ଅନ୍ଧାରରେ ୬ ବର୍ଷ ଶିଶୁର ଭବିଷ୍ୟତ

ରାୟଗଡ଼ା : ବର୍ଷକ ତଳେ ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ବାପା, ମା’ ଆରପାରିକୁ ଚାଲିଗଲେ। ଏବେ କରୋନାରେ ଆକ୍ରାନ୍ତ ହୋଇ ଜେଜେଙ୍କ ଅକାଳ ମୃତ୍ୟୁ ୬ ବର୍ଷର ଇ. ପ୍ରଣୀତ କୁମାରଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ପୂରା ପରିବାରକୁ ହରାଇ ପ୍ରଣୀତ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିବା ସହ ଏକ ମାତ୍ର ସାହା ଭରସା ଜେଜେମା’ ନାଇଡୁ ଇସାଲୁଙ୍କ ସହ ଦୁଃଖକଷ୍ଟରେ ଦିନ ବିତାଉଛି।

କିଛିଦିନ ତଳେ ପ୍ରଣୀତଙ୍କ ଜେଜେ ନାଇଡ଼ୁ ନୌକେୟାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଜ୍ବର ଲାଗି ରହିବା ପରେ ନୌକୟା କରୋନା ସ୍ବାବ୍‌ ଟେଷ୍ଟିଂ କରିଥିଲେ। ରିପୋର୍ଟ ପଜିଟିଭ୍ ଆସିଥିଲା। ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ନୌକୟା ଚିକିତ୍ସା ପାଇଁ ଜେକେପୁର କୋଭିଡ୍‌ ହସ୍ପି‌ଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମେ ୩୧ ତାରିଖରେ ନୌକୟାଙ୍କ ମୃତ୍ୟୁ ହୋଇଥିଲା। ଜେଜେଙ୍କ ମୃତ୍ୟୁ ପରେ ୬ ବର୍ଷର ପ୍ରଣୀତଙ୍କ ପାଦ ତଳୁ ମାଟି ଖସି ଯାଇଛି। କଅଁଳ ବୟସ‌ରେ ହସ ଖୁସି ବଦଳରେ ବର୍ଷକ ମଧ୍ୟରେ ବାପା, ମା’, ଜେଜେକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏବେ ପ୍ରଣୀତଙ୍କ ଏକ ମାତ୍ର ଆଶ୍ରା ଭାବେ ଜେଜେମା’ ନାଇଡୁ ଇସାଲୁଙ୍କ ପାଖରେ ରହୁଛନ୍ତି। କରୋନାରେ ନୌକୟାଙ୍କ ମୃତ୍ୟୁ ହୋଇଥିବା ଯୋଗୁ ‌ସଂପର୍କୀୟ, ସାହି, ପଡ଼ିଶା ଲୋକ ମଧ୍ୟ ପାଖ ମାଡ଼ୁ ନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରଣୀତଙ୍କ ବାପା ନାଇଡୁ ସନ୍ତୋଷ କୁମାରଙ୍କ ୨୦୧୯ ଏପ୍ରିଲ୍ ୬ ତାରିଖରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ପ୍ରଣୀତଙ୍କ ମା’ ଝାନ୍‌ସୀ ଅସୁସ୍ଥ ହେବା ସହ କିଛି ମାସ ବ୍ୟବଧାନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ। ପରିବାରର ସମସ୍ତଙ୍କୁ ହରାଇ ନିଜ ଭାଗ୍ୟକୁ ଆଦରି ନାଇଡୁ ଇସାଲୁ ନାତି ପ୍ରଣୀତ ସହ ଘରେ ପଡ଼ିରହି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର