କରୋନା କାରୁଣ୍ୟ: କୋଭିଡ୍‌ ସନ୍ଦେହରେ ପାଖ ମାଡ଼ିଲେନି, ପ୍ରଶାସନ ସହଯୋଗରେ ଶବ ସତ୍କାର

ନାଚୁଣୀ : ଚିଲିକା ବ୍ଲକ୍‌ର ହରିପୁର ପଞ୍ଚାୟତର ନୂଆପାଟଣା ଗ୍ରାମର ପ୍ରଶାନ୍ତ ସୁବୁଦ୍ଧି(୫୪ ବର୍ଷ) ଗତକାଲି ଅପରାହ୍ଣ‌ରେ ମୃତ୍ୟୁବରଣ କରିଥିଲେ। ସେ କିଛି ଦିନ ହେବ ଛାତି ଯନ୍ତ୍ରଣା ଜନିତ ଅସୁସ୍ଥ ରହିଥିଲେ। ଟାଙ୍ଗୀ ସରକାରୀ ଡାକ୍ତରଖାନାରୁ ସେ ଗତକାଲି ଔଷଧପତ୍ର ଆଣି ଘରେ ଖାଇଥିଲେ। ତାଙ୍କର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆସିଥିଲା। ହଠାତ୍‌ ତାଙ୍କର ମୃତ୍ୟୁକୁ ଗ୍ରାମବାସୀ ସହଜରେ ଗ୍ରହଣ କରିନପାରି କୋଭିଡ୍‌ ସଂକ୍ରମଣ ଭୟରେ କେହି ପାଖ ମାଡିନଥିଲେ।

ଶବ ଘରୁ ଉଠିପାରୁନଥିବା ଖବର ପାଇ ହରିପୁର ସରପଞ୍ଚ ପ୍ରଶାନ୍ତ ସ୍ବାଇଁ ତାଙ୍କର ଶେଷକୃତ୍ୟ ପାଇଁ ଚିଲିକା ବିଡିଓ, ତହସିଲଦାରଙ୍କ ସହଯୋଗ ଲୋଡ଼ିଥିଲେ। ଚିଲିକା ବିଡିଓ ସୁଷମା ବାରିକ କାର୍ଯ୍ୟାଳୟର ଖାଦ୍ୟ ଯୋଗାଣ ନିରୀକ୍ଷକ ଅରୁଣ କୁମାର ଲେଙ୍କା ଓ ଜିତେନ୍ଦ୍ର କୁମାର ସାହୁଙ୍କୁ ନୂଆପାଟଣା ସେଠାକୁ ପଠାଇଥିଲେ। ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଅନୁରୋଧ ରକ୍ଷାକରି ବାଲୁଗାଁ ସରକାରୀ ଡାକ୍ତରଖାନାର ମେଡିକାଲ ଅଫିସର ସୌମ୍ୟକାନ୍ତ ଦାସ ପଟ୍ଟନାୟକ ୪ଟି ପିପିଇ କିଟ୍‌ ଓ ସାନିଟାଇଜର ପଠାଇଥିଲେ । ପ୍ରଶାସନ ଓ ହରିପୁର ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ମୃତକଙ୍କ ୪ ବନ୍ଧୁଙ୍କ ସହଯୋଗ କ୍ରମେ ଗତକାଲି ସଂଧ୍ୟାରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ଭବ ହୋଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର