ବାଲେଶ୍ବର: ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଆଶା ନେଇ ରାଜନୀତି ମଇଦାନରେ ବେଶ୍ ସକ୍ରିୟ ଥିଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ବିଜେପିର ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଥିଲା। ତେବେ ଯୁବନେତା ମାନସ ଦତ୍ତଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ତାଙ୍କୁ ଆଉ ଦେଖିବାକୁ ମିଳୁନି। ସମାନ ଅବସ୍ଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କର। ବିଜେପି ଛାଡ଼ିବାକୁ ସପ୍ତାହେ ହେଲାଣି, ତାଙ୍କର ବି ଆଉ ସୋର୍ ଶଦ୍ଦ ନାହିଁ। ପରିବର୍ତ୍ତିତ ରାଜନୀତିରେ ଏମାନଙ୍କ ଚେହେରା କ୍ରମଶଃ ଦଳୀୟ କର୍ମୀଙ୍କ ନଜରରୁ ହଟିବାକୁ ଆରମ୍ଭ କଲାଣି।
ବାଲେଶ୍ବର ସଦର ଆସନରେ ଦୁଇଥର ବିଜେଡିରୁ ଓ ଥରେ ବିଜେପିରୁ ନିର୍ବାଚିତ ହୋଇଛନ୍ତି ଜୀବନପ୍ରଦୀପ। ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତଙ୍କଠାରୁ ହାରିଯାଇଥିଲେ ମଧ୍ୟ ୨୦୨୦ରେ ବିଧାୟକ ଶ୍ରୀ ଦତ୍ତଙ୍କ ଅକାଳ ବିୟୋଗ ପରେ ପୁଣି ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିଲେ। ତେବେ ଦଳ ବିରୋଧରେ ଜୀବନଙ୍କର ଏକ ବିବାଦୀୟ ବୟାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ୨୦୨୦ ନଭେମ୍ବରରେ ସେ ବିଜେପିକୁ ଫେରିଥିଲେ। ସେବେଠାରୁ ୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିଲେ ଜୀବନପ୍ରଦୀପ। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ବିଭିନ୍ନ ଜାଗାରେ ନିଜର ବ୍ୟାନର, ହୋର୍ଡିଂ ଲଗାଇଥିଲେ। କିନ୍ତୁ, ମାନସଙ୍କ ପ୍ରାର୍ଥିତ୍ବ ଉପରେ ଦଳ ମୋହର ମାରିବା ପରେ ଜୀବନପ୍ରଦୀପଙ୍କ ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦଳର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କ ବାବଦରେ ନିରୁତ୍ତର ରହିଛନ୍ତି।
ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଜୀବନପ୍ରଦୀପ କହିଛନ୍ତି, ବିଜେପି ପାଇଁ ଏବେ ସେ ଅଲୋଡ଼ା।
ଯଦି ଆବଶ୍ୟକତା ନାହିଁ, ସେ କାହିଁକି ଦଳୀୟ କାର୍ଯ୍ୟକ୍ରମକୁ ଅଯାଚିତ ହୋଇଯିବେ। ତେଣୁ ସେ ନିଜ ବ୍ୟକ୍ତିଗତ କାମରେ ସମୟ ଦେଉଥିବା କହିଛନ୍ତି। ସେପଟେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଗତ ୬ ତାରିଖରେ ବିଜେପି ଛାଡ଼ିଛନ୍ତି। ବସ୍ତା ଆସନରେ ୫ ଥର ବିଧାୟକ ଓ ବିଜେଡି ସରକାରରେ ମନ୍ତ୍ରୀ, ମୁଖ୍ୟ ସଚେତକ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିବା ଶ୍ରୀ ମହାନ୍ତି ୨୦୧୯ରେ ବିଜେପି ଟିକେଟ୍ରୁ ବସ୍ତା ଆସନରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଏଥର ସେ ଜଳେଶ୍ବର ଆସନ ପାଇଁ ଆଶାୟୀ ଥିବାବେଳେ ବିଜେପି ସେଠାରେ ବ୍ରଜମୋହନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ପଦ୍ମ ଛାଡ଼ିବାପରେ ସେ ଖୁବଶୀଘ୍ର ବିଜେଡିକୁ ଫେରିବା ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସପ୍ତାହେ ପୂରିବାକୁ ବସିଥିବା ବେଳେ ରଘୁନାଥ ଏଯାଏ ନିରବ।