ଭୁବନେଶ୍ବର: ବିଜେପି ଶାସନରେ ଓଡ଼ିଶା ବିକାଶ ପଥରେ ଆଗେଇଛି। ସବୁ କ୍ଷେତ୍ରରେ ବିକାଶ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଆବଶ୍ୟକ। ଏବେ ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ଚାଲିଥିବାବେଳେ ଆସନ୍ତା ୨ବର୍ଷରେ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଯାଉଛି। ଓଡ଼ିଶାର ଜାତୀୟ ରାଜପଥକୁ ଆମେରିକା ଭଳି କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।  ଖୁବ୍‌ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କ‌ା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଓଡ଼ିଶା ସରକାର ନୂଆ ଜାତୀୟ ରାଜପଥ, ରାଜପଥ ସମ୍ପ୍ରସାରଣ, ଫ୍ଲାଏଓଭର୍‌ ନେଇ ଯେତେ ପ୍ରସ୍ତାବ ଦେବେ ସବୁ ମଞ୍ଜୁର କରାଯିବ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଥିବା ୧୩ଟି ପ୍ରକଳ୍ପକୁ ଶ୍ରୀ ଗଡ଼କରୀ ଏହି ମଞ୍ଚରୁ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ୯୦୨୩କୋଟି ଖର୍ଚ୍ଚ ହେବ। 

Advertisment

ସେଗୁଡ଼ିକ ହେଲା ୪ଲେନ୍ ବିଶିଷ୍ଟ ୬୮କିମିର କନକତୋରା-ଝାରସୁଗୁଡ଼ା ରାସ୍ତା, ବଡ଼ରମା ବନ୍ୟପ୍ରାଣୀ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ୨୭କିମି ରାସ୍ତା, ପୁରୀ-କୋଣାର୍କ ୨୫କିମିର ଲିଙ୍କ୍‌ ରୋଡ୍‌, ଭଞ୍ଜପୁର-ତେଲବଣୀ ୨୫କିମିର ୪ ଲେନ୍‌ ରାସ୍ତା, ମୋହନାରୁ - କୋରାପୁଟ ୨୦୨କିମିର ୨ଲେନ୍ ରାସ୍ତା, କୋଟାରୁ-ମୋଟୁ ୧୮୬କିମି ରାସ୍ତା, ଦେବଗଡ଼-ଖେରାପଲ୍ଲୀ ୭୧କିମିର ୨ଲେନ୍ ରାସ୍ତା, ଅଙ୍ଗ ନଦୀ ଉପରେ ୨କିମିର ୨ ଲେନ୍‌ ବିଶିଷ୍ଟ ସେତୁ, ପୋଡ଼ାମାରି-ମୋହନା ୨୯କିମିର ୨ଲେନ୍ ରାସ୍ତା, କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ୨କିମିର ସେତୁ,  ସୋନପୁରରେ ୨ ଲେନ୍‌ ବିଶିଷ୍ଟ ୯କିମିର ବାଇପାସ୍‍, ଆସ୍କା ସହରରେ ୨ ଲେନ୍‌ ବିଶିଷ୍ଟ ୧୧କିମିର ବାଇପାସ୍‍, କୋଲାବିରାରେ ୨ ଲେନ୍‌ ବିଶିଷ୍ଟ ୫କିମି ବାଇପାସ୍‍ ରୋଡ୍।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସବୁ ଜିଲ୍ଲାରେ ଶିଳ୍ପ କରିବାକୁ ନିଷ୍ପତ୍ତି ହୋଇଥିବାରୁ ସେହି ଅନୁଯାୟୀ ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯିବ। ଡବଲ୍‌ ଇଞ୍ଜିନ୍‌ ସରକାରରେ କେମିତି ବିକାଶ ହୁଏ ରାଜ୍ୟବାସୀ ଦେଖି‌ବେ। ଗତ ସରକାର କେବଳ କାଗଜରେ ଯୋଜନା କରୁଥିଲେ। ଆମେ ଯାହା କହିବୁ, ତାହା କରିବୁ। ରାଜ୍ୟ ରାଜପଥ ପ୍ରାଧିକରଣ ଅଧୀନରେ ଆମେ ୭୦ହଜାର କିମିର ରାସ୍ତା ନିର୍ମାଣ କରିବାକୁ ଯାଉଛୁ। ଭୁବନେଶ୍ବର-ପୁରୀ ରାସ୍ତାକୁ ୮ଥାକିଆ କଲେ ଆ‌ମକୁ ୧୦୦ବର୍ଷ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡ଼ିବନି। କୋଷ୍ଟାଲ୍‌ ହାଇୱେ ଦୁଇଥାକିଆ ହେବାର ଅଛି, ଏହାକୁ ୪ ଥାକିଆ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଥିଲେ, ଆଜି ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଓଡ଼ିଶାରେ ଯେଉଁ ବିକାଶର ଜୟଯାତ୍ରା ଚାଲିଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ସବୁଠୁ ଅଧିକ ଅବଦାନ ନୀତିନ ଗଡ଼କରୀଙ୍କର ଅଛି। 

ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ୟାପିଟାଲ୍‌ ରିଜିଅନ୍‌ ରିଂ ରୋଡ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ‌ଭୂଷଣ ଜେନା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ବହୁ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୯୦୫କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ନୂଆ ଜାତୀୟ ରାଜପଥ, ଦୁଇ ଥାକିଆରୁ ଚାରିଥାକିଆ, ଚାରି ଥାକିଆରୁ ୬ ଥାକିଆ ରାସ୍ତା ନିର୍ମାଣ ହେବ। ପ୍ରାୟ ୧୦୫କିମି ରାସ୍ତା ନିର୍ମାଣ ହେବ। ସେହିପରି ୪୨୭କୋଟି ଟଙ୍କାରେ ୪.୮୨କିମିର ୪ଟି ଫ୍ଲାଏଓଭର ପାଇଁ ଶିଳାନ୍ୟାସ, ୮୪୫କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୫୯ ଏବଂ ଜାତୀୟ ରାଜପଥ ୧୩୦ ସିଡିର ୪୪କିମି ରାସ୍ତାକୁ ଲୋକାର୍ପଣ କରିଥିଲେ।

ପୁରୀ ପାଇଁ ବଡ଼ ଯୋଜନା

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପାଇଁ ବଡ଼ ଯୋଜନା କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ, ପୁରୀ-ଭୁବନେଶ୍ବର ରାସ୍ତାକୁ ୬ଥାକିଆ ବଦଳରେ ୮ଥାକିଆ କରାଯାଉ। ଏହାଦ୍ବାରା ଆମକୁ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡ଼ିବନି। ଶ୍ରଦ୍ଧାଳୁମାନେ କମ୍‌ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହା ଉପରେ ଶ୍ରୀ ଗଡ଼କରୀ କହିଥିଲେ, ଏବେ ଭୁବନେଶ୍ବର-ପୁରୀ ରାସ୍ତାକୁ ୬ଥାକିଆ କରିବାକୁ ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ୧୨୦୦ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଛି। ଅଧିକାରୀମାନେ କହୁଥିଲେ ଏହି ରାସ୍ତାର ଦୁଇ ପାର୍ଶ୍ବରେ ଅଧିକ ଘର ଅଛି। ହେଲେ ମୁଁ ଏହି ରାସ୍ତାର ଡିିପିଆର୍‌କୁ ଆଉ ଥରେ ଦେଖିବି। ଭିଡ଼ କମାଇବାକୁ ଯାହା ଆବଶ୍ୟକ ପଡ଼ିବ ତାହା କରିବି। ଏବେ ପୁଣେ ଓ ନାଗପୁରରେ ତିନିଥାକିଆ ରାସ୍ତା ନିର୍ମାଣ ହେଉଛି। ତଳେ ରେଳ ଲାଇନ୍, ବସ୍‌ ଚାଲୁଛି। ତା’ଉପରେ ଦୁଇଟି ଫ୍ଲାଏଓଭର ହୋଇଛି।

ଏହା ଉପରେ ମେଟ୍ରୋ ଚାଲିବା ବ୍ୟବସ୍ଥା ହୋଇଛି। ପୁରୀ ପାଇଁ ଏହିଭଳି ଅଧିକ କ’ଣ ହୋଇପାରିବ ମୁଁ ଦେଖିବି। ଏହାସହ ସେ କହିଛନ୍ତି ଯେ ଏବେ ଡ୍ରୋନ୍ ଟାକ୍ସି, ୱାଟର ଟାକ୍ସି ଆସୁଛି। ଆମକୁ ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ। ନାଗପୁରରେ ପାଇଲଟ୍ ପ୍ରକଳ୍ପ ଭାବେ ଏକଜିକ୍ୟୁଟିଭ୍ ଇଲେକ୍ଟ୍ରିକ୍ ବସ୍‌ ଚାଲିବ। ଏଥିରେ ୧୩୫ଟି ସିଟ୍ ରହିବ। ବିମାନ ଭଳି ସବୁ ସୁବିଧା ମିଳିବ। ଅଧ ମିନିଟ୍‌ରେ ଚାର୍ଜ ହୋଇଯିବ। ମୁଁ ଚାହୁଛି ଓଡ଼ିଶାରେ ଏହି ପ୍ରକଳ୍ପ ଆରମ୍ଭ ହେଉ। ରାଜ୍ୟ ସରକାର କଟକ, ଭୁବନେଶ୍ବରରୁ ପୁରୀକୁ ଏହି ବସ୍‌ ଚଲାନ୍ତୁ। ଏଥିରେ ବି ଡିଜେଲ୍‌ ଚାଳିତ ବସ୍ ତୁଳନାରେ ୩୦% କମ୍ ଖର୍ଚ୍ଚ ହେବ। ଏହାଦ୍ବାରା ରାଜ୍ୟ ସରକାରଙ୍କର ପୁରୀକୁ ନେଇ ଥିବା ଟ୍ରାଫିକ୍ ସମସ୍ୟା ବହୁ ପରିମାଣରେ ସମାଧାନ ହୋଇଯିବ। ମନ୍ତ୍ରଣାଳୟ ପକ୍ଷରୁ ସବୁ ସହଯୋଗ ଯୋଗାଇ ଦିଆଯିବ। ମୁଁ ଯାହା କହେ ତାହା କରେ। କଥା ଦେଇ ଓହରିଯିବା ଲୋକ ନୁହେଁ।

ସିଆର୍‌ଆଇଏଫ୍ ପାଣ୍ଠି ବାବଦକୁ କେନ୍ଦ୍ର ଭାଗ ୮୦୦କୋଟି ଟଙ୍କା ଶୀଘ୍ର ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିବାବେଳେ ଗଡ଼କରୀ ଏହାରୁ ଗ୍ରହଣ କରିଥିଲେ। କହିଥିଲେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା। ଏହା ସହିତ ମୋ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବି। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ। ସାତପଡ଼ା-କୃଷ୍ଣପ୍ରସାଦକୁ ସଂଯୋଗ କରିବା ପାଇଁ ଚିଲିକା ଉପରେ ନିର୍ମାଣ ହେବାକୁ ଥିବା ୮କିମିର ଦୁଇଟି ସେତୁ ପାଇଁ ଖୁବ୍‌ ଶୀଘ୍ର ଡିପିଆର୍ ପ୍ରସ୍ତୁତ ହେବ। ଭୂମିପୂଜନ କରିବାକୁ ସେ ନିଜେ ଆସିବେ ବୋଲି କହିଥିଲେ। ଦେଶରେ ୨୨ଲକ୍ଷ ଡ୍ରାଇଭରଙ୍କ ଅଭାବ ଅଛି। ଆଇବିଟିଆର୍‌ରେ ୧୭କୋଟି, ଆର୍‌ଟିଡିସି ୫.୫କୋଟି, ଡିଟିସିରେ ୧କୋଟି, ଫିଟ୍‌ନେସ୍‌ ଷ୍ଟେସନ୍‌ ପାଇଁ ଦେଢ଼ କୋଟି ଟଙ୍କାର ସବ୍‌ସିଡି ଅଛି। ପରିବହନ ମନ୍ତ୍ରୀ ଓଡ଼ିଶା ପାଇଁ ଯେତେ ଅଧିକ ପ୍ରସ୍ତାବ ଦେବା କଥା ଜଲ୍‌ଦି ଦିଅନ୍ତୁ, ସବୁ ମଞ୍ଜୁର କରିଦେବି ବୋଲି କହିଥିଲେ। କ୍ୟାପିଟାଲ୍‌ ରିଜିଅନ୍ ରିଂରୋଡ୍‌ ନେଇ ପଦକ୍ଷେପ ନେବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁରୋଧ କରିଥିବାବେଳେ ଗଡ଼କରୀ କହିଥିଲେ, ଏହି ରାସ୍ତା ପାଇଁ ୭ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। କ୍ୟାବିନେଟ୍ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।