ସଡ଼କ ସୁରକ୍ଷା ଭିଡିଓକୁ ଗଡ଼କରୀ, ନବୀନଙ୍କ ପ୍ରଶଂସା

ନୋତ୍ତର ଆଦର୍ଶ ବିଦ୍ୟାଳୟର ଟ୍ରାଫିକ ସଚେତନତା ଭିଡିଓ

ନୟାଗଡ଼ : ନୟାଗଡ଼ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୋତ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ପର୍ଯ୍ୟବସିତ ମ୍ୟୁଜିକ୍‌ ଭିଡିଓ ‘ଓବେ ଟ୍ରାଫିକ୍‌ ରୁଲ୍‌’ ପୁଣି ଚର୍ଚ୍ଚା ଘେରକୁ ଆସିଛି। ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ପ୍ରଶଂସା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିଜ ଟ୍ୟୁଟର୍‌ ଆକାଉଣ୍ଟ୍‌ରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ଜାଣିନାହିଁ ଏହି ଭିଡିଓ ପ୍ରସ୍ତୁତ କରିଥିବା ପିଲାମାନେ କିଏ। କିନ୍ତୁ ସେମାନେ ଅତି ସଫଳତାର ସହିତ ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଛନ୍ତି। ଭିଡିଓଟି ଅତି ଚମତ୍କାର ହୋଇଛି, ଏହାକୁ ଆମେ ସମସ୍ତେ ଦେଖିବା ଉଚିତ। ଯାହାକୁ ନେଇ ନୋତ୍ତର ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବେଶ୍ ଖୁସି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ବି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଭିଡିଓକୁ ପୋଷ୍ଟ କରି ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶଂସା କରିଛନ୍ତି।

ଏଥିସହିତ ଭିଡିଓଟି ୨୦୨୦ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ‌ଶ୍ରେଷ୍ଠ ପୁରସ୍କାର ପାଇଥିବା‌ କଥା ମଧ୍ୟ ମନେ ପକାଇଛନ୍ତି। ଫଳରେ ବର୍ଷକ ତଳର ଏହି ମ୍ୟୁଜିକ୍‌ ଭିଡିଓକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ବିଭୁପ୍ରସାଦ ସାହୁ ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟବହୃତ ହୋଇ ରଚିତ ଏହି ଗୀତକୁ ରଚନା କରିଥିଲେ। ଉକ୍ତ ସ୍କୁଲ୍‌ର ସଙ୍ଗୀତ ଶିକ୍ଷକ କୁରେଶଚନ୍ଦ୍ର ସାହୁ ସଙ୍ଗୀତ ସମେତ ଭିଜୁଆଲ ନିର୍ଦ୍ଦେଶନା ଦେଇଥି‌ଲେ। ରାଜ୍ୟ ସରକାରଙ୍କ ପରିବହନ ବଭାଗ ପକ୍ଷରୁ ୨୦୨୦ରେ ଅନୁଷ୍ଠିତ ଅନ୍‌ଲାଇନ ପ୍ରତିଯୋଗିତା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ ହୋଇଥିଲା। ଏହି ଭିଡିଓଟି ଶ୍ରେଷ୍ଠ ବିବେଚିତ ହେବା ସହିତ ୫୦ ହଜାର ଟଙ୍କା ପୁରସ୍କାର ଜିତିଥିଲା। ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବା ସହିତ ଆଞ୍ଚଳିକ ସମେତ ଜାତୀୟ ଗଣମାଧ୍ୟମରେ ପ୍ରଦର୍ଶିତ ‌ହୋଇଥିଲା। ଆଜି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଆମକୁ ଆହୁରି ଉତ୍ସାହିତ କରିଛି ବୋଲି ସଙ୍ଗୀତ ଶିକ୍ଷକ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର