କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସବୁ ଦିନ ରହିଥିବେ: ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାନ୍ତି ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ ଯାହାଙ୍କର ବଳିଷ୍ଠ ଅଭିନୟ ଓଡ଼ିଆ ସିନେମା ଶିଳ୍ପକୁ ସମୃଦ୍ଧ କରିପାରିଥିଲା। ଦୀର୍ଘ ବର୍ଷ ଧରି ସିନେମାରେ କ୍ୟାରିଅର କରିଥିବା ଏହି ମହାନ୍ ଅଭିନେତା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସବୁଦିନ ସ୍ବତନ୍ତ୍ର ସ୍ଥାନରେ ରହିବେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ଚଳଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ଗୋଟିଏ ଯୁଗର ଅବସାନ ଘଟାଇଛି। ସିନେମା ପ୍ରତି ତାଙ୍କ ଅବଦାନ ଚିରକାଳ ତାଙ୍କୁ ଅବିସ୍ମରଣୀୟ କରି ରଖିବ। ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏଥିସହିତ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସ୍ବର୍ଗତଃ ମହାନ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର