ଏମ୍ସରେ ହେବ ଫଙ୍ଗସ୍‌ ବାୟୋ ବ୍ୟାଙ୍କ

ପୂର୍ବ ଭାରତର ଅନ୍ୟ ରାଜ୍ୟରୁ ବି ଆସିବ ନମୁନା
ପିଜିଆଇ ଚଣ୍ଡିଗଡ଼ ଉପରେ ନିର୍ଭର କମିବ
୬ ମାସରେ ହେବ ରୋଗୀଙ୍କ ପରୀକ୍ଷଣ ବ୍ୟବସ୍ଥା

ଭୁବନେଶ୍ବର : ଏମ୍ସରେ ହେବ ଫଙ୍ଗସ୍‌ ବାୟୋ ବ୍ୟାଙ୍କ। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ସମେତ ପୂର୍ବ ଭାରତରେ ମଣିଷ ଶରୀରକୁ ସଂକ୍ରମିତ କରୁଥିବା ଫଙ୍ଗସ୍‌ ନମୁନା ସଂଗ୍ରହ କରାଯାଇ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ, ଯାହାକି ଫଙ୍ଗସ୍‌ ଚିକିତ୍ସା ଗବେଷଣାରେ କାର୍ଯ୍ୟରେ ଆସିବ। ଏଥିପାଇଁ ପିଜିଆଇ ଚଣ୍ଡିଗଡ଼ ସହାୟତା କରିବ। ଏଥିସହିତ ଫଙ୍ଗସ୍‌ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସମସ୍ତ ପ୍ରକାର ପରୀକ୍ଷଣ ବ୍ୟବସ୍ଥା ୬ ମାସ ମଧ୍ୟରେ କରାଯିବ। ଫଙ୍ଗସ୍‌ ଗବେଷଣା ପାଇଁ ସ୍ଥାପିତ ଆଡଭାନ୍ସ ମଲିକୁଲାର ଆଣ୍ଡ୍‌ ଡାଇଗ୍ନୋଷ୍ଟିକ ସେଣ୍ଟର ପାଇଁ ମଞ୍ଜୁର ୨.୫ କୋଟି ଟଙ୍କାରେ ଏହି କାର୍ଯ୍ୟ କରାଯିବ ବୋଲି ଏମ୍ସ ମାଇକ୍ରୋବାଇଲୋଜି ବିଭାଗର ଡାକ୍ତର ବିନୟ ହାଲୁର କହିଛନ୍ତି।

ଡା. ହାଲୁରଙ୍କ କହିବା ଅନୁଯାୟୀ ଆମ ପରିବେଶରେ ୩୫ ଲକ୍ଷ ଫଙ୍ଗସ୍‌ ରହିଛି। ଏଥିରୁ ୪୦୦ରୁ ୫୦୦ ଫଙ୍ଗସ୍ ହିଁ ମଣିଷକୁ ସଂକ୍ରମିତ କରିଥାଏ। ଯେଉଁ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଯେତେ କମ୍‌, ତାଙ୍କୁ ଫଙ୍ଗସ୍‌ ସେତେ ଶୀଘ୍ର ସଂକ୍ରମଣ କରେ। ଅତି କମ୍‌ ସଂଖ୍ୟକ ଫଙ୍ଗସ୍‌ ସାଧାରଣ ଲୋକଙ୍କୁ ସଂକ୍ରମିତ କରୁଥିବାବେଳେ ଏଥିଯୋଗୁଁ ଜୀବନ ଯିବାର ଆଶଙ୍କା କମ୍‌ ଥିବାରୁ ପୂର୍ବରୁ ଫଙ୍ଗସ୍‌ ଗବେଷଣାକୁ ଏତେଟା ଗୁରୁତ୍ବ ଦିଆଯାଉନଥିଲା। ବର୍ତ୍ତମାନ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ମ୍ୟୁକର୍‌ମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ର ଭୟାବହତା ସମସ୍ତେ ଅନୁଭବ କରିଛନ୍ତି। କଣ୍ଟା ଫୋଡ଼ି ହୋଇ ମାଇସିଟୋମା, ଦେହରେ ଜାଦୁ ଭଳି ବାହାରିବା ମଧ୍ୟ ଫଙ୍ଗସ୍‌ ସଂକ୍ରମଣର ଅନ୍ତର୍ଗତ। ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ, ରକ୍ତ କର୍କଟ ସମେତ ବିଭିନ୍ନ କାରଣ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବା ରୋଗୀ ସହଜରେ ଫଙ୍ଗସ୍‌ ସଂକ୍ରମଣ ଶିକାର ହେଉଛନ୍ତି। ଅନ୍ୟଦିଗରେ ଓଡ଼ିଶା ସମେତ ମୁଖ୍ୟତଃ ପୂର୍ବ ଭାରତରେ କେତୋଟି ଫଙ୍ଗସ୍‌ ରହିଛି, ସେମାନଙ୍କ ଲକ୍ଷଣ, ଭୟାବହତା ସମ୍ପର୍କରେ ଡାକ୍ତରଙ୍କ ପାଖରେ ସ୍ପଷ୍ଟ ସୂଚନା ନାହିଁ। ଅଜଣା ଫଙ୍ଗସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାରେ ସମସ୍ୟା ଦେଖା ଦେଉଛି। ତେଣୁ ଫଙ୍ଗସ୍‌ ନମୁନାଗୁଡ଼ିକୁ କୃତ୍ରିମ ଭାବରେ ଡିପ୍‌ ଫ୍ରିଜରରେ ମାଇନସ୍ ୮୦ ଡିଗ୍ରି ତାପମାତ୍ରାରେ ତରଳ ନାଇଟ୍ରୋଜେନ ଜରିଆରେ ସଂରକ୍ଷିତ କରାଯାଇ ଫଙ୍ଗସ୍‌ ବାୟୋ ବ୍ୟାଙ୍କ ପ୍ରତିଷ୍ଠାର ଲକ୍ଷ୍ୟ ରହିଛି।

ଡା.ହାଲୁର ଆହୁରି କହିଛନ୍ତି ଯେ ଗଛରୁ ଯେଉଁଭଳି ବିହନ ବାହାରିଥାଏ, ଫଙ୍ଗସ୍‌କୁ ପାଣିରେ ରଖିଲେ ସେହିପରି ବିହନ ବାହାରେ ଏହାକୁ ପାଣିରେ ରଖି ମଧ୍ୟ ଅନେକ ବର୍ଷ ଧରି ରଖାଯାଇ ପାରିବ। ପୂର୍ବ ଭାରତର ଅନ୍ୟ ସ୍ଥାନର ଫଙ୍ଗସ୍‌ ନୁମନାଗୁଡ଼ିକ କୋରିୟର ଜରିଆରେ ଏଠାକୁ ପଠାଇ ନିଜ ଫଙ୍ଗସ୍‌କୁ ସଂରକ୍ଷିତ କରି ରଖିପାରିବେ। ବର୍ତ୍ତମାନ ମଧ୍ୟ ଏମ୍ସରେ ଡିପ୍‌ ଫ୍ରିଜରରେ ଫଙ୍ଗସ୍‌ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ରହିଛି। ମାତ୍ର ଭିତ୍ତିଭୂମି, କର୍ମଚାରୀ ଅଭାବରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇନଥିଲା। ବର୍ତ୍ତମାନ ସ୍ବତନ୍ତ୍ର ଅନୁଦାନ ମିଳିବା ପରେ ଏହି ଅସୁବିଧା ଦୂର ହୋଇଛି। ଦ୍ବିତୀୟତଃ ଫଙ୍ଗସ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେଜ ଚଣ୍ଡିଗଡ଼ ପିଜିଆଇ(ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ଏଜୁକେସନ)ରେ ସ୍ବତନ୍ତ୍ର ପରୀକ୍ଷଣ ବ୍ୟବସ୍ଥା ରହିଛି। ଏଥିପାଇଁ ଏହିଭଳି କୌଣସି ରୋଗୀ ଏମ୍ସ ସମେତ ବଡ଼ ଡାକ୍ତରଖାନାକୁ ଆସିଲେ, ଡାଇଗ୍ନୋସିସ ପାଇଁ ଚଣ୍ଡିଗଡ଼କୁ ନମୁନା ପଠାଯାଏ। ବର୍ତ୍ତମାନ ଏମ୍ସରେ ଫଙ୍ଗସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଡାଇଗ୍ନୋସିସ ହୋଇପାରିବ। ଏଥିପାଇଁ ଆବଶ୍ୟକ ପରୀକ୍ଷାଗାର ନିମନ୍ତେ ଆବଶ୍ୟକ ଉପକରଣ କିଣିବା କାର୍ଯ୍ୟ ଆରମ୍ଭ ହୋଇଛି। ଡିଏନଏ, ସ୍ବତନ୍ତ୍ର ପ୍ରକାର ରକ୍ତ ପରୀକ୍ଷଣ ଜରିଆରେ ଫଙ୍ଗସ୍‌ର ଚିହ୍ନଟ ହେବ। ସେହି ଅନୁଯାୟୀ ଚିକିତ୍ସା ହେବ। ଆଡଭାନ୍ସ ମଲିକୁଲାର ଆଣ୍ଡ ଡାଇଗ୍ନୋଷ୍ଟିକ ସେଣ୍ଟର ଅନ୍ତର୍ଗତରେ ମାଇକ୍ରୋ ବାଇଲୋଜି ବିଭାଗର ଡ.ବିନୟ ହାଲୁର, ପେଥୋଲୋଜି ବିଭାଗର ଡ.ମୁକୁନ୍ଦ, ଫାର୍ମାକୋଲୋଜି ବିଭାଗର ଡ.ଆନନ୍ଦ ଶ୍ରୀନିବାସନ, ଇନ୍‌ଟେନସିଭ୍‌ କେୟାରର ଡାକ୍ତର ସ୍ବାଗତ, ମେଡିସିନ ବିଭାଗ ଡା.ଅନୁପମ ଦେ, ଇଏନ୍‌ଟି ବିଭାଗ ଡାକ୍ତର ସି ପ୍ରୀତମ, ଶ୍ବାସରୋଗ ବିଭାଗ ଡାକ୍ତର ମନୋଜ ପାଣିଗ୍ରାହୀ, ରକ୍ତକର୍କଟ ବିଭାଗର ଡାକ୍ତର ସୋନାଲି ମହାପାତ୍ରଙ୍କୁ ନେଇ ଟିମ୍‌ ଗଠନ ହୋଇଛି। ଏଥିସହିତ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ନିଯୁକ୍ତି ହୋଇଛି। ଫଙ୍ଗସ୍‌ ସଂକ୍ରମିତ କୌଣସି ବ୍ୟକ୍ତି ଏମ୍ସର ଯେକୌଣସି ବିଭାଗକୁ ଗଲେ, ତାଙ୍କ ଚିକିତ୍ସା ପାଇଁ ଏହି ଟିମ୍‌ ସହାୟତା କରିବ। ଆହୁରି ମଧ୍ୟ ଫଙ୍ଗସ୍‌କୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ପୂର୍ବ ଭାରତର ଅନ୍ୟ ରାଜ୍ୟରୁ ଏହାର ଚିକିତ୍ସା ପାଇଁ ଆଗ୍ରହ କରୁଥିବା ବ୍ୟକ୍ତିଙ୍କୁ ଏହି ଟିମ୍‌ ପ୍ରଶିକ୍ଷଣ ଦେବେ। ଫଙ୍ଗସ୍‌ ଗବେଷଣାକୁ ନେଇ ଏମ୍ସର ବ୍ୟାପକ ଯୋଜନା ରହିଛି, ଏହା କାର୍ଯ୍ୟକାରୀ ହେଲେ ଚିକିତ୍ସା କ୍ଷେତ୍ରରେ ଅନେକଙ୍କୁ ଲାଭ ମିଳିବ। ତେବେ ଏହିସବୁ ଯୋଜନା କେବେ ବାସ୍ତବ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର