ଅନିଶ୍ଚିତତାରେ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ : ଆଦାୟ ଚାଲିଛି ପରୀକ୍ଷା ଫି’

ବିଳମ୍ବ ହେଲେ ଜରିମାନା ଦେଉଛନ୍ତି ଛାତ୍ରଛାତ୍ରୀ
ସମସ୍ତ ଫି’ ଆଦାୟ ବନ୍ଦ କରିବାକୁ ଏବିଭିପିର ଦାବି

ଭୁବନେଶ୍ୱର : ଯୁକ୍ତ ୩ ଶେଷ ସେମିଷ୍ଟର୍‌ ପରୀକ୍ଷା ହେବ କି ନାହିଁ, ଜଣାନାହିଁ। ବାକି ସେମିଷ୍ଟର୍‌ ପରୀକ୍ଷା ବାତିଲ୍‌ ହୋଇଛି। ଏ ପର୍ଯ୍ୟନ୍ତ ପାଠପଢ଼ା ସ୍ବାଭାବିକ ହୋଇପାରି ନ ଥିବା ବେଳେ ଆସନ୍ତା ସେମିଷ୍ଟର୍‌ ପରୀକ୍ଷା କେବେ ହେବ, ତାହା ବି କାହାକୁ ଜଣା ନାହିଁ। ତା’ ପରେ ବି ରାଜ୍ୟର କେତେକ ଡିଗ୍ରି କଲେଜ ପରୀକ୍ଷା ଲାଗି ଫର୍ମ ପୂରଣ କରି ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରୁଛନ୍ତି। କେବଳ ଯେ ପରୀକ୍ଷା ଫି’ ଆଦାୟ କରାଯାଉଛି, ତାହା ନୁହେଁ। ମୂଲ୍ୟାୟନ ଫି’, ଆଡମିଟ୍‌ କାର୍ଡ ଫି’, କମ୍ପ୍ୟୁଟର ଫି’, ସାର୍ଟିଫିକେଟ୍‌ ଫି’ ଆଦି ଆଦାୟ ହେଉଛି। ଛାତ୍ରଛାତ୍ରୀ ପ୍ରତିବାଦ କଲେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ବୁଝାଇ ଦିଆଯାଉଛି। ଯେଉଁମାନେ ଅଧିକ ମୁହଁ ଖୋଲୁଛନ୍ତି, ସେମାନଙ୍କୁ ଧମକ ଦିଆଯାଉଛି। ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରି କଲେଜରେ ଏଭଳି ସ୍ଥିତି ଉପୁଜିଥିବା‌ରୁ ଛାତ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି। କଲେଜ, ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଘଟଣାରେ ହକ୍ଷକ୍ଷେପ କରିବାକୁ ନିବେଦନ କରିଛନ୍ତି।

କଟକସ୍ଥିତ ଏକ ଡିଗ୍ରି କଲେଜର ଜଣେ ଛାତ୍ର କହିଛନ୍ତି ଯେ ସେମିଷ୍ଟର୍‌ ପରୀକ୍ଷା କେବେ ହେବ ଜଣା ନାହିଁ। ଆମେ ଏବେ ସନ୍ଦେହଘେରରେ ଅଛୁ। କରୋନା ପରିସ୍ଥିତି ଯୋଗୁଁ ପରିବାରର ଆର୍ଥିକ ପରିସ୍ଥିତି ଖରାପ ଆଡ଼କୁ ଗତି କରୁଛି। ଏଭଳି ସମୟରେ କଲେଜ ପରୀକ୍ଷା ଫି’ ବାବଦରେ ଫର୍ମ ପୂରଣ ଲାଗି ଦୁଇ ହଜାର ଟଙ୍କା କେଉଁଠୁ ଆଣିବୁ। ଯେଉଁମାନେ ଫର୍ମ ପୂରଣ କରୁଛନ୍ତି, ସେମାନଙ୍କୁ ରସିଦ୍‌ ଦିଆଯାଉନାହିଁ। କୋଭିଡ୍‌-୧୯ ପରିସ୍ଥିତିରେ ଆମକୁ ଶୋଷଣ କରାଯାଇ ଫି’ ସହ ଜରିମାନା ମଗାଯାଉଛି। ଏହି ଫର୍ମ ପୂରଣ କଲେଜ କରୁଛି କି ବିଶ୍ବବିଦ୍ୟାଳୟ କରୁଛି, ଆମକୁ ସୂଚନା ଦିଆଯାଉନାହିଁ। ଏହି ମହାମାରୀ ସମୟରେ ଫର୍ମ ପୂରଣ ବନ୍ଦ କରାଯାଉ। ଯେଉଁ କଲେଜଗୁଡ଼ିକ ବେଆଇନ ଭାବେ ଫି’ ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଅନ୍ୟପକ୍ଷରେ ଫି’ ଆଦାୟକୁ ନେଇ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଓଡ଼ିଶା ଶାଖା ଆଜି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି। ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ କୋଭିଡ୍‌-୧୯ ମାହାମାରୀ ଯୋଗୁଁ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରୁନାହାନ୍ତି। ଅନ୍‌ଲାଇନ୍‌ ଶିକ୍ଷା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ରାଜ୍ୟ ସରକାର ସ୍ନାତକୋତ୍ତର ପ୍ରଥମ ବର୍ଷର ପରୀକ୍ଷା ବାତିଲ କରିଛନ୍ତି। ଶେଷବର୍ଷର ପରୀକ୍ଷା ହେବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। ତା’ ପରେ ବି ସ୍ନାତକତ୍ତୋର ରେଗୁଲାର୍ ଓ ସେଲ୍ଫଫାଇନ୍ସିଂ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫି’ ଓ ଅତିରିକ୍ତ ଦେୟ ମାଗିବା ଠିକ୍‌ ନୁହେଁ। ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଛାତ୍ରଛାତ୍ରୀ ଶୁଳ୍କ ଦେବା କଷ୍ଟଦାୟକ। ତେଣୁ ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସହାନୁଭୁତି ପୂର୍ବକ ଏ ବିଷୟରେ ବିଚାର କରନ୍ତୁ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ଦେୟ ଛାଡ଼ କରନ୍ତୁ। ଉତ୍କଳ ସମେତ ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟ ନେଇଥିବା ଫି’ ଫେରସ୍ତ କରନ୍ତୁ। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ‌ଦେଇଛନ୍ତି।

ସମ୍ବନ୍ଧିତ ଖବର