କେନ୍ଦ୍ରାପଡ଼ା/ଗରଦପୁର: ‘ପାଟକୁରା ନିର୍ବାଚନମଣ୍ଡଳୀ ଦେଇ ଛଅଟି ନଦୀ ପ୍ରବାହିତ ହେଉଛି। ଆମେ ନଈ ଚାରିପାଖେ ରହିଛେ। କିନ୍ତୁ ପାଣି ସମସ୍ୟାରେ ଯୁଝି ହେଉଛେ। ଅନେକ ସ୍ଥାନରେ ମଧୁର ପାଣି ମିଳୁନି। ଲୁଣିପାଣି ମାଟି ତଳେ ଚରିଗଲାଣି। ପରିବେଶ ପ୍ରଦୂଷଣର ଏହା ଗୋଟିଏ ନମୁନା ମାତ୍ର। ଏବେଠୁ ଯଦି ଆମେ ସଚେତନ ହୋଇ ପରିବେଶ ତଥା ପ୍ରକୃତି ମା’ର ସୁରକ୍ଷା ପାଇଁ କିଛି କରିବାନି, ତେବେ ପରପିଢ଼ି ଆମକୁ କେବେ କ୍ଷମା ଦେବେନି।’ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳକୁସୁମାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

Advertisment

‘ସମ୍ବାଦ’ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ସୁବ୍ରତ କୁମାର ସାମଲଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ ପରିବେଶ ପାଇଁ ସବୁଠୁ ବଡ଼ ବିପଦ ହେଉଛି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର। ଗୋଟିଏ ମଣିଷର ପରମାୟୁ ହାରାହାରି ୬୦ରୁ ୭୦ ବର୍ଷ। କିନ୍ତୁ ପ୍ଲାଷ୍ଟିକ୍‌ ମାଟିରେ ନଷ୍ଟ ହେବା ପାଇଁ ହଜାର ହଜାର ବର୍ଷ ଲାଗିଯାଉଛି। ତେଣୁ ପରିବେଶ ପାଇଁ ପ୍ଲାଷ୍ଟିକ୍‌ କେତେ ବିପଜ୍ଜନକ, ତାହା ଏଥିରୁ ସ୍ପଷ୍ଟ ହେଉଛି। ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯିବା ସହିତ ଛୋଟବେଳୁ ପିଲାଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବା ଏବ˚ ବ୍ୟାପକ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଥିବା ବିଧାୟକ କହିଥିଲେ। ଗୀତିକବି କୁଞ୍ଜବିହାରୀ ପାଣି, ପ୍ରାଧୢାପକ ନିରୋଦ କୁମାର ଦାସ, ଅଧୢାପକ ବିଚିତ୍ରାମଞ୍ଜରୀ ତ୍ରିପାଠୀ ପ୍ରମୁଖ ବିକାଶ ନାଁରେ କିଭଳି ଆମେମାନେ ପରିବେଶକୁ ଧ୍ବ˚ସ କରୁଛେ, ତାହା ଉପରେ ଆଲୋକପାତ କରିଥିଲେ। ଆମେ ସମସ୍ତେ ପ୍ରକୃତି ଉପରେ ଅକଥନୀୟ ଅତ୍ୟାଚାର କରୁଛେ।

ନିଜେ ବିଳାସବ୍ୟସନରେ ରହିବା ପାଇଁ ପ୍ରକୃତି ମା’କୁ ବଳି ପକାଇବାକୁ ପଛଘୁଞ୍ଚା ଦେଉନାହେଁ। ପ୍ରକୃତି ବି ସମୟ ସମୟରେ ତା’ର କୋପ ଦେଖାଇ ମଣିଷ ସମାଜକୁ ସତର୍କ କରାଉଛି। କେରଳ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ଭୂସ୍ଖଳନ ଏହାର ଗୋଟିଏ ଗୋଟିଏ ଉଦାହରଣ ବୋଲି ଅତିଥିମାନେ ମତପୋଷଣ କରିବା ସହିତ ସମସ୍ତଙ୍କୁ ଗଛ ଲଗାଇବାକୁ ଅନୁରୋଧ କରିଥିଲେ। ‘ସମ୍ବାଦ’ ଗରଦପୁର ବ୍ଲକ୍‌ ପ୍ରତିନିଧି ନବଘନ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ‘କନକ ନ୍ୟୁଜ୍‌’ ପ୍ରତିନିଧି ପ୍ରଦୀପ ସ୍ବାଇଁ ଧନ୍ୟବାଦ ଦେଇଥିଲେ।