ଗଡ଼କରୀ, ଉମାଭାରତୀଙ୍କ ପ୍ରଚାର, ଡବଲ ଇଞ୍ଜିନ୍ କଥା ବି କହିଲେ

ଯାଜପୁର/ଆନନ୍ଦପୁର/ କଟକ-ମହାନଦୀବିହାର : ବିଜେପି ପାଇଁ ଆଜି ପ୍ରଚାର ଜୋର୍‌ଦାର୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓ ଉମାଭାରତୀ। ଶ୍ରୀ ଗଡ଼କରୀ ଯାଜପୁର ଓ କେନ୍ଦୁଝରଠାରେ ଆୟୋଜିତ ବିଜେପି ସଂକଳ୍ପ ସଭାରେ ଯୋଗ ଦେଇଥିବାବେଳେ ଉମାଭାରତୀ କଟକ ମହାନଦୀବିହାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହିତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହିତ, ଡବଲ୍‌ଇଞ୍ଜିନ ସରକାର ପାଇଁ ଆହ୍ବାନ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଯାଜପୁର ନିର୍ବାଚନମଣ୍ଡଳୀ ଦଶରଥପୁର ବ୍ଲକ୍‌ ରାମବାଗ ହାଇସ୍କୁଲ ନିକଟ ବାରମରା ପଡିଆ ଏବଂ କେନ୍ଦୁଝର ଜିଲ୍ଲା ଶାଳପଡ଼ାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ।

ଯାଜପୁରର ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟଅତିଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଲେ ଯେ, ଓଡ଼ିଶା ସମେତ ସମଗ୍ର ଦେଶବାସୀ ଏବେ ପଦ୍ମ ମୁହାଁ ହୋଇଛନ୍ତି। ମୋଦୀ ସରକାରଙ୍କ ସ୍ବଚ୍ଛ ଶାସନରେ ଲୋକେ ଭଲ ପାଇବା ଅଜାଡି ଦେଉଛନ୍ତି। ଓଡ଼ିଶାର ଦ୍ରୁତ ବିକାଶ ପାଇଁ ଓଡ଼ିଶାବାସୀ ଡବଲ୍ ଇଞ୍ଜିନ୍ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଚାହୁଁଛନ୍ତି । ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ ପୂର୍ବରୁ ସବିଆଇ ତଦନ୍ତ ନିର୍ଦ୍ଦେଶ ହୋଇଥିବା ବ୍ଲାକ୍‌ରୋଜ୍‌ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବ। ଏଥିସହିତ, ବିରଜାକ୍ଷେତ୍ରକୁ ରେଳସଂଯୋଗ କରାଯିବ ବୋଲି ଶ୍ରୀ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ।

ବିଜେପି ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଶ୍ରୀ ରାୟ କହିଲେ ଯାଜପୁରରେ ଅହଂକାରୀ ଶାସନର ପତନ ହେବା ଆବଶ୍ୟକ। ସ୍ୱାଭିମାନୀ ନିର୍ବାଚନ ମଣ୍ଡଳୀବାସୀ ଆସନ୍ତା ନିର୍ବାଚନରେ ଉଚିତ ପଦକ୍ଷେପ ନେବେ ବୋଲି ଆହ୍ବାନ ଦେଇଥିଲେ। ସେହିପରି ଆନନ୍ଦପୁର ନିର୍ବାଚନମଣ୍ଡଳୀର ଶାଳପଡ଼ା ସଭାରେ ଶ୍ରୀ ଗଡ଼କରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମଗ୍ର ଦେଶରେ ବିକାଶର ଯୁଗ ଆରମ୍ଭ ହୋଇଛି। ପୂର୍ବରୁ ୟୁପିଏ ସରକାର ଅମଳରେ ଦିନକୁ ମାତ୍ର ଦୁଇ ଦୁଇ କିଲୋମିଟର ରାଜପଥ ନିର୍ମାଣ ହେଉଥିଲା। ଏବେ ଦିନକୁ ୩୪ କିଲୋମିଟର ରାଜପଥ ନିର୍ମାଣ ହେଉଛି। ତାଳଚେରଠାରୁ ପାରାଦୀପ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ବୋଲି କହିଥିଲେ ଶ୍ରୀ ଗଡ଼କରୀ।

କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଘସିପୁରା ପ୍ରାର୍ଥୀ ପୃଥ୍ବୀରାଜ କୁଅଁରଙ୍କୁ ଭୋଟ୍ ଦେବାକୁ ଆହ୍ବାନ ଦେଇଥିଲେ। ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ପ୍ରମୁଖ ଭାଷଣ ଦେଇ କେନ୍ଦୁଝର ଜିଲ୍ଲା ଓ ଆନନ୍ଦପୁରରେ କେବଳ ପଦ୍ମଫୁଲ ଫୁଟିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

କଟକର ମହାନଦୀବିହାରରେ ଆୟୋଜିତ ସଭାରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରି ରାଜ୍ୟର ବିକାଶ କରିବାକୁ ଓଡିଶା ଏବଂ ପଶ୍ଚିମବଙ୍ଗ ଜାଣିଶୁଣି ବ୍ୟତିକ୍ରମ ସୃଷ୍ଟି କରୁଛନ୍ତି। ତେଣୁ ଓଡ଼ିଶାରେ ବେକାରୀ, ଭ୍ରଷ୍ଟାଚାର ବଢିବା ସହ ରାଜ୍ୟର ବିକାଶ ସମ୍ଭବ ହୋଇପାରୁ ନାହିଁ। ମହାନଦୀ ଜଳ ବଣ୍ଟନ କ୍ଷେତ୍ରରେ ଓଡିଶା ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବୈଠକ ରେ ସହମତି ପ୍ରକାଶ କରିଥିବା ବେଳେ ଜଣେ ଅଫିସରଙ୍କ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା। ଓଡିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବାର ଆବଶ୍ୟକତା ରହିଛି ବୋଲି ଉମା ଭାରତୀ କହିଥିଲେ। ଏହି ସମାବେଶରେ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତି, ବରିଷ୍ଠ ବିଜେପି ନେତା ବିନୋଦ ଦାସ, ପ୍ରଦୀପ ପଟ୍ଟନୟକ, କିସନଲାଲ ଅଗ୍ରୱାଲ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ନୂଆବଜ଼ାର ମଣ୍ଡଳ ସଭାପତି ଭାଗିରଥୀ ଦଳାଇ ସଭାପତିତ୍ୱ କରିଥିବା ବେଳେ ଜଗଦାନନ୍ଦ ତ୍ରିପାଠୀ, ସଞ୍ଜୟ କୁମାର ଜେନା, ତୀର୍ଥବାସୀ ବେହେରା, ଗଙ୍ଗାଧର ସାହୁ(ବାବୁଲି), ଜୟଦେବ ପୃଷ୍ଟି, ମାନସ ମହାନ୍ତି, ହରପ୍ରିୟ ଧଳ, ଦୀପ୍ତି ସ୍ୱାଇଁ, ଦେବାଶିଷ ମହାନ୍ତି, ପ୍ରତାପ ତ୍ରିପାଠୀ, ଶିବାସିଷ ଦାସ, ସୁରେଶ ସାମଲ, ମନୋରଂଜନ ସାହୁ, ଆଶିଷ ମହାନ୍ତି, ଧର୍ମେନ୍ଦ୍ର ଭୁକ୍ତା, ସେକ ସୋହେଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର