ଜିଏମ୍‌ କନିଷ୍ଠ କଲେଜରୁ ୮ ଅଧ୍ୟାପକଙ୍କ ବଦଳିର ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ପ୍ରିନ୍ସପାଲଙ୍କୁ ଘେରିଲେ

ସମ୍ବଲପୁର : ସମ୍ବଲପୁର ଜିଏମ୍‌ କନିଷ୍ଠ କଲେଜରେ ବିନା ବିକଳ୍ପରେ ଏକାସାଙ୍ଗେ ୮ ଅଧ୍ୟାପକଙ୍କ ବଦଳି ହୋଇଥିବାରୁ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ-ଶହ ଛାତ୍ରଛାତ୍ରୀ। ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଜିଏମ୍‌ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିବା ସହ ପ୍ରିନ୍ସପାଲଙ୍କୁ ଘେରାଉ କରିଛନ୍ତି। ଏହାପରେ ଅଧ୍ୟାପକ ବଦଳି ବାତିଲ ଦାବି ନେଇ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କୁ ଦେଇଛନ୍ତି।

୪ ମାସ ପରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଜାନୁଆରି ମାସରେ ପ୍ରାକ୍ଟିକାଲ ପରୀକ୍ଷା। ଏଭଳି ସ୍ଥିତିରେ ଏକାସାଙ୍ଗେ ୮ ଅଧ୍ୟାପକଙ୍କ ବଦଳି ହେଲେ ପାଠପଢ଼ା କିଭଳି ହେବ? ଏହି ପ୍ରଶ୍ନ କରି ପୂର୍ବାହ୍ନ ପ୍ରାୟ ୧୦ଟାରେ ଜିଏମ୍‌ କନିଷ୍ଠ କଲେଜର ଶହ-ଶହ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପୂର୍ବରୁ କନିଷ୍ଠ କଲେଜରେ ୪୪ ପଦରେ ୩୫ ଅଧ୍ୟାପକ ଅଛନ୍ତି। ବର୍ତ୍ତମାନ ଆଉ ୮ ଅଧ୍ୟାପକଙ୍କ ବଦଳି ପରେ ଖାଲି ପଦ ସଂଖ୍ୟା ୧୭ରେ ପହଞ୍ଚିଥିବାରୁ ଛାତ୍ରଛାତ୍ରୀମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ କରି ପଶ୍ଚିମାଞ୍ଚଳ ଏକତା ମଞ୍ଚର କର୍ମକର୍ତ୍ତାମାନେ ବି କଲେଜରେ ପହଞ୍ଚିଥିଲେ। ପ୍ରିନ୍ସପାଲଙ୍କ ସହିତ ଛାତ୍ରଛାତ୍ରୀଙ୍କ ଆଲୋଚନା ହୋଇଥିଲା। ଉଚ୍ଚ ଶିକ୍ଷା ବିଭାଗର ଆଦେଶ ଯୋଗୁଁ ବଦଳି ହୋଇଛି, ସେହି ଦୃଷ୍ଟିରୁ ସେ ସେମାନଙ୍କୁ ରିଲିଭ୍‌ କରିବାକୁ ବାଧ୍ୟ ବୋଲି ଅଧ୍ୟକ୍ଷ କହିବାରୁ ସ୍ଥିତି ଉତ୍ତେଜନାମୂଳକ ହୋଇଥିଲା। ଛାତ୍ରଛାତ୍ରୀମାନେ ଏକ ରାଲିରେ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର କର୍ମକର୍ତ୍ତାମାନେ ଏକ ଦାବିପତ୍ର ଦେଇଥିଲେ। ଖରାରେ କନିଷ୍ଠ କଲେଜରୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବିଦ୍ୟାର୍ଥୀମାନେ ରାଲିରେ ଆସିବା ସମୟରେ ଜଣେ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ଚେତା ଫେରିଥିଲା।

ସମ୍ବନ୍ଧିତ ଖବର