ବିଶ୍ବଜିତ ଦାଶ
ଭୁବନେଶ୍ବର: ଜଣେ ହିନ୍ଦୁ ଲୋକଙ୍କ ମୃତ୍ୟୁ ହେଲେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ବ୍ୟବହାର ହେଉଥିବା କୋକେଇ, ଲୁଗା, ପୂଜା ସାମଗ୍ରୀ, ପୋଡ଼ିବାକୁ କାଠ, ଘିଅ, କର୍ମ ପାଇଁ ବ୍ରାହ୍ମଣ ଖର୍ଚ୍ଚ, ମାଲଭାଇ ଶବ କାନ୍ଧେଇକି ନେଲେ ସେମାନଙ୍କ ଖାଇବା ପିଇବା ବାବଦକୁ ମୋଟ୍ ୭ରୁ ୮ହଜାର ଟଙ୍କା ଖର୍ଚ୍ଚ ହେଉଛି। ଜଣେ ମୁସଲିମ୍ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୬ଫୁଟରେ ସାଢ଼େ ୪ଫୁଟର ଗାତ ଖୋଳିବାକୁ ଅଢ଼େଇ ହଜାର ଟଙ୍କା, ଶବ ଉପରେ ରଖିବାକୁ ଥିବା ପ୍ଲାଏ ପାଇଁ ୩ହଜାର ଟଙ୍କା, ଚାଦର ଓ ଅନ୍ୟାନ୍ୟ ଖର୍ଚ୍ଚ  ମିଶାଇଲେ ୮ହଜାର ଟଙ୍କାରୁ କମ୍‌ ଖର୍ଚ୍ଚ ହେଉନି।

Advertisment

ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୬ଫୁଟରେ ସାଢ଼େ ୪ଫୁଟର ଗାତ ଖୋଳିବାକୁ ଅଢ଼େଇ ହଜାର ଟଙ୍କା, କଫିନ ପାଇଁ ୫ହଜାର ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଦୁଇରୁ ଅଢ଼େଇ ହଜାର ଟଙ୍କା ଖର୍ଚ୍ଚକୁ ମିଶାଇଲେ ପ୍ରାୟ ୧୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଇଏ ହେଉଛି ରାଜ୍ୟରେ ବିଭିନ୍ନ ଧର୍ମାବଲମ୍ବୀ ବ୍ୟକ୍ତିଙ୍କର ଶବ ସତ୍କାର ବାବଦକୁ ହେଉଥିବା ଖର୍ଚ୍ଚର ହିସାବ। ବିଡମ୍ବନାର ବିଷୟ ରାଜ୍ୟ ସରକାର ଜଣେ ଲୋକର ମୃତ୍ୟୁ ପରେ ବି ସହାୟତା ଦେଉଥିବା ନେଇ ସାବାସି ନେଉଥିବାବେଳେ ବହୁ ସ୍ଥାନରେ ଏହାର ଅଧା ଅର୍ଥ ବି ଦେଉନାହାନ୍ତି।
ରାଜ୍ୟରେ ଗରିବ ଲୋକଙ୍କର  ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପୂର୍ବର ବିଜେଡି ସରକାର ୨୦୧୩ ମସିହାରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନା ଆରମ୍ଭ କରିଥିଲେ। ପ୍ରଥମେ ଏଥିରେ ଗ୍ରାମାଞ୍ଚଳରେ କେହି ମୃତ୍ୟୁବରଣ କରୁଥି‌ଲେ ୨ହଜାର ଏବଂ ସହରାଞ୍ଚଳରେ ୩ହଜାର ଟଙ୍କାର ସହାୟତା ମିଳୁଥି‌ଲା। ୨୦୨୩ ମସିହାରୁ ଏହା ହଜାରେ ଟଙ୍କା ଲେଖାଏ ବଢ଼ିଲା। ଅର୍ଥାତ୍ ଏବେ ଗ୍ରାମାଞ୍ଚଳରେ ‌କେହି ମୃତ୍ୟୁବରଣ କଲେ ୩ହଜାର ଟଙ୍କା, ସହରାଞ୍ଚଳ ପାଇଁ ୪ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ହେଲେ ସରକାରଙ୍କ ଏହି ସହାୟତା ଏବେ ଜଣେ ମୃତକଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟକ ହେଉନି। ଏବେ ବଜାର ଦାମ୍ ହୁ ହୁ ବଢ଼ିବା, କାଠ, ଘିଅ, ପ୍ଲାଏ, କଫିନ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦର ବଢିଛି। ଏଣୁ ସରକାରଙ୍କ ଏହି ଯୋଜନାର ସହାୟତା ନେଇ ପ୍ରଶ୍ନ ଉଠିଲାଣି। ଏପରିକି ସରକାରଙ୍କ ଏହି ଯୋଜନାରେ ସାମିଲ ହେବାକୁ ଲୋକ ମୁହଁ ମୋଡ଼ିଲେଣି। ସ୍ବାଭିମାନର ସହ ଶବ ସତ୍କାର କରିବୁ ପଛେ ସରକାରଙ୍କଠାରୁ କାହିଁକି ତିନି ଚାରି ହଜାର ଟଙ୍କା ନେବୁ ବୋଲି ଅସନ୍ତୋଷ ଝାଡ଼ିଲେଣି ହିତାଧିକାରୀ। 

ହରିଶ୍ଚନ୍ଦ୍ର ଯୋଜନାରେ ହିନ୍ଦୁ ଧର୍ମାବଲମ୍ବୀ ଲୋକଙ୍କ ପାଇଁ ବିଶେଷ ସୁବିଧା କରାଯାଇଛି। ଯେପରି ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର କଲେ ଶବ ପହଞ୍ଚିବା ପରେ ଯଦି ହରିଶ୍ଚନ୍ଦ୍ର ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି ତେବେ ଫର୍ମ ପୂରଣ କରିକି ଦେଇଦେଲେ ସବୁ ସହାୟତା ମାଗଣାରେ ମିଳିଯାଉଛି। ହେଲେ ମୁସଲିମ୍ କି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଯଦି କେହି ମୃତ୍ୟୁବରଣ କରୁଛନ୍ତି ତେବେ ତାଙ୍କୁ ପ୍ରଥମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ସବୁ କାର୍ଯ୍ୟ କରିବାକୁ ପଡ଼ୁଛି। ଏହାପରେ ତାଙ୍କୁ ଫର୍ମ ପୂରଣ କରିକି ଦେଲେ କିଛି ଦିନ ପରେ ସହାୟତା ମିଳୁଛି। ମୁସଲିମ୍ ଓ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା କୌଣସି କବରସ୍ତାନରେ ନାହିଁ।

ଗୋଟିଏ ଶବ ପାଇଁ ଖର୍ଚ୍ଚ ୭ରୁ ୮ହଜାର
ନିଅଣ୍ଟ ପଡ଼ୁଛି ହରିଶ୍ଚନ୍ଦ୍ର ଯୋଜନା ସହାୟତା
ଖ୍ରୀଷ୍ଟିଆନଙ୍କ ପାଇଁ କଫିନ କିଣିବାକୁ ବି ପାଉନି
ମୁସଲିମ୍‌ଙ୍କର ପ୍ଲାଏ କିଣାରେ ସରିଯାଉଛି

ଅପରପକ୍ଷେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ତୁରନ୍ତ ହରିଶ୍ଚନ୍ଦ୍ର ସହାୟତା ଯୋଗାଇ ଦେବା ପାଇଁ ସରପଞ୍ଚମାନଙ୍କୁ ୧୫ହଜାର ଟଙ୍କା ଲେଖାଏ ଅଗ୍ରିମ ଦେଉଛନ୍ତି। ଏହି ଟଙ୍କାର ହିସାବ ଦେଇସାରିଲେ ପୁଣି ୧୫ହଜାର ଟଙ୍କା ମିଳୁଛି। କିନ୍ତୁ ଜଣେ ସରପଞ୍ଚଙ୍କ କହିବାନୁଯାୟୀ, ପ୍ରତିଥର ଆମକୁ ଯେଉଁ ଟଙ୍କା ମିଳୁଛି ସେଥିରେ ମାତ୍ର ୫ଜଣଙ୍କୁ ସହାୟତା ପ୍ରଦାନ କରିପାରିବୁ। ବହୁ ସ୍ଥାନରେ କାହାର ମୃତ୍ୟୁ ଖବର ପାଇ ଆମେ ତୁରନ୍ତ ସହାୟତା ରାଶି ପ୍ରଦାନ କଲେ ପରେ ସେମାନେ ଏନେଇ ଆବଶ୍ୟକ କାଗଜପତ୍ର ଦେଉନାହାନ୍ତି କିମ୍ବା ବିଳମ୍ବରେ ଦେଉଛନ୍ତି। ଯେଉଁଠି କାଗଜପତ୍ର ମିଳୁନି ସେଠାରେ ଆମେ ଦେଇଥିବା ସହାୟତା ରାଶି ବି ପାଉନୁ। କେବଳ ଏତିକି ସମସ୍ୟା ନୁହେଁ, ୩ହଜାର ଟଙ୍କାରେ ଶବସତ୍କାର କରିବା ସମ୍ଭବ ହେଉନି। ଗରିବ ଲୋକମାନେ ଅଧିକ ଅର୍ଥ ମାଗୁଛନ୍ତି। ପଞ୍ଚାୟତରେ ପ୍ରାୟ ୫୦ ହଜାର ପାଖାପାଖି ଲୋକ ରହୁଥିବାବେଳେ ମାତ୍ର ୫ଜଣଙ୍କୁ ସହାୟତା ଦେବାକୁ ଅର୍ଥ ମିଳୁଛି। ଆମେ ସବୁ କାଗଜପତ୍ର ଜମା କରିବା ପରେ ବି ଆମକୁ ଟଙ୍କା ମିଳିବାକୁ ପ୍ରାୟ ୧ମାସ ଲାଗିଯାଉଛି। ତେଣୁ ସରକାର ଏହି ସହାୟତା ରାଶି ବଢ଼ାଇବା ସହ ସରପଞ୍ଚମାନଙ୍କୁ ଅତି କମ୍‌ରେ ୧୦ଜଣଙ୍କ ସହାୟତା ଅର୍ଥ ଅଗ୍ରିମ ଦିଅନ୍ତୁ। ସହରାଞ୍ଚଳରେ ବି ସମାନ ଅବ୍ୟବସ୍ଥା।

ସେହିପରି ସତ୍ୟନଗର ଶ୍ମଶାନରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ଶବ ସତ୍କାର କରିବା ପାଇଁ ନିୟୋଜିତ ହୋଇଥିବା ପ୍ରସନ୍ନ ନାୟକଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଯେପରି ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ପୁରୀରେ କାଠରୁ ଆରମ୍ଭ କରି ସବୁ ଜିନିଷ ମାଗଣାରେ ଯୋଗାଇ ଦେଉଛନ୍ତି ସେହିପରି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ପାଇଁ କଫିନ୍‌କୁ କମ୍‌ ଦାମ୍‌ରେ ଯୋଗାଇ ଦିଅନ୍ତୁ। ଗାତ ଖୋଳିବାକୁ ବି ଲୋକ ରଖନ୍ତୁ। ଏହାହେଲେ ଲୋକ ଆଉ ବିଶେଷ ହଇରାଣ ହେବେନି। ଅନ୍ୟପକ୍ଷରେ ପୁରୀ ସ୍ବର୍ଗଦ୍ବାରରେ ଥିବା କର୍ମଚାରୀଙ୍କ କହିବାନୁଯାୟୀ, ଏଠାକୁ ଆସୁଥିବା ଶବର ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୧କ୍ବିଣ୍ଟାଲ ୮୦କେଜି କାଠ ଦିଆଯାଉଛି। କିନ୍ତୁ ବହୁ ଲୋକ ଆଉ ୫୦କେଜିରୁ ୧କ୍ବିଣ୍ଟାଲ ପର୍ଯ୍ୟନ୍ତ କାଠ କେଜି ପିଛା ୯ଟଙ୍କା ଦାମ୍‌ରେ କିଣୁଛନ୍ତି। ପୂର୍ବରୁ ‌କାଠ, ଘିଅ, ପୂଜା‌ ସାମଗ୍ରୀର ଯେଉଁ ଦାମ୍‌ ଥିଲା ତାହା ଏବେ ବହୁତ ବଢ଼ିଗଲାଣି। ତେଣୁ ଯେଉଁମାନେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଉନାହାନ୍ତି ସେମାନେ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।