କ’ଣ ହେବ ଏ‌ମାନଙ୍କ ଭବି‌ଷ୍ୟତ?

ଅନୁଗୁଳ : ନିର୍ବାଚନ ଶେଷ ହୋଇଛି। ହେଲେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ସହିତ ସଂପୃକ୍ତ ୩ ଜଣ ନେତା ନଳିନୀକାନ୍ତ ପ୍ରଧାନ, ସଂଜୀବ ସାହୁ ଓ ନଗେନ୍ଦ୍ର ପ୍ରଧାନଙ୍କ ଭବି‌ଷ୍ୟତ କ’ଣ ହେବ ? ଆଗାମୀ ଦିନରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ପଦ କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଥଇଥାନ କରାଯିବା ନା’ ସେମାନଙ୍କ ରାଜନୈତିକ ଜୀବନରେ ଯବନିକା ପଡ଼ିବ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି।

ଚଳିତ ନିର୍ବାଚନରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ଦୁଇ ବରିଷ୍ଠ ବିଜେଡି ନେତା ନଗେନ୍ଦ୍ର ପ୍ରଧାନ ଓ ସଂଜୀବ ସାହୁ ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିଲେ। ବିଜେଡି ଏଥର ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କ ଉପରେ ଭରସା କରିପାରିନଥିଲା। ବିଜେଡି ସୁପ୍ରିମୋ ତାଙ୍କ ଟିକେଟ କାଟି ଦେଇଥିଲେ। ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ବି ସେଭଳି ଘଟିଥିଲା। ସଂଜୀବ ବୀରମହାରାଜପୁର ଥରେ ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନଗେନ୍ଦ୍ର ପ୍ରଧାନ ଆଠମଲ୍ଲିକରୁ ୩ ଥର ବିଧାନସଭାକୁ ଯାଇଥିବା ବେଳେ ୨୦୧୪ ନିର୍ବାଚନ ବେଳେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସାଂସଦ ନିର୍ବାଚିତ ହୋଇଥିଲେ। ଟିକେଟ ପାଇବାରୁ ବଂଚିତ ହୋଇଥିବା ବିଜେଡିର ଅନେକ ନେତା ଦଳ ଛାଡ଼ିଥିଲେ। ବ‌ିଜେପିର ଅନେକ ନେତା ମଧ୍ୟ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କି ଥିଲେ। ଦଳ ବଦଳ ପରେ ଦଳ ବିରୋଧରେ ବିଷ ଓଗାଳି ଥିଲେ। ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଏହି ଦୁଇ ଦଳ ବେଶ୍ ଗୁରୁତ୍ବ ଦେଇଥିଲେ। ଦଳର ବିଭିନ୍ନ ପଦରେ ଥଇଥାନ କରାଯାଇଥିଲା। ହେଲେ ସଂଜୀବ ଓ ନଗେନ୍ଦ୍ର କ୍ଷେତ୍ରରେ ସେଭଳି କିଛି ଘଟି ନଥିଲା। ସଂଜୀବଙ୍କ ସ୍ଥାନରେ ବିଜେଡି କଟକ ମହାନଗର ନିଗମର ଅତିରିକ୍ତ କମିସନର ପଦ ଛାଡ଼ି ରାଜନୀତିକୁ ଆସିଥିବା ରମେଶ ଚନ୍ଦ୍ର ସାଏଙ୍କୁ ଦଳ ଟି‌େକଟ ଦେଇଥିଲା। ସେହିପରି ନଗେନ୍ଦ୍ର ଜାଗାରେ ଆଠମଲ୍ଲିକ ବିଧାନସଭା‌ କ୍ଷେତ୍ର ଅନ୍ତର୍ଗତ ତୁରୁଡ଼ା ଗାଁର ସନ୍ତାନ ନଳିନୀକାନ୍ତ ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା।

ନଳିନୀକାନ୍ତ ପୂର୍ତ୍ତ ବିଭାଗର ସଚିବ ଭଳି ଗୁରୁତ୍ବପୂର୍ଣ୍ଣ ପଦରୁ ଅବ୍ୟାହତି ନେଇ ରାଜନୀତିକୁ ଆସିଛନ୍ତି। ଦଳୀୟ କର୍ମୀଙ୍କ ଅନୁସାରେ, ନିର୍ବାଚନ ପ୍ରଚାର ବେଳେ ରମେଶଙ୍କୁ ସଂଜୀବଙ୍କ ଆଦୌ ସହଯୋଗ ମିଳିନଥିଲା। ଏସବୁ ସତ୍ତ୍ବେ ରମେଶ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅବଶ୍ୟ ତାଙ୍କର ଏହି ବିଜୟରେ ନଳିନୀଙ୍କ ବଡ଼ ଭୂମିକା ରହିଥିବା ରମେଶ ନିଜେ ସ୍ବୀକାର କରନ୍ତି। ନଳିନୀଙ୍କ ପରାଜୟ ଗ୍ଲାନିରେ ରମେଶ ବିଜୟ ଉତ୍ସବ ବି ପାଳନ କରି ନାହାନ୍ତି। ତେବେ କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା  ଆସନ ଏଥର ବିଜେପି ପୋଛି ନେଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ନଳିନୀ ବିଜେପିକୁ ବେଶ୍‌ ଟକ୍କର ‌ଦେଇଥିଲେ। ଫଳସ୍ବରୂପ ବିଜୟ ବ୍ୟବଧାନ ଅନ୍ୟ ଆସନ ତୁଳନାରେ ସବୁଠାରୁ କମ୍ ରହିଥିଲା। ଏଥର ୫ ଜଣ ରାଜ୍ୟସଭା ସାଂସଦ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଥିବାରୁ ଆଗାମୀ ଦିନରେ ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିବା ନିଶ୍ଚିତ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ମଧ୍ୟ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ବି ଖାଲି ପଡ଼ିବ। ‌ଆଠମଲ୍ଲିକ ଉପଖଣ୍ଡ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଂଚଳରେ ଆସୁଛି। ନଳିନୀ ଅନ୍ୟ ଦୁଇ ନେତାଙ୍କ ତୁଳନାରେ ରାଜନୀତିରେ ନୂଆ ହୋଇଥିଲେହେଁ ‌େସ ଜଣେ ଦକ୍ଷ ଯନ୍ତ୍ରୀ। ପ୍ରଶାସନ କ୍ଷେତ୍ରରେ ବି ବେଶ୍ ଅଭିଜ୍ଞତା ରହିଛି। ଆଠମଲ୍ଲିକ ମୂଳନିବାସୀ ହୋଇଥିଲେ ବି ତାଙ୍କ ଛାତ୍ର ଓ ଚାକିରୀ ଜୀବନର ଅଧିକାଂଶ ସମୟ ସମ୍ବଲପୁରରେ କଟିଛି। ତେବେ ନିର୍ବାଚନ ସରିବା ସହିତ ବିଜେଡି ଏହି ନେତାମାନଙ୍କୁ ସବୁଦିନ ପାଇଁ ପ‌ାସୋରି ଦେବ ନା ଥଇଥାନ କରାଯିବ, ତାହାକୁ ନେଇ ଏବେ ଅଂଚଳରେ ଚର୍ଚ୍ଚ‌ା ଜୋର ଧରିଛି।

ସମ୍ବନ୍ଧିତ ଖବର