ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଟିକାବାଲି, ରାଇକିଆ, ସାରଂଗଡ଼ ସମେତ ଘୁ.ଉଦୟଗିରି ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ତିନି ଦିନ ଭିତରେ ତାପମାତ୍ରା ୧୧ଡିଗ୍ରିରୁ ଆଜି ୭ଡିଗ୍ରିକୁ ଖସି ଆସିଛି। ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୭ଡିଗ୍ରି ତକକୁ ପାରଦ ଖସି ୬.୩ରହୁଥିବା ଜଣାପଡିଛି।। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ୍ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରଷା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରସା।
ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନୀୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀ ମାନେ ରାତିସାରା ବସକୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଛକ ମାନଙ୍କରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।
ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି। ସକାଳୁ ଚା’ ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି।ସୂର୍ଯ୍ୟ କିରଣ ପଡିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି। ସକାଳୁ ପାଣିକୁ ହାତ ଦେଇହଉନାହିଁ। ପାଣି ଜାଡ଼ି କି ରହୁଛି। ଥଣ୍ଡା ପଡିବା ପରେ ଗରମ ପାଣି ଭରଷାରେ ଲୋକ ଜୀବନ କାଟୁଛନ୍ତି। ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି। ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି।