନୁଦାନ ଆସିଥିବାବେଳେ ସେତୁ ନିର୍ମାଣ ପାଇଁ ୨୩ କୋଟି ୩୫ ଲକ୍ଷ ୪ ହଜାର ଟଙ୍କା, ମୋଟ୍ ୩୩ କୋଟି ୮୬ ଲକ୍ଷ ୭ ହଜାର ଟଙ୍କା ଅନୁମୋଦିତ ହୋଇଥିଲା। ତେବେ ଏଥିମଧ୍ୟରୁ କେବଳ ୩୦ କୋଟି ୨ ଲକ୍ଷ ୨୧ ହଜାର ୫୬୫ ଟଙ୍କା(୮୮.୬୩%) ବିନିଯୋଗ ହୋଇଥିବାବେଳେ ୩ କୋଟି ୪୯ ଲକ୍ଷ ୭୩ ହଜାର ୩୭୪ ଟଙ୍କା(୧୧.୩୨%) ଫେରସ୍ତ ହୋଇଯାଇଛି। ରାସ୍ତା ନିର୍ମାଣ ପାଇଁ ତିନିଟି ପର୍ଯ୍ୟାୟରେ ୧୦ କୋଟି ୫୧ ଲକ୍ଷ ୩ ହଜାର ଟଙ୍କା ଅନୁଦାନ ଆସିଥିଲା। ଏଥିମଧ୍ୟରୁ କେବଳ ୭ କୋଟି ୧ ଲକ୍ଷ ୫୬ ହଜାର ୯୮୪ ଟଙ୍କା ବ୍ୟୟ କରାଯାଇଥିବାବେଳେ ୩ କୋଟି ୧୫ ଲକ୍ଷ ୩୩ ହଜାର ୯୫୫ ଟଙ୍କା ଫେରିଯାଇଛି। ସେହିଭଳି ଗତ ଆର୍ଥିକ ବର୍ଷରେ କେବଳ ସେତୁ ନିର୍ମାଣ ପାଇଁ ରାଉରକେଲା ଆର୍ଡବ୍ଲ୍ୟୁ ଡିଭିଜନକୁ ୨୩ କୋଟି ୩୫ ଲକ୍ଷ ୪ ହଜାର ଟଙ୍କା ଅନୁଦାନ ମିଳିଥିଲା। ଏଥିମଧ୍ୟରୁ ୩୦ କୋଟି ୨ ଲକ୍ଷ ୨୧ ହଜାର ୫୬୫ ଟଙ୍କା ବ୍ୟୟ ହୋଇଥିବାବେଳେ ୩୪ ଲକ୍ଷ ୩୯ ହଜାର ୪୧୯ ଟଙ୍କା ଫେରିଯାଇଛି। ପ୍ରକଳ୍ପର ଧୀମା ଗତି ଓ ଜମିଅଧିଗ୍ରହଣ ପ୍ରକ୍ରିୟା ଠିକ ସମୟରେ ସରୁନଥିବାରୁ ଅନୁଦାନ ଫେରିବାରେ ଲାଗିଛି।
/sambad/media/post_attachments/wp-content/uploads/2024/03/4756b0ed-d72a-40cb-a6df-deb06a7ac723.jpeg)
ବାସ୍ତବରେ ବିଭାଗୀୟ ଅଧିକାରୀଙ୍କ ଚିରାଚରିତ ଅବହେଳା ଯୋଗୁଁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ ଓ ନିର୍ମାଣକାର୍ଯ୍ୟ ଶେଷ ହୋଇପାରୁନି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଲହଣ୍ଡା-ମିଟ୍କୁନ୍ଦୁରୀ ସେତୁ। ରାଉରକେଲା ଉପକଣ୍ଠରେ ପ୍ରବାହିତ ଦେଓ ନଦୀ ଉପରେ ୭.୬୮ କୋଟି ବ୍ୟୟ ଅଟକଳରେ ସେତୁ ନିର୍ମାଣ ପାଇଁ ୨୦୧୭-୧୮ ମସିହାରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୭ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଛି; କିନ୍ତୁ ଶେଷ ହେବାର ନାଁ ନେଉନି। ନିର୍ମାଣାଧୀନ ସେତୁ ଉପରେ ଗୋଟିଏ ସ୍ଲାବ୍ ଓ ଆପ୍ରୋଚ୍ ରୋଡ୍ ନିର୍ମାଣ ହୋଇପାରୁନି। ମିଟ୍କୁନ୍ଦୁରୀଠାରେ ୨୭ ଡିସିମିଲ ଓ ଖୁଣ୍ଟଗାଁଠାରେ ୪୬ ଡିସିମିଲ, ମୋଟ୍ ୭୩ ଡିସିମିଲ୍ ଜମିକୁ ଏଯାଏ ଅଧିଗ୍ରହଣ ହୋଇପାରିନି। ଗୋଟିଏ ପଟରେ ଜମି ମାଲିକ ଉପଯୁକ୍ତ କ୍ଷତିପୂରଣ ଦାବି କରି ନିର୍ମାଣକାର୍ଯ୍ୟକୁ ବିରୋଧ କରୁଥିବାବେଳେ ଅପରପଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଯାଏ ଉପଯୁକ୍ତି କ୍ଷତିପୂରଣ ଦେବାରେ ବିଫଳ ହୋଇଛି। ଯଦ୍ବାରା କୁଆରମୁଣ୍ଡା ଓ ନୂଆଗାଁ ବ୍ଲକ ଅଞ୍ଚଳର ଲହଣ୍ଡା, ଅଙ୍କୁରପାଲି, ଲାଙ୍କଇ, କଦଳୀବାହାଲ, ସେମେର୍ତ୍ତା, ବାଲିମୁଣ୍ଡା, ବରେଇଗଡ଼ା, ସତରା, ବଣ୍ଡରାଏ, ମେନମେନା, ରେଙ୍ଗାଲବେଡା, ରୋକେଡେଗା, ବାଲିଆପୋଷ, ରାଣାକଟା, କନ୍ଦରକେଲା ଏବଂ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁ, ପସରା, ବିଜୁବନ୍ଧ, ସିଆଲଯୋର, ହରପାଲି, ରାମପୁର, କଚାରୁ, ସାନଦଲକି, ଝାରବେଡ଼ା, ଟାଙ୍ଗରାଣୀ, ଲୋହାମାଲ, କାରିଛାପଲ, କର୍ମାବାହାଲ ଆଦି ଗ୍ରାମବାସୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଜୀବନକୁ ବାଜି ଲଗାଇ ଅସ୍ଥାୟୀ ବାଉଁଶ ପୋଲ ତିଆରି ନଦୀ ପାର୍ ହେଉଛନ୍ତି ତ କେତେବେଳେ ୩୦ ଫୁଟ୍ ଲମ୍ବର ବାଉଁଶରେ ଅର୍ଦ୍ଧନିର୍ମିତ ବ୍ରିଜ୍ ଉପରକୁ ଚଢ଼ି ପାର୍ ହେଉଛନ୍ତି।