ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗାଁ ସାଥୀ(ମେଟ୍) ଓ ଜବ୍କାର୍ଡଧାରୀମାନଙ୍କୁ ଉଚିତ‌୍ ନ୍ୟାୟ ପ୍ରଦାନ ଦାବି ନେଇ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖିଛି ଓଡ଼ିଶା ପ୍ରଦେଶ ଗାଁସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ସଂଘର ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ଏକାଧିକ ଚିଠି ଓ ନିର୍ଦ୍ଦେଶନାମାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବେଖାତିର କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ଜବକାର୍ଡଧାରୀଙ୍କୁ ଦୈନିକ ୩୦୩ଟଙ୍କା ମଜୁରୀ ମିଳୁଥିବା ବେଳେ ମୟୂରଭଞ୍ଜରେ ୩ଟି ବ୍ଲକକୁ ବାଦ ଦେଇ ଅବଶିଷ୍ଟ ୨୩ଟି ବ୍ଲକରେ ଅଦ୍ୟାବଧି ୨୦୭ ଟଙ୍କା ଦୈନିକ ମଜୁରୀ ଦିଆଯାଉଛି । ସେହିପରି ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷରେ ୨ଶହ ଦିନ କାର୍ୟ୍ୟ ଯୋଗାଇ ଦିଆଯାଉଥିବା ବେଳେ ମୟୂରଭଞ୍ଜରେ ଶହେ ଦିନର କାର୍ୟ୍ୟ ମିଳୁଛି । ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତିରେ ସିମୀତ ରହିଛି କାର୍ଯ୍ୟାନୁଷ୍ଠାନ।

ଏଣୁ ନିଜର ହକ୍ ଓ ନ୍ୟାୟ ଦାବିକୁ ହାସଲ କରିବା ନିମନ୍ତେ ଓଡ଼ିଶା ପ୍ରଦେଶ ଗାଁସାଥୀ(ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟିର ମୟୂରଭଞ୍ଜ ଶାଖା ପକ୍ଷରୁ ଗୁରୁବାରଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ। ଦାବୀ ପୂରଣ ନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ଏନେଇ ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନ କାର୍ୟ୍ୟାଳୟରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର