ହାଇକୋର୍ଟରେ ଅଦାଲତ ଅବମାନନା ମାମଲା
ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

Advertisment

କଟକ-ବିଦ୍ୟାଧରପୁର : ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ କୁହୁଳୁଛି ଅସନ୍ତୋଷ। ୨୦୧୮ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କିଛି ସରକାରୀ ଅନୁଷ୍ଠାନକୁ ବାଦ୍ ଦେଲେ ଅନ୍ୟ ଛାତ୍ରଛାତ୍ରୀ ଏଯାଏ ପରୀକ୍ଷା ଦେଇ ପାରୁନାହାନ୍ତି କି ସେମାନଙ୍କ ପରୀକ୍ଷାଫଳ ବାହାରି ପାରୁ ନାହିଁ। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ହାଇକୋର୍ଟ ଗତ ଏପ୍ରିଲ ୧୫ ତାରିଖରେ ୪ ସପ୍ତାହ ଭିତରେ ପରୀକ୍ଷାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହାକୁ ବି କାର୍ଯ୍ୟକାରୀ କରା ନଯିବା ଫଳରେ ଏବେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।

ଗୋଟିଏ ପଟେ ବିନା ପରୀକ୍ଷାରେ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଉଥିବା ବେଳେ ଏହି ଆଇଟିଆଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ୍ (ସିବିଟି) ମାଧ୍ୟମରେ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜିଦ୍ ଏବେ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି। ଏ କ୍ଷେତ୍ରରେ ରାଜ୍ୟ ସରକାର ବି ମୁହଁ ଖୋଲୁ ନ ଥିବାରୁ ଅସନ୍ତୋଷ ଧୀରେଧୀରେ ବିସ୍ଫୋରକ ରୂପ ନେବାକୁ ବସିଛି। ଅନେକ ଘରୋଇ ଅନୁଷ୍ଠାନ ଏଥିପାଇଁ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍ ଏମ୍ପ୍ଲୟମେଣ୍ଟ ଆଣ୍ଡ୍‌ ଟ୍ରେନିଂ (ଡିଜିଇଟି) ଓଡ଼ିଶା ସରକାରଙ୍କ ଏସିଟିଇ ଆଣ୍ଡ ଭିଟି (ଷ୍ଟେଟ କାଉନସିଲ ଅଫ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ) ଜରିଆରେ ଆଇଟିଆଇ ପରୀକ୍ଷା କରେ। କିନ୍ତୁ ସାର୍ଟିଫିକେଟ ଦିଏ ଡିଜିଇଟି। ୨୦୧୮ ମସିହାରେ ଆଟିଆଇରେ ନାମ ଲେଖାଇ ପଢ଼ୁଥିବା ଛାତ୍ରଛାତ୍ରୀ ୨୦୨୦ ଜୁଲାଇ ମାସରେ ପରୀକ୍ଷା ଦେବା କଥା। କିନ୍ତୁ କୋଭିଡ ସ୍ଥିତି ଯୋଗୁଁ ପରୀକ୍ଷା ଘୁଞ୍ଚିଗଲା। ୨୦୨୦, ନଭେମ୍ବର ୨୩ ତାରିଖରେ ୬ଟି ପେପରରୁ ୨ଟି ପେପର ଇଞ୍ଜିନିୟରିଂ ଡ୍ରଇଂ ଓ ପ୍ରାକ୍ଟିକାଲ ପରୀକ୍ଷା ଅଫଲାଇନରେ ହେଲା।

୨୦୧୯ରେ ନାମ ଲେଖାଇ ପଢୁଥିବା ପିଲା ବି ପ୍ରଥମ ବର୍ଷ ପରୀକ୍ଷା ଜୁଲାଇ ୨୦ ରେ ଦେବାକଥା। କିନ୍ତୁ ସରକାରଙ୍କ କୋଭିଡ କଟକଣା ଯୋଗୁଁ ୨୦୨୧, ମାର୍ଚ୍ଚ ୨୨ରେ ସେହି ଦୁଇଟି ପେପର ଅଫଲାଇନରେ ପରୀକ୍ଷା ଦେଇଥିଲେ। ୨ଟି ପରୀକ୍ଷା ଅଫଲାଇନରେ ହେବା ପରେ ବାକି ୩ଟି ପରୀକ୍ଷା ଟ୍ରେଡ ଥିଓରି, ୱାର୍କସପ ସାଇନ୍ସ ଏବଂ କାଲକୁଲେସନ୍ କମ୍ପ୍ୟୁଟରରେ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନେଇ ୩ଟି ପ୍ରାଇଭେଟ୍ ସଂସ୍ଥାଙ୍କୁ ସରକାର ଦାୟିତ୍ବ ଦେଇ ନିଜ ଦାୟିତ୍ଵ ଖସାଇ ଦେଲେ ବୋଲି ଅଲ୍ ଓଡିଶା ପ୍ରାଇଭେଟ୍ ଆଇଟିଆଇ ଆସୋସିଏସନର ସଂପାଦକ ଇଞ୍ଜିନିୟର ଦେବାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଯେଉଁ ୩ଟି ସଂସ୍ଥାକୁ ପିଲାଙ୍କ ପରୀକ୍ଷା କରାଇବା ପାଇଁ ଟେଣ୍ଡର ଦିଆଯାଇଛି ସେମାନେ ହେଲେ ନିମି, ଉଇପ୍ରୋ ଓ ଏନ୍ଏସ୍‌ଇଆଇଟି (ନେସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ)। ବ୍ୟବସ୍ଥା ଅନୁଯାୟୀ ନିମି ପରୀକ୍ଷା ଫି ଆଦାୟ କରିବ। ଏନ୍ଏସ୍ଇ ଆଇଟି ପରୀକ୍ଷା କରିବ ଓ ଉଇପ୍ରୋ ଖାତା ଦେଖି ପରୀକ୍ଷାଫଳ ପ୍ରକାଶ କରିବ। କିନ୍ତୁ ଆଇଟିଆଇ ସିଲାବସରେ କମ୍ପ୍ୟୁଟର ଶିଖାଇବାର ବ୍ୟବସ୍ଥା ନାହିଁ। ଅଷ୍ଟମ ପାସ ଓ ତଦୁର୍ଦ୍ଧ୍ବ ପିଲାମାନେ ଓୟାରମ୍ୟାନ, ଟେଲରିଂ, ବୁକ୍ ବାଇଣ୍ଡର୍‌, ଟ୍ରାକ୍ଟର ମେକାନିକାଲ ଭଳି ପାଠ ଆଇଟିଆଇରେ ପଢ଼ନ୍ତି। ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ପରୀକ୍ଷା କେମିତି ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ସରକାର ଏବେ ସିବିଟି ମାଧ୍ୟମରେ ସେପ୍ଟେମ୍ବର ୩ ରୁ ୯ ତାରିଖ ମଧ୍ୟରେ ପରୀକ୍ଷା କରାଇବାକୁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ରାଜ୍ୟରେ ଦେଢ଼ ଲକ୍ଷରୁ ମାତ୍ର ୮୩୯ ଜଣ ପରୀକ୍ଷା ଦେବାକୁ ଯୋଗ୍ୟ ହୋଇଛନ୍ତି। ଏଭଳି ପ୍ରକ୍ରିୟାରେ ବିଭିନ୍ନ ଘରୋଇ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ରୋଷର ଶିକାର ହେଉଥିବା ବେଳେ ସରକାର ଏହାକୁ ସୁଧାରିବା ବଦଳରେ ହାତ ବାନ୍ଧି ବସିବା ଘଟଣା ପ୍ରତିକ୍ରିୟାର କାରଣ ହୋଇଛି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ବିଭିନ୍ନ ଘରୋଇ ଆଇଟିଆଇ ଅନୁଷ୍ଠାନ ଓ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।