ଜାଗା ମିଶନ ନାଁରେ ବସ୍ତିବାସିନ୍ଦାଙ୍କୁ ଧୋକା: ଆର୍‌ଏମ୍‌ସି ଘେରିଲେ ଗାଢ଼ାଟୋଲାବାସିନ୍ଦା

ରାଉରକେଲା: ନିର୍ବାଚିତ ପ୍ରତିନିଧି ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ବିଭାଗୀୟ ଅଧିକାରୀ ମନଇଛା କାମ କରୁଛନ୍ତି। ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠିରକୁ ହରିଲୁଟ୍‌ କରିବାକୁ ମସୁଧା ଚଳାଇଛନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଗାଢ଼ାଟୋଲା ବସ୍ତି ଏହାର ଜ୍ବଳନ୍ତ ଉଦାହରଣ। ଜାଗା ମିଶନ ନାଁରେ ବସ୍ତିରେ ବିକାଶମୂଳକ କାମ ହୋଇଛି। ଯେତିକି କାମ ହୋଇଛି, ତା’ଠାରୁ ଢ଼େର ଦୁର୍ନୀତି ହୋଇଛି। ଏମିତି ଅଭିଯୋଗ ଆଣିଛନ୍ତି ବସ୍ତିର ମହିଳା। ବସ୍ତିରର ବିକାଶ ପାଇଁ ବସ୍ତି ଉନ୍ନୟନ ସଂଘ (ଏସ୍‌ଡିଏ) ଗଠନ ହୋଇଛି।

ବିଡମ୍ବନା, ଏ ସଂକ୍ରାନ୍ତରେ ବସ୍ତିର ୮୦%  ମହିଳା ଜାଣିନାହାନ୍ତି। ବସ୍ତିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ଅଛନ୍ତି। କାହାକୁ  ନ ଡାକି କମିଟି ଗଠନ କରାଯାଇଛି। ତେଣୁ ବସ୍ତିର ଏସ୍‌ଡିଏ ପୁନର୍ଗଠନ ଦାବିରେ ଆଜି ବସ୍ତିର ଶତାଧିକ ମହିଳା ଆର୍‌ଏମ୍‌ସି ଅଫିସ୍‌ ଘେରାଉ କରିଥିଲେ। ପୁଷ୍ପା ଲେଙ୍କା, ରମେଶ କୁମାର ବଳଙ୍କ ନେତୃତ୍ବରେ ମହିଳାମାନେ ଆର୍‌ଏମ୍‌ସି ଡେପୁଟି କମିସନର ସୁଧାଂଶୁ ଭୋଇଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ବସ୍ତିରେ ଏସ୍‌ଡିଏ ଗଠନ କରିବାକୁ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ବସ୍ତିରେ ଏସ୍‌ଡିଏ ପୁନର୍ଗଠନ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି  ରହିବ ବୋଲି ପୁଷ୍ପା ଲେଙ୍କା କହିଛନ୍ତି। ଦାବିପତ୍ରରେ ଦର୍ଶାଇଛନ୍ତି, ବସ୍ତିରେ ସୌଭାଗ୍ୟ ଲକ୍ଷ୍ମୀ ମହାସଂଘକୁ ଅବହେଳା କରାଯାଇଛି।

ସରକାର ଏସ୍‌ଏଚ୍‌ଜି ଗ୍ରୁପଙ୍କ ପାଇଁ କୋଟି କୋଟି ଟଙ୍କା ଘୋଷଣା କରିଛନ୍ତି। ସେ ଟଙ୍କା କୁଆଡେ ଯାଉଛି ?  ଆର୍‌ଏମ୍‌ସିରେ ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ରାଜନୀତିକରଣ କରାଯାଉଛି। ସମ୍ପର୍କୀୟ ଓ ଜଣାଶୁଣା ଏସ୍‌ଏଚ୍‌ଜି ଗ୍ରୁପକୁ କାମ ଦିଆଯାଉଛି। କେବଳ ଗାଢ଼ାଟୋଲା ବସ୍ତି ନୁହେଁ ସିଭିଲଟାଉନସିପ୍‌ ମାନଟୋଲା (ବି) ବସ୍ତିରେ  ଶୌଚାଳୟ କୁ ନେଇ ରାଜନୀତି କରାଯାଉଛି। ରାଜନୀତି ଚାପରେ ବଶବର୍ତ୍ତୀ ନ ହୋଇ ବସ୍ତିର ବିକାଶ ସହ ସମସ୍ତ କାମର ସ୍ବଚ୍ଛତା ଅବଲମ୍ବନ କରିବାକୁ ପୁଷ୍ପା ଲେଙ୍କା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର