ପଞ୍ଚଭୂତରେ ଲୀନ ହେଲେ କିଶୋର

ହଜାର ହଜାର ଲୋକଙ୍କ ଅଶ୍ରୁଳ ବିଦାୟ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ଅପରାହ୍‌ଣରେ ଝାରସୁଗୁଡ଼ା ଝାଡ଼େଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ କରାଯାଇଛି।

ଶୁକ୍ରବାର ସକାଳେ ସ୍ବର୍ଗତ ମହାନ୍ତିଙ୍କ ପାର୍ଥିବ ଶରୀରକୁ  ଏକ ସୁସଜ୍ଜିତ ଗାଡ଼ିରେ ଝାରସୁଗୁଡ଼ା ମଙ୍ଗଲବଜାରସ୍ଥିତ ତାଙ୍କ ବାସଭବନରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଲୋକଙ୍କ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରୁ ପୁଣି ତାଙ୍କୁ ଝାରସୁଗୁଡ଼ା ଅଣାଯାଇ ବିଜେଡି ପାର୍ଟି ଅଫିସରେ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯାଇଥିଲା। ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମଙ୍ଗଲବଜାର ଇନ୍‌ଡୋର୍‌ ଷ୍ଟାଡିୟମରେ ଜନସାଧାଣରଙ୍କ ଶେଷ ଦର୍ଶନ ପାଇଁ ଅପରାହ୍‌ଣ ୩ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ସେଠାରୁ  ପୁଣି ଏକ ଶୋଭାଯାତ୍ରାରେ ଝାଡ଼େଶ୍ବର ମନ୍ଦିର ଶ୍ମଶାନ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲ। ପ୍ରଶାସନ ପକ୍ଷରୁ  ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ମନ୍ତ୍ରୀ ନବ କିଶୋର ଦାସ, ଟୁକୁନି ସାହୁ, ସୁଶାନ୍ତ ସିଂ ଓ ଅଶୋକ ପଣ୍ଡା; ସାଂସଦ ସୁରେଶ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ; ବିଜେପୁର ବିଧାୟିକା ରୀତା ସାହୁ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବିଧାୟକ ଦେବେଶ ଆଚାର୍ଯ୍ୟ, କୁଚିଣ୍ଡା ବିଧାୟକ କିଶୋର ନାୟକ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଜିଲ୍ଲାପାଳ ସରୋଜ ସାମଲ, ଏସ୍‌ପି ବିକାଶ ଚନ୍ଦ୍ର ଦାଶ ପ୍ରମୁଖ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ପୁତ୍ର ପୁରୁଷୋତ୍ତମ ମହାନ୍ତି ମୁଖାଗ୍ନି ଦେଇଥିଲେ। ହଜାର ହଜାର ଲୋକ ଅଶ୍ରୁଳ ବିଦାୟ ଦେଇଥିଲେ। ଆଜି ଦିନତମାମ ବିଭିନ୍ନ ବ୍ୟବସାୟୀ ସଂଘ ଓ ବସ୍‌ମାଲିକଙ୍କ ଆହ୍ବାନ କ୍ରମେ ‌ସହରର ଦୋକାନ ବଜାର ଓ ବସ୍‌ ଚଳାଚଳ ବନ୍ଦ ରହିଥିଲା।।

ସମ୍ବନ୍ଧିତ ଖବର