ନଳକୂପ, ଶୌଚାଳୟ ମରାମତି ନାଁରେ ପାଣ୍ଠି ହଡ଼ପ ! 

ଡିପାର୍ଟମେଣ୍ଟ ନାଁରେ ଚାଲିଛି ଠିକାଦାର ପୋଷା
ଆସିଛି ୫.୧୮ କୋଟି, ଖର୍ଚ୍ଚ ହେଲାଣି ୪.୧୦ କୋଟି

ରାଉରକେଲା : ଦୁର୍ନୀତିକୁ ନେଇ ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ତ ଚର୍ଚ୍ଚାରେ ରହିଛି, ‌ଏବେ ଜଣା ପଡୁଛି ପାନପୋଷ ଆଇଟିଡିଏ ତା’ଠୁ ଆହୁରି ଆଗରେ ରହିଛି! ‘ ମୋ ସ୍କୁଲ ଅଭିଯାନ‘ରେ ସ୍କୁଲର ଭିତ୍ତିଭୂମିର ବିକାଶ ହେଉ ଅବା ଆଦିବାସୀ ସ୍କୁଲ, ଛାତ୍ରୀ ନିବାସ ମରାମତି, ନଳକୂପ ସ୍ଥାପନ ଆଦି ପ୍ରତ୍ୟେକ କାମ ଡିପାର୍ଟମେଣ୍ଟାଲ କରାଯାଉଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। ବାସ୍ତବରେ କାମ କରୁଛନ୍ତି ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପୋ‌ଷା ଠିକାଦାର। ବର୍ଷ ବର୍ଷ ଧରି ଏମିତି ବେଆଇନ କାମ ଚାଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। କାରଣ ଦୁର୍ନୀତିର ଚେର ଲମ୍ବିଛି କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ। ଏହାର ଭରପୂର ଫାଇଦା ଉଠାଉଛନ୍ତି କିଛି ପୋଷା ଠିକାଦାର।

ଆଶ୍ଚର୍ଯ୍ୟର କଥା, ବର୍ଷ ବର୍ଷ ଧରି ଗୋଟିଏ ହେଲେ କାମର ଖୋଲା ଇ-ଟେଣ୍ଡର କରାଯାଇ ନାହିଁ। ପ୍ରତ୍ୟେକ ବର୍ଷ ସେହି ସମାନ ଠିକାଦାରମାନଙ୍କୁ ଏକାଧିକ କାମ ବାଣ୍ଟି ଦିଆଯାଉଥିବା ବାରମ୍ବାର ଅଭିଯୋଗ ହେଉଛି। ପ୍ରଶ୍ନ କରାଗଲେ, ବିଭାଗୀୟ ଅଧିକାରୀ ଗୋଟିଏ ଗଳାବାଟ ବାହାର କରିଛନ୍ତି। ୨୦୦୬ରେ ତତ୍କାଳୀନ ଏସ୍‌ଟି ଏସ୍‌ସି ସଚିବ ଡକ୍ଟର ତାରା ଦତ୍ତଙ୍କ ଚିଠି (ଟିଡି-ଆଇ (ଇ)-୧୦୬/୪/ଏସ୍‌ଟି ଆଣ୍ଡ ଏସ୍‌ଟି)କୁ ଦେଖାଇ ଅଧିକାରୀମାନେ ଖସିଯିବାକୁ ଚେଷ୍ଟା କରୁଛନ୍ତି। ସେ ଚିଠିରେ ମାଓପ୍ରବଣ ଇଲାକାରେ ବିଭାଗୀୟ କାମ କରା ଯାଇପାରେ ବୋଲି କୁହା ଯାଇଛି। କିନ୍ତୁ ୧୫ ବର୍ଷ ପରେ ସ୍ଥିତି ବଦଳି ଯାଇଥିଲେ ହେଁ ବିଭାଗ ସେହି ବାହାନା ନେଇ ଚାଲିଛି।

ପାନପୋଷ ଆଇଟିଡିଏରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ବିଭାଗକୁ ବିଭିନ୍ନ କାମ ବାବଦରେ ଖର୍ଚ୍ଚ ପାଇଁ ମୋଟ୍‌ ୫ କୋଟି ୧୮ ଲକ୍ଷ ୪ ହଜାର ୫୦୦ ଟଙ୍କା ଆସିଛି। ଏଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନନ୍‌-ପ୍ଲାନ୍‌ ପାଣ୍ଠିରୁ ୫୦ ଲକ୍ଷ, ଦ୍ବିତୀୟ ପର୍ଯ୍ୟାୟରେ ୩ କୋଟି ୯୮ ଲକ୍ଷ ୫ ହଜାର ୫୦୦ ଟଙ୍କା, ସାଂସଦ ପାଣ୍ଠିରୁ ପ୍ରାୟ ୭୦ ଲକ୍ଷ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ୪ କୋଟି ୧୦ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟରେ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଓ ଲାଠିକଟାରେ ୫୧ଟି କାମ ପାଇଁ ମୋଟ୍‌ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର ଏଡାଇବାକୁ ପ୍ରତ୍ୟେକ କାମକୁ ୨ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି। ଅଧିକାଂଶ କାମ ଶେଷ ହୋଇଛି, କିଛି କାମ ଚାଲିଛି ବୋଲି କାଗଜପତ୍ରରେ ଉଲ୍ଲେଖ କରିଛନ୍ତି। ଯେଉଁ ସ୍କୁଲରେ କାମ ସରିଛି ‌ବୋଲି ଦର୍ଶାଯାଇଛି, ‌ସେଠି କିନ୍ତୁ କାମ ଅଧପନ୍ତରିଆ ରହିଛି। ଯେଉଁଠି ଚାଲିଛି କୁହାଯାଉଛି, ସେଠି ଆରମ୍ଭ ମଧ୍ୟ ହୋଇନାହିଁ। ଉଦାହରଣସ୍ବରୂପ ବିଶ୍ରା ବ୍ଲକ ଯୋଡାବନ୍ଧସ୍ଥିତ ପଞ୍ଚାୟତ ସେବାଶ୍ରମ ହଷ୍ଟେଲରେ ୫ ଲକ୍ଷ ଟଙ୍କାରେ ନଳକୂପ ବସାଯାଇଛି। କିନ୍ତୁ ସତରେ କାମ ସରିନି। ପୁଣି ଅନେକ ସ୍ଥାନରେ ପୁରୁଣା ନଳକୂପକୁ କେବଳ ନୂଆ ରୂପ ଦିଆଯାଉଛି। ସେଥିରେ ଯେଉଁ ପାଇପ୍‌ ଓ ଅନ୍ୟାନ୍ୟ ଯନ୍ତ୍ରାପାତି ବ୍ୟବହାର ହେଉଛି ତାହା ସମ୍ପୂର୍ଣ୍ଣ ନିମ୍ନମାନର।

ଆଦିବାସୀ ସ୍କୁଲରେ ଏମିତି ୧୮ଟି ନଳକୂପ ଖନନ ବାବଦରେ ଖର୍ଚ୍ଚ ହେଉଛି ୯୦ ଲକ୍ଷ। ଅର୍ଥାତ୍‌ ପ୍ରତ୍ୟେକ ନଳକୂପ ବାବଦରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଗୋଟିଏ ନଳକୂପ ବସାଇବା ବାବଦରେ ଅଢ଼େଇ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି, ସେଥିପାଇଁ ଆଇଟିଡିଏ ୫ ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଉଛି। ସେମିତି ନୂଆଗାଁ ବ୍ଲକର ବଡଯୋଜଦା ପଞ୍ଚାୟତ ସେବାଶ୍ରମ ହଷ୍ଟେଲ, ଏସ୍‌ଟି ବାଳିକା ହଷ୍ଟେଲ ମରାମତିରେ ୪ ଲକ୍ଷ ଖର୍ଚ୍ଚ ଯାଇଥିଲେ ହେଁ କାମର ନାମ ଗନ୍ଧ ନାହିଁ। ଏମିତି ଗଣ୍ଡା ଗଣ୍ଡା ସେବାଶ୍ରମ ସ୍କୁଲ,‌ ଆବାସିକ ସ୍କୁଲ, ‌ହଷ୍ଟେଲ ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବିଭାଗୀୟ ଅଧିକାରୀ ତଥ୍ୟ ଦେଉଛନ୍ତି। ହେଲେ କାମକୁ ଦେଖିଲେ ତା’ର ଅଧା ଟଙ୍କା ମଧ୍ୟ ଖର୍ଚ୍ଚ ହେଉନାହିଁ ବୋଲି ସ୍ପଷ୍ଟ ଜଣା ପଡି ଯାଉଛି।

ସେପଟେ ଯେଉଁ ଦୁଇ ବିଭାଗୀୟ ଯନ୍ତ୍ରୀଙ୍କ ନାଁରେ ଏସବୁ କାମ କରାଯାଉଛି, ସେମାନେ ଜାଗା ଛାଡୁନାହାନ୍ତି। ଜଣେ ଯନ୍ତ୍ରୀ ୭ ବର୍ଷ ଓ ଅନ୍ୟ ଜଣେ ୪ ବର୍ଷରୁ ଅଧିକ ସମୟ ରହିଥିଲେ ହେଁ ଅନ୍ୟତ୍ର ବଦଳି ହେଉ ନାହାନ୍ତି। କେବଳ ଯନ୍ତ୍ରୀ ନୁହେଁ, ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ହେବା ସତ୍ବେ ସେ ମଧ୍ୟ ଜାଗା ଛାଡୁ ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ପାନପୋଷ ଆଇଟିଡିଏ ଏକ ପ୍ରକାର ଦୁର୍ନୀତିର ଗନ୍ତାଘର ପାଲଟିଛି।

ସମ୍ବନ୍ଧିତ ଖବର