ଘୁ.ଉଦୟଗିରି : ଘୁ.ଉଦୟଗିରି ଏନ୍‌ଏସିର ୬ ନମ୍ବର ୱାର୍ଡ଼ର କାଉନ୍‌ସିଲର ପଦ ନିମନ୍ତେ ଗୁରବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ଵରୀ ନାୟକ ବିଜୟୀ ହୋଇଛନ୍ତି।  ସେ ସମୁଦାୟ ୬୫ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ୱାଧୀନ ପ୍ରାର୍ଥୀ ରାଖଲ ନାୟକ ୫୩ଟି ଭୋଟ  ଓ  କଂଗ୍ରେସ ପ୍ରାର୍ଥୀ କୁଞ୍ଜବିହାରି ନାୟକ ୧୪ଟି ଭୋଟ,  ଭାଜପା ପ୍ରାର୍ଥିନୀ ସୁଜାତା ନାୟକ ମାତ୍ର ଗୋଟିଏ ଭୋଟ ପାଇଛନ୍ତି।  ୬ ନମ୍ବର ୱାର୍ଡର ସମୁଦାୟ ୧୯୮ ଜଣ ଭୋଟରଙ୍କ ମଧ୍ୟରୁ ୧୩୩ ଜଣ ମତଦାନ କରିଥିଲେ।  ଆଜି ନିର୍ବାଚନ ଫଳ  ପ୍ରକାଶ ପାଇବା ପରେ  ବିଜେଡିର  ସିଦ୍ଧେଶ୍ଵରୀ ନାୟକଙ୍କୁ ନିର୍ବାଚନ ଅଧିକାରୀ ଶୁଭ୍ରଞ୍ଜଳୀ ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି। ବିଜେଡିର ବିଜୟ ପରେ ବିଜୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।  ଶୋଭାଯାତ୍ରାରେ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ନଗର ସଭାପତି ଗୋପାଳ ମହାପାତ୍ରଙ୍କ ସହିତ ଦଳୀୟ କାଉନସିଲ୍‌ର ଓ  କର୍ମକର୍ତ୍ତାଗଣ ସାମିଲ ହୋଇଥିଲେ। ନବ ନିର୍ବାଚିତ କାଉନ୍‌ସିଲରଙ୍କୁ ବିଧାୟକ ସାଲୁଗା ପ୍ରଧାନ, ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ସମେତ ସମସ୍ତ ଦଳୀୟ  ନେତା ଶୁଭେଚ୍ଛା ଜଣାଇଛନ୍ତି।

Advertisment

ପୂର୍ବରୁ ଏହି ୱାର୍ଡ଼ ବିଜେଡି ଦଖଲରେ ରହିଥିବା ବେଳେ  ପୁଣି ଥରେ ଗଡ ରକ୍ଷା କରିବାରେ ସଫଳ ହୋଇଛି । କିନ୍ତୁ ବିଜେପି ଭଳି ଜାତୀୟ ଦଳ ପ୍ରାର୍ଥୀ ଏହି ଉପନିର୍ବାଚନରେ ଗୋଟିଏ ଭୋଟ ପାଇବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।