କୋରାପୁଟ/ ପଟ୍ଟାଙ୍ଗି: କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ କୋରାପୁଟ ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୀଡିତାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଅଂଚଳବାସୀ କୁନ୍ଦୁଲି ହାଟପଦା ନିକଟରେ ଜାତୀୟ ରାଜପଥ-୨୬କୁ ଦୀର୍ଘ ୯ ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ପୀଡିତାଙ୍କ ମୃତଦେହକୁ ରାସ୍ତାରେ ରଖି ବିରୋଧ ପ୍ରଦର୍ଶନ କରାଯାଇଛି। ଜିଲ୍ଲାସାରା ବିରୋଧ ପ୍ରଦର୍ଶନ ଚାଲିଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏପଟେ ପୀଡିତାଙ୍କ ମୃତ୍ୟୁର ୨୭ଘଣ୍ଟା ପରେ ନିଜ ଗାଁ ମୂଷାଗୁଡ଼ାରେ ଶବ ବ୍ୟବଛେଦ କରାଯାଇଛି। ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ଗତକାଲି ଆତ୍ମହତ୍ୟା କରିଥିବା ପୀଡିତାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଓ ସଂପର୍କୀୟ ମୃତଦେହ ଛାଡି ନ ଥିଲେ। ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଅପରପକ୍ଷରେ ଆଜି ସକାଳୁ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ସରକାର କିଛି ପଦକ୍ଷେପ ନେଉ ନ ଥିବାରୁ ସ୍ଥାନୀୟ ଲୋକେ କୁନ୍ଦୁଲି ହାଟପଦା ନିକଟରେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ-୨୬କୁ ଅବରୋଧ କରିଥିଲେ। କଂଗ୍ରେସ ନେତାମାନେ ପୀଡିତାଙ୍କ ମୃତଦେହକୁ କୁନ୍ଦୁଲି ଡାକ୍ତରଖାନାରୁ ହାଟପଦା ପର୍ଯ୍ୟନ୍ତ ବୋହି ଆଣି ରାସ୍ତା ଉପରେ ରଖିଥିଲେ। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ପ୍ରଦୀପ ମାଝୀ, କୃଷ୍ଣଚନ୍ଦ୍ର ଶଗରିଆ, କୈଳାସ କୁଲେସିକା, ମୀନାକ୍ଷୀ ବାହିନୀପତି ପ୍ରମୁଖ ରାସ୍ତାରେ ବସି ପ୍ରତିବାଦ ଜଣାଇଥିଲେ। ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଜାତୀୟ ରାଜପଥ ଅବରୋଧ ଫଳରେ କୋରାପୁଟ-ବିଶାଖାପାଟଣା ରାସ୍ତା ଅଚଳ ହୋଇ ପଡିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା ବେଳେ ଲୋକଙ୍କ ଆନ୍ଦୋଳନ ମଧ୍ୟ ବଢି ଚାଲିଥିଲା। ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ପଟାଙ୍ଗୀ ଥାନା ଅଧିକାରୀ, ସେମିଳିଗୁଡାର ତତ୍କାଳୀନ ଥାନା ଅଧିକାରୀ, କୋରାପୁଟର ତତ୍କାଳୀନ ଜିଲ୍ଲାପାଳ, କୋରାପୁଟ ଏସପି, ଡିଆଇଜି, ସିଡିଏମଓ, ମାନବ ଅଧିକାର କମିଶନର ଓ ତଥ୍ୟ ଦେଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଓ ସଂପର୍କୀୟ। ଏମାନଙ୍କୁ ବହିଷ୍କାର କରା ନ ଗଲେ ରାଜରାସ୍ତାରୁ ହଟିବେ ନାହିଁ ବୋଲି ସେମାନେ ଧମକ ଦେଇଥିଲେ। ତେବେ ଶବ ବ୍ୟବଛେଦ କରା ନ ଯାଇ ଏହାକୁ ଖରାରେ ରଖାଯାଇଥିବାରୁ ମୃତଦେହ ନଷ୍ଟ ହୋଇ ଯିବାର ଆଶଙ୍କା ଥିବା ପ୍ରଶାସନ କହିଥିଲା। କୋରାପୁଟ ଜିଲ୍ଲାପାଳ କେ.ଏସ. ଚକ୍ରବର୍ତ୍ତୀ ଓ ଏସପି ଡଃ କେ.ଭି. ସିଂହ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିନେଇ ସରକାରଙ୍କୁ ଜଣାଇ ଦିଆଯିବ ଓ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ପରେ ଶବ ବ୍ୟବଚ୍ଛେଦ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଥିଲାବେଳେ ମୃତଦେହ ନେଇ ଗ୍ରାମବାସୀ ପୀଡିତାଙ୍କ ଗାଁକୁ ଚାଲି ଯାଇଥିଲେ। ମୃତଦେହକୁ ନେଇ ସେମାନେ ଗାଁରେ ପହଞ୍ଚିବା ପରେ ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚିଥିଲା। ପୀଡିତାଙ୍କ ଗାଁରେ ହିଁ ଶବ ବ୍ୟବଛେଦ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ କରିଥିଲେ।
ଗ୍ରାମବାସୀ ମୃତଦେହ ନେବା ପରେ କୁନ୍ଦୁଲି ହାଟପଦାରେ ଚାଲିଥିବା ରାସ୍ତାରୋକ ହଟିଥିଲା। ଦୀର୍ଘ ୯ ଘଣ୍ଟା ପରେ ରାସ୍ତାରୋକ ହଟିବା ପରେ ଏବେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ଏପଟେ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଘଟଣା ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ତେଣୁ ଜିଲ୍ଲା ସଦର ମହକୁମା ସମେତ ସାରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଆଜି କୋରାପୁଟ ଆସି ସ୍ଥିତି ସମୀକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kpt-road-block-2.jpg)
