ଘୁ.ଉଦୟଗିରି: ଶିଳ୍ପ ଓ ରେଳ ବିହୀନ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ପ୍ରକୃତି ଖୁନ୍ଦି ଦେଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଘଞ୍ଚ ଜଙ୍ଗଲ, ସୁଉଚ୍ଚ ପାହାଡ଼-ପର୍ବତ ସାଙ୍ଗକୁ ଝରଣା, ଜଳପ୍ରପାତ ସହ ଘଞ୍ଚ ଶାଳ-ପିଆଶାଳ, ପାଇନ, ଝାଉଁବଣ ଭଳି ଅତି ସୁନ୍ଦର ସ୍ଥାନ। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସୁବିନିଯୋଗ କରାନଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ହୋଇପାରୁନଥିବା ଦେଖୁବାକୁ ମିଳିଛି। କାମଧନ୍ଦା ଅଭାବରୁ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ଦାଦନ ମୁହାଁ। ନିଜ ଭିଟାମାଟି ଛାଡି କେରଳ, ତାମିଲନାଡୁ, ସୁରଟ, ବେଙ୍ଗାଲୁରୁ ଭଳି ସ୍ଥାନକୁ ନିଜ କର୍ମସଂସ୍ଥାନ ଭାବେ ବାଛି ନେଇଛନ୍ତି।
ଘୁ.ଉଦୟଗିରି ବ୍ଲକ ଜଙ୍ଗଲ, ପାହାଡ଼ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଥିବା ଯୋଗୁଁ ଏହା ସବୁବେଳେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ସାରା ରାଜ୍ୟରେ ଘୁ.ଉଦୟଗିରି ଥଣ୍ଡାର ସହର ଭାବେ ପରିଚିତ। ଥଣ୍ଡାକୁ ମନଭରି ଉପଭୋଗ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ମଜା ନେବା ନିମନ୍ତେ ନୂଆବର୍ଷ ଭୋଜି କରିବା ପାଇଁ ଘୁ.ଉଦୟଗିରି ସହର ନିକଟରେ ଥିବା କଳିଙ୍ଗା ଘାଟି, କଳିଙ୍ଗା ବୋଟେନିକାଲ ଗାର୍ଡେନ୍, କଳିଙ୍ଗା ପାଇନ୍ ଜଙ୍ଗଲ, କଳିଙ୍ଗା ଶାଳବଣ, ମୁକୁଲିଙ୍ଗିଆସ୍ଥିତ କାଲିଗାଡୁ ହିଲ୍ ଟପ୍ ଏବଂ ସିର୍କି ଇକୋ ପାର୍କରେ ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଜି ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଏହି ସ୍ଥାନକୁ ଆସି ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବା ସହ କଳିଙ୍ଗା ଘାଟିରେ ବିଭିନ୍ନ ସ୍ଥାନରେ ଫୋଟ ଉଠେଇ ତାର ନିଆରା ମଜା ନେଇଥିବା ଦେଖିବାକୁ ମିଳିଛ। ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଆକୃଷ୍ଟ କରୁଛି କିନ୍ତୁ ଏହି ସୌନ୍ଦର୍ଯ୍ୟ ପୂର୍ଣ ସ୍ଥାନରେ ପର୍ଯ୍ୟଟଙ୍କ ପାଇଁ କୌଣସି ମୌଳିକ ସୁବିଧା ନଥିବା ହେତୁ ପର୍ଯ୍ୟଟକମାନେ ପର୍ଯ୍ୟଟନ କ୍ଷେତ୍ର ପ୍ରତି ମୁଁହ ମୋଡୁଛନ୍ତି।
ଦୁଃଖ ଓ ପରିତାପର ବିଷୟ ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ରାତ୍ରି ଯାପନ ସହ ଅନ୍ୟାନ୍ୟ ସୁବିଧା ସରକାରଙ୍କ ତରଫରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ।। ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ କରିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଓଡ଼ିଶା ପ୍ରସିଦ୍ଧ କଳିଙ୍ଗାରେ ଥିବା ପର୍ଯ୍ୟଟନ ସ୍ଥଳୀ ଏବଂ ପିକନିକ ସ୍ପଟ୍ ଗୁଡ଼ିକର ବିକାଶ ନିମନ୍ତେ ସରକାର ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଯୁବପିଢିଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବା ସଙ୍ଗେ ସଙ୍ଗେ ପର୍ଯ୍ୟଟନ ଶିଳ୍ପ ବେକାରୀ ସମସ୍ୟା ଦୂର କାରବାର ସହାୟକ ହୋଇପାରନ୍ତା।