ପ୍ରଶାସନିକ ସ୍ତରରେ ଅଦଳବଦଳ: ଗଗନ ଧଳଙ୍କ ସେଚ୍ଛାକୃତ ଅବସର ଆବେଦନ ଅଗ୍ରାହ୍ୟ, ମନେଇବା ପାଇଁ ଓଏଫ୍‌ଡିସି ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ନେଇ ବରିଷ୍ଠ ଆଇ.ଏ.ଏସ୍‌ ଅଫିସର୍‌ ଗଗନ ଧଳ ରୁଷିବା ପରେ ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାର ଆଉ ଏକ ଅଦଳ ବଦଳ କରିଛନ୍ତି। ଶ୍ରୀ ଧଳଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ ନ କରି ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓ.ଏଫ୍‌.ଡି.ସି)ର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦିଆଯାଇଛି।

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ କୁମାର ପାଢ଼ୀ ରାଜ୍ୟ ନିର୍ବାଚନ କମିସନର୍‌ ରୂପେ ନିଯୁକ୍ତି ପାଇବା ପରେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର୍‌ ଆଇ.ଏ.ଏସ୍‌ ଅଫିସର୍‌ ଅସିତ୍‌ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ତ୍ରିପାଠୀ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଥିଲେ। ଶ୍ରୀ ପାଢ଼ୀ ୧୯୮୩ ବ୍ୟାଚ୍‌ର ଅଫିସର୍‌ ହୋଇଥିବା ବେଳେ କ୍ୟାଡ୍‌ର ଲିଷ୍ଟରେ ତାଙ୍କ ପଛକୁ ଥିବା ୬ ଜଣ ଅଫିସରଙ୍କୁ ପଛରେ ପକାଇ ଶ୍ରୀ ତ୍ରିପାଠୀଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ, ୧୯୮୫ ବ୍ୟାଚ୍‌ର ଅଫିସର୍‌ ଶ୍ରୀ ଗଗନ କୁମାର ଧଳ ଏହି ‘ସୁପର୍‌ସେସନ୍‌’ ଯୋଗୁଁ ଅପମାନିତ ବୋଧ କରି ପ୍ରତିବାଦରେ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିଲେ। କୃଷି ଉତ୍ପାଦନ କମିସନର୍‌ ଥିବା ଶ୍ରୀ ଧଳ ଆସନ୍ତା ଡ଼ିସେମ୍ବର ମାସ ଶେଷରେ ଅବସର ନେଇଥାନ୍ତେ। ରାଜ୍ୟ ସରକାର ଏବେ ଶ୍ରୀ ଧଳଙ୍କୁ ମନେଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରକାଶ ଥାଉ କି ବନ ନିଗମ ଅଧ୍ୟକ୍ଷ ପଦବୀ ଏକ ସମ୍ମାନଜନକ ପଦବୀ, ଯାହାକି ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ସଚିବାଳୟ ବାହାରେ ରହିଛି।

ଅସିତ୍‌ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କର ବ୍ୟାଚ୍‌ର ଆଇ.ଏ.ଏସ୍‌ ଅଫିସର୍‌ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ପ୍ରଶାସନର ଦୁଇ ନମ୍ବର ସ୍ଥାନ ଉନ୍ନୟନ କମିସନର୍‌ ପଦବୀ ଦିଆଯାଇଛି। ସେ ମଧ୍ୟ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିବେ। ଶ୍ରୀ ମହାପାତ୍ର ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ। ଶ୍ରୀ ମହାପାତ୍ର ମଧ୍ୟ ଜଗନ୍ନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ବଜାୟ ରଖିବେ।
ଗ୍ରାମ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ କେ.ବି.କେ ଅଂଚଳର ମୁଖ୍ୟ ପ୍ରଶାସକ ଥିବା ୧୯୮୬ ବ୍ୟାଚ୍‌ର ଆଇ.ଏ.ଏସ୍‌ ଅଫିସର୍‌ ସୁଦର୍ଶନ ପାଲ୍‌ ଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ରୂପେ ନିଯୁକ୍ତ ହୋଇଥିଲେ। ତାଙ୍କର ମୂଳ ଦାୟିତ୍ୱ ସହିତ କେ.ବି.କେ ପ୍ରଶାସନ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିସନର୍‌ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ନିଯୁକ୍ତି ଦିଆଯାଇଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ନିଜର ଦାୟିତ୍ୱ ସହ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ମୁଖ୍ୟ ରେଳବାଇ କମିସନର୍‌ ମନୋଜ କୁମାର ମିଶ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଭାରପ୍ରାପ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲେଇଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ରୂପେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର