ଭୋଟର୍‌ଙ୍କ ଖୁସି ପାଇଁ ଗଡ଼କରୀଙ୍କ ପ୍ୟାକେଜ୍‌: ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ

ରାମେଶ୍ବର-ପୁରୀ-କୋଣାର୍କ-ପାରାଦୀପ-ରତନପୁର ରାସ୍ତା ପାଇଁ ୮୫୦୦ କୋଟି

କୃଷ୍ଣପ୍ରସାଦ/ପୁରୀ: କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବ। ଗୋପାଳପୁରରୁ ସାତପଡ଼ାକୁ ଦୁଇଲେନ୍‌ ରାସ୍ତା ସଂଯୋଗ କରିବ। ଏହି ରାସ୍ତା ପାଇଁ ମଞ୍ଜୁରି ମିଳିସାରିଛି। ଡିପିଆର୍‌ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପରେ ଏହି କାମ ଆରମ୍ଭ ହେବ। ମୁଁ ଯାହା କୁହେ, କାମରେ କରି ଦେଖାଏ ବୋଲି ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଖେଳ ପଡ଼ିଆରେ ଆଜି ଅପରାହ୍ଣରେ ବିଜେପିର ବିଜୟ ସେତୁ ସଂକଳ୍ପ ସମାବେଶ ଯୋଗଦେଇ ଗଡ଼କରୀ କହିଥିଲେ, ଟାଙ୍ଗିରୁ ଦୀଘା ପର୍ଯ୍ୟନ୍ତ ଯେଉଁ ରାସ୍ତା ତିଆରି ହେଉଛି, ଚିଲିକା ହ୍ରଦ ଓ ଆଦ୍ରଭୂମି କାରଣରୁ ସେଥିରୁ ଗୋପାଳପୁରରୁ ସାତପଡ଼ା ଭିତରେ ସଂଯୋଗୀକରଣ ରାସ୍ତା ବାଦ୍‌ ପଡ଼ିଛି। ଏନ୍‌ଏଚ୍‌-୫ ଓ ୧୬(ଏ) ଏବଂ ଏନଏଚ-୩୧୬(ଏ) ମଝିରେ ଥିବା ଏହି ରାସ୍ତା ନହେବା କାରଣରୁ ଏବେ ବି ଦେଶୀ ଡଙ୍ଗା ଉପରେ ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ଉପାସନା ମହାପାତ୍ର ମୋର ଦୃଷ୍ଟିଗୋଚର କରିଥିଲେ। ଏହାକୁ ସେ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଗୋପାଳପୁରରୁ ସାତପଡ଼ାକୁ ଚିଲିକା ଉପରେ ରାସ୍ତା ନିର୍ମାଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୨.୫ କିଲୋମିଟରର ଏହି ରାସ୍ତା ଦୁଇଲେନ୍‌ ବିଶିଷ୍ଟ ହେବ। ୧ କିଲୋମିଟର ଲମ୍ବ ଦୁଇଲେନ୍‌ ବ୍ରିଜ ହେବ। ଏହାର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଡ଼କରୀ କହିଛନ୍ତି, ମୁଁ କେବେ ସ୍ବପ୍ନ ଦେଖାଏନି। ମୁଁ ଯାହା କହେ, ତାହା କରି କି ଦେଖାଏ। ୧୦ ବର୍ଷର ମନ୍ତ୍ରୀ ମୁଁ। ୫୦ଲକ୍ଷ କୋଟି ଟଙ୍କାର କାମ କରି ସାରିଛି। କେହି କହି ପାରିବେନି, ମୁଁ ଯାହା କହିଛି, ତାହା କରିନି। ଏଭଳି ବିକାଶରେ ସାମିଲ୍‌ ହେବା ପାଇଁ ସମ୍ବିତ ଓ ଉପାସନାଙ୍କୁ ଭୋଟ୍‌ ଦେଇ ବିଜୟ କରିବାକୁ ନିବେଦନ କରିଛନ୍ତି।

ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ
ରାମେଶ୍ବର-ପୁରୀ-କୋଣାର୍କ-ପାରାଦୀପ-ରତନପୁର ରାସ୍ତା ପାଇଁ ୮୫୦୦ କୋଟି
କଟକ-ପାରାଦୀପ ରାସ୍ତା ପାଇଁ ୨୩୭୦ କୋଟି
ଭୁବନେଶ୍ବରରେ ୬ ଲେନ୍‌ ବିଶିଷ୍ଟ ରିଂରୋଡ୍‌ ହେବ

ଏହି ଅବସରରେ ଗଡ଼କରୀ କହିଛନ୍ତି, ପାରାଦୀପରେ ଏକ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି, ଯେଉଁଥିପାଇଁ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ୮ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ରତନପୁର-ଦିଘା ୧୭୧ କିଲୋମିଟର ଲମ୍ବ ୬ ଲେନ୍‌ ରାସ୍ତାର ଡିପିଆର ପ୍ରସ୍ତୁତ ସରିଛି। ନିର୍ବାଚନ ପରେ ଏହି କାମ ଆରମ୍ଭ ହେବ। ୮ହଜାର ୫ଶହ କୋଟି ଟଙ୍କାରେ ରାମେଶ୍ବରରୁ ପୁରୀ, କୋଣାର୍କ, ପାରାଦୀପ ଓ ରତନପୁର ପର୍ଯ୍ୟନ୍ତ ୧୭୭ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ତିଆରି ହେବ, ଯାହାର ଡିପିଆର ପ୍ରସ୍ତୁତି ସରିଛି। ଏହା ପାରାଦୀପ ଓ ଧାମରା ବନ୍ଦର ଭିତରେ ଯୋଗାଯୋଗକୁ ସୁଗମ କରିବ। ଆସନ୍ତା ଅକ୍ଟୋବରରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଜାମଝରୀଠାରୁ ଧାମରା ବନ୍ଦର ପର୍ଯ୍ୟନ୍ତ ୨ହଜାର କୋଟିରେ ୬୫ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ନିର୍ମାଣ ହେବ। ଏହାର ବି ଡିପିଆର ପ୍ରସ୍ତୁତ ସରିଛି ଓ ନିର୍ବାଚନ ପରେ ଟେଣ୍ଡର ଆହ୍ବାନ କରାଯିବ। ୨୩୭୦ କୋଟି ଟଙ୍କା ବିନିମୟରେ କଟକରୁ ପାରାଦୀପ ବନ୍ଦରକୁ ୮୭ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ବି ନିର୍ବାଚନ ପରେ ଆରମ୍ଭ ହେବ ବୋଲି ଗଡ଼କରୀ କହିଛନ୍ତି। ସେ କହିଛନ୍ତି, ମୋ ଅମଳରେ ଓଡ଼ିଶାରେ ରାସ୍ତାର ବିକାଶ ପାଇଁ ୩ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏହା ଓଡ଼ିଶାର ବିକାଶରେ ସହଯୋଗ କରିବ ବୋଲି ମୋର ଦୃଢ଼ ବିଶ୍ବାସ। ଏଥିସହ ସେ ପାରାଦୀପ-କଳିଙ୍ଗନଗର ରେଳ ପ୍ରକଳ୍ପ ପାଇଁ ୩୧ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ନିର୍ବାଚନ ପରେ ଭୁବନେଶ୍ବରରେ ୬ ଲେନ୍‌ ବିଶିଷ୍ଟ ରିଂରୋଡ୍‌ କାମ ମଧ୍ୟ ଆରମ୍ଭ ହେବ। ଗଡ଼କରୀ କହିଛନ୍ତି ଯେ ପରିବହନ ଓ ଯାତାୟାତ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ଭୁବନେଶ୍ବର ରିଂରୋଡ୍‌ର ଆବଶ୍ୟକତା ରହିଛି। ଏଥିପାଇଁ ୬ହଜାର ୨୫୩ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ ୧୧୧ କିଲୋମିଟର ରିଂରୋଡ୍‌ ନିର୍ମାଣ ହେବ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ମାଣ କାର୍ଯ୍ୟ ହେବ। ପ୍ରଥମ ପର୍ଯ୍ୟାୟରେ ୭୧ କିଲୋମିଟର ଓ ଦ୍ବିତୀୟ ପର୍ଯ୍ୟାୟରେ ୪୦ କିଲୋମିଟର ରାସ୍ତା ନିର୍ମାଣ ହେବ। ଏହି ରିଂରୋଡ୍‌ ରାମେଶ୍ବର, ଟାଙ୍ଗି ଆଦି ଅଞ୍ଚଳକୁ ସଂଯୋଗ କରିବ। ଏହାଦ୍ବାରା ଭୁବନେଶ୍ବର, କଟକ, ଖୋର୍ଦ୍ଧା ଜିଲ୍ଲା ଉପକୃତ ହେବେ। ସେହିଭଳି ୨୦୨୪ ଅକ୍ଟୋବର ମାସରୁ ଆରମ୍ଭ ହେବ ସମ୍ବଲପୁର ୪ ଲେନ୍‌ ବିଶିଷ୍ଟ ରିଂରୋଡ୍‌ କାମ। ଏ ବାବଦରେ ୧୩୩୩ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାୟ ୩୫ କିଲୋମିଟର ରାସ୍ତା ନିର୍ମାଣ ହେବ। ଏହାଦ୍ବାରା ସମ୍ବଲପୁର, ବରଗଡ଼, ରାଉରକେଲା ଆଦି ଜିଲ୍ଲା ଉପକୃତ ହୋଇପାରିବେ। ଅନୁଗୁଳ-ସମ୍ବଲପୁର ରାଜପଥ ୪ ଲେନ୍‌ ହେବ। ପ୍ରାୟ ୧୫୦ କିଲୋମିଟର ରାସ୍ତା ପାଇଁ ୨୪୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି କଟକ-ଅନୁଗୁଳକୁ ୪ ଲେନ୍‌ ବିଶିଷ୍ଟ ରାଜପଥ ନିର୍ମାଣ ହେଉଛି ଓ ଏ ବାବଦରେ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ବ୍ଲକ ମଣ୍ଡଳ ସଭାପତି ଦିନବନ୍ଧୁ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଜେପି ବିଧାୟକ ପ୍ରାର୍ଥୀ ଉପାସନା ମହାପାତ୍ର, ଉପାସନାଙ୍କ ସ୍ବାମୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳ ମଞ୍ଚାସୀନ ଥିଲେ। ଅଭିମନ୍ୟୁ ଜେନା, ମନୋଜ ସାହୁ, ସୁରେନ୍ଦ୍ର ନାଥ ମାଝୀ, କେଳୁଚରଣ ଜେନା, ରଘୁନାଥ ବଡୁ, ବ୍ଲକ ଉପସଭାପତି ହରିହର ଦାଶ, ସୁଶାନ୍ତ ବୈରୀଗଞ୍ଜନ, ମଳୟ କୁମାର ଜେନା, ଉତ୍ତମ କୁମାର ତରେଇ, ମମତାମୟୀ ପ୍ରଧାନ, ମିତାଲି ପ୍ରିୟଦର୍ଶିନୀ, ଉମାକାନ୍ତ ସେଠୀ, ଲଳିତ ତରାଇ, ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର