କରୋନାରେ ମୃତକଙ୍କ ସତ୍କାର କଲେ ସ୍ୱେଚ୍ଛାସେବୀ

କେନ୍ଦୁଝର : କରୋନା ଆକ୍ରାନ୍ତ ହୋଇଥିବାରୁ ମଲା ପରେ ଶବ ଛୁଇଁଲେନି ପରିବାର। ସାହିଭାଇ ଦେଖା ଦେଲେନି। ଦୀର୍ଘ ୨୦ ଘଣ୍ଟା ଧରି ଘର ବାରଣ୍ଡାରେ ପଡ଼ି ରହିଲା ଶବ। ଶେଷରେ ସ୍ବେଚ୍ଛାସେବୀମାନେ ପିପିଇ କିଟ୍‌ ପିନ୍ଧି ମୃତଦେହ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁଆକାଟି ଅଞ୍ଚଳରେ।

ଶୁଆକାଟିର ପ୍ରହଲ୍ଲାଦ ସେଠୀ (୬୩) କିଛିଦିନ ହେଲା ଅସୁସ୍ଥ ଥିଲେ। କୋଭିଡ ପରୀକ୍ଷା କରିବାରୁ ତାଙ୍କ ରି‌ପୋର୍ଟ ପଜିଟିଭ ଆସିଥିଲା। ସେ ଘରେ ସଂଗରୋଧରେ ଥିଲେ। ଗତକାଲି ଅପରାହ୍‌ଣରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଗାଁ ଲୋକ ଶବ ସତ୍କାର ପାଇଁ ଆସିଲେ ନାହିଁ। ଏପରିକି ପରିବାର ଲୋକ ମଧ୍ୟ ଭୟରେ ଛୁଇଁ ନଥିଲେ। ଗତକାଲି ଅପରାହ୍‌ଣ ସାଢ଼େ ୪ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଶବ ଘର ବାରଣ୍ଡାରେ ପଡ଼ିଥିଲା। ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ପ୍ରାଶାସନିକ ଅଧିକାରୀମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ଖବର ପାଇ ଶୁଆକାଟି ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡସଭ୍ୟ ସୌମ୍ୟରଞ୍ଜନ ସାହୁ, ସମାଜସେବୀ ଅଞ୍ଜନ କୁମାର ବେଜ୍‌ ପହଞ୍ଚିଥିଲେ। ପୁଅ ସୂର୍ଯ୍ୟକାନ୍ତ ସେଠୀଙ୍କ ସହାୟତାରେ ସମସ୍ତେ ପିପିଇ କିଟ୍‌ ପିନ୍ଧି ଶବ ଆଣି ଶୁଆକାଟି କଲେଜ ପଡ଼ିଆ ପଛପଟେ ପୋତି ଦେଇଥିଲେ। ସ୍ଥାନୀୟ ଯୁବକ ସୁଶାନ୍ତ କୁମାର ବାରିକ, ପ୍ରଶାନ୍ତ କୁମାର ବାରିକ ସହଯୋଗ କରିଥିଲେ। ଏହି ସମୟରେ ବାଂଶପାଳ ବିଡିଓ ଉଗ୍ରସେନ ଓରାମ, ତହସିଲଦାର ସପନ ସାହୁ ଉପସ୍ଥିତ ଥିଲେ। ସ୍ବେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର