ବୃଦ୍ଧଙ୍କ ଶବ ନେଲେନି ପରିବାର; ସତ୍କାର କଲେ ଉପଜିଲ୍ଲାପାଳ, କର୍ମଚାରୀ

ଭଞ୍ଜନଗର : କରୋନା ମହାମାରୀକୁ ନେଇ ଗଞ୍ଜାମ ଜିଲ୍ଲାରେ ଭୟ, ଆତଙ୍କ ଯେମିତି ମାନବିକତାକୁ ଭୂଲୁଣ୍ଠିତ କରି ଚାଲିଛି। ପ୍ରତିଦିନ ସାମାଜିକ ଶୃଙ୍ଖଳ ବିଗୁଡ଼ୁଥିବା ନଜିର୍‌ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ଭଞ୍ଜନଗର ଉତ୍ସର୍ଗୀକୃତ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଜଣେ କରୋନା ସନ୍ଦିଗ୍ଧ ବୃଦ୍ଧଙ୍କ ମୃତ୍ୟୁପରେ ତାଙ୍କ ଶବକୁ ନେବା ଲାଗି ପରିବାରବର୍ଗ ମନା କରିଦେଲେ। ଫଳରେ ଭଞ୍ଜନଗର ଉପଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଚାରି କାନ୍ଧ ଦେବା ସହ ସସମ୍ମାନ ସଂସ୍କାର କରିଛନ୍ତି। ଆଉ ମାନବିକତାର ନିଦର୍ଶନ ଦେଖାଇଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ଲଣ୍ଡେଇସାହି ବାସିନ୍ଦା କାଳୀଚରଣ ସାହୁ (୬୫) ୩ ଦିନତଳେ ଶ୍ବାସଜନିତ ସମସ୍ୟା ନେଇ ଭଞ୍ଜନଗର ଡାକ୍ତରଖାନାକୁ ଆସିଥିଲେ। ତାଙ୍କର ଅମ୍ଳଜାନ ସ୍ତର କମ୍ ରହିଥିବା ହେତୁ ଡିସିଏଚ୍‌ସିରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ କାଳୀଚରଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାମଧ୍ୟରେ କାଳୀଚରଣଙ୍କ ପୁଅ ବି ଡିସିଏଚ୍‌ସିରେ ଭର୍ତ୍ତି ହୋଇଥିଲେ। କିନ୍ତୁ କରୋନା ସନ୍ଦେହରେ ପରିବାରର ଅନ୍ୟ ସଦସ୍ୟ ଓ ମହିଳାମାନେ ଶବ ନେବା ଲାଗି ମନା କରିଥିଲେ।

ସୂଚନା ପାଇବା କ୍ଷଣି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍‌ଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀରମୋହନ ମାଝୀ, ଡାକ୍ତରଖାନା ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀରମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ପହଞ୍ଚି ପିପିଇ କିଟ୍ ପିନ୍ଧିଥିଲେ। ଆଉ ମିଳିତ ଭାବେ ଶବକୁ କାନ୍ଧେଇ ମହାପ୍ରୟାଣ ଗାଡ଼ିରେ ନେଇ ସହରର ଶେଷ ଭାଗରେ ଥିବା ଶ୍ମଶାନରେ ସଂସ୍କାର କରିଥିଲେ। ଉଚ୍ଚ ପଦବିରେ ଦାୟିତ୍ବ ସଂପାଦନ କରୁଥିବା ଭଞ୍ଜନଗର ଉପଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଏହି ମଣିଷପଣିଆ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର