’ସମ୍ବଳ’ର ୫୦୦ତମ ଅଜଣା ଶବ ସତ୍କାର: ମୁଖାଗ୍ନି ଦେଲେ ଜିଲ୍ଲାପାଳ ଓ ଏସ୍‌ପି

ସମ୍ବଲପୁର: ଅପରିଚିତ ତଥା ଅସହାୟ ଲୋକଙ୍କ ଶବ ସତ୍କାର କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ବଳ’ ଆଜି ୫୦୦ତମ ଅଜଣା ଶବ ସତ୍କାର କରି ଆଉ ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛି। ଏହି ସ୍ବତନ୍ତ୍ର ମୁହୂର୍ତ୍ତରେ ଉପସ୍ଥିତ ରହି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ବି. ଗଂଗାଧର ଏବଂ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌ ସମ୍ବଳର ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଖୋଦ୍ ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଏହି ଅଜଣା ବ୍ୟକ୍ତିଙ୍କ ଶବକୁ ଗାଡ଼ିରୁ ଦାହସ୍ଥଳ ପର୍ଯ୍ୟନ୍ତ ନିଜେ ବୋହି ନେଇଥିଲେ।

ଉଭୟ ମଧ୍ୟ ମିଳିତ ଭାବେ ମୁଖାଗ୍ନି ଦେଇଥିଲେ। ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସମ୍ବଲପୁର ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ହୋଇଥିଲାବେଳେ ଏଠାରେ ବୁର୍ଲା ବଡ଼ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଦି ରହିଛି। ଏଠାରେ ମୃତ୍ୟୁ ହେଉଥିବା ଅନେକ ବ୍ୟକ୍ତିଙ୍କ ପରିଚୟ ବି ଜଣା ପଡ଼ି ନଥାଏ। ଅନେକ ସମୟରେ ଶବ ନେବାକୁ କେହି ଦାବିଦାର ନଥାନ୍ତି। ତେଣୁ ଏଭଳି ମୃତବ୍ୟକ୍ତିଙ୍କ ଶବସତ୍କାର ଆବଶ୍ୟକ ହେଲେ ଥାନା, ଡାକ୍ତରଖାନା କର୍ତ୍ତୃପକ୍ଷ ବି ସମ୍ବଳକୁ ଖବର ଦେଇଥାଆନ୍ତି। ୨୦୧୧ରୁ ଏହି ସେବା କାର୍ଯ୍ୟ କରି ଆସୁଥିବା ‘ସମ୍ବଳ’ ଶନିବାର ସ୍ଥାନୀୟ ରାଜଘାଟଠାରେ ୫୦୦ତମ ଅଜଣା ଶବ ସତ୍କାର କରିଛି।

ଏହି ସତ୍କାର ବେଳେ ସମ୍ବଳର ସଭାପତି ପ୍ର. ଶଂକର ପ୍ରସାଦ ପତି, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ତ୍ରିପାଠୀ, କାଳିଦାସ ପଣ୍ଡା, ପ୍ରକାଶ ପ୍ରଧାନ, ସଂପାଦକ ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ଦିଲୀପ ବୋଷ, କୃଷ୍ଣଚନ୍ଦ୍ର ସାହୁ, ସନ୍ତକ ପଣ୍ଡା, ଅରୁଣ ଅଜାଡ଼ିୱାଲ, ଦିଲୀପ ସାହୁ, ହିମାଂଶୁ ପାଣିଗ୍ରାହୀ, ଶିବ ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଏହାଛଡ଼ା ସମାଜସେବୀ ଅଶୋକ ଜଲାନ, ଡ. ସନ୍ତୋଷ ଦାଶ, ସୁଧୀର ପୂଜାରୀ, ଶ୍ୟାମ ଅଗ୍ରୱାଲ, ଦିଲୀପ ପଣ୍ଡା, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବଳ’ ମଧ୍ୟ ଅସହାୟ ଗରିବ ଲୋକଙ୍କ ଶବସତ୍କାର କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର