ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଭାଷାବିତ୍‌, ସାହିତ୍ୟ ସମାଲୋଚକ ତଥା ଗବେଷକ ପ୍ରଫେସର୍‌ ଗଗନେନ୍ଦ୍ରନାଥ ଦାଶଙ୍କର ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ପଟିଆସ୍ଥିତ ଜେଡ୍‌-୧ ଆପାର୍ଟମେଣ୍ଟ୍‌ ବାସଭବନରେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ରମା‌ଦେବୀ, ପୁଅ ତପନ ଦାଶ, ଝିଅ ପ୍ରତୀଚି ଦାଶ ଓ ଜ୍ବାଇଁ ନବନୀତ୍‌ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଅପରାହ୍‌ଣରେ ସତ୍ୟନଗର ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି। ପୁଅ ତପନ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ
ଓଡ଼ିଶାର ଭାଷା, ସାହିତ୍ୟ, ଇତିହାସ, ଧର୍ମ ଓ ସଂସ୍କୃତି ଗବେଷଣାର ଜଣେ ସୁପରିଚିତ ବ୍ୟକ୍ତିତ୍ବଙ୍କୁ ହରାଇଛି।

୧୯୪୦ ମସିହାରେ ଯାଜପୁର ବଡ଼ଚଣା ଥାନା କଡ଼େଇ ଗ୍ରାମରେ ଜନ୍ମିତ ଗଗନେନ୍ଦ୍ର ରେଭେନ୍‌ସା କଲେଜରୁ ଓଡ଼ିଆରେ ସ୍ନାତକ, ବିଶ୍ବଭାରତୀ ଶାନ୍ତିନିକେତନରୁ ସ୍ନାତକୋତ୍ତର, ପୁଣେସ୍ଥିତ ଡେକାନ କଲେଜରୁ ଭାଷା ବିଜ୍ଞାନରେ ଉପାଧ୍ୟୁତ୍ତର ଡିପ୍ଲୋମା ଓ ବିଶ୍ବଭାରତୀରୁ ପିଏଚ୍‌ଡି ଲାଭ କରିଥିଲେ। ଅନୁସନ୍ଧିତ୍ସୁ ମନ ନେଇ ପ୍ରତ୍ୟେକ ବିଷୟକୁ ଅନୁଧ୍ୟାନ କରିବାର ସ୍ବଭାବ ତାଙ୍କର ଛାତ୍ର ଜୀବନରୁ ଥିଲା। ଏଇ ଗବେଷକ ମନୋବୃତ୍ତି ପରବର୍ତ୍ତୀ ଜୀବନରେ ତାଙ୍କୁ ଜଣେ ବିଶିଷ୍ଟ ଗବେଷକ ଓ ସାମଲୋଚକ ଭାବେ ଗଢ଼ି ତୋଳିଥିଲା। ୧୯୬୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ବିଜେବି ସାଂଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ଏବଂ ସାଢ଼େ ଚାରିବର୍ଷ ପରେ ଶାନ୍ତି ନିକେତନରେ ଅଧ୍ୟାପନା ଆରମ୍ଭ କରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ପ୍ରଫେସର୍‌ ଭାବେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ପ୍ରଫେସର୍‌ ଦାଶ ଇଂରାଜୀ ଭାଷାରେ ବହୁ ଗୁରୁତ୍ବପୂର୍ଣ୍ଣ ସଂଦର୍ଭ ଲେଖିଯାଇଛନ୍ତି। ଶାନ୍ତି ନିକେତନରେ ଅବସ୍ଥାପିତ ଥିବା ବେଳେ ସେ ଜର୍ମାନୀର ହାଇଡଲବର୍ଗ ବିଶ୍ବବିଦ୍ୟାଳୟ‌ ଯାଇ ଦୀର୍ଘକାଳ ଓଡ଼ିଶା ସଂସ୍କୃତି ସଂଦର୍ଭରେ ଗବେଷଣା କରିଥିଲେ। ଏହାଛଡ଼ା, ହାଭାର୍ଡ ବିଶ୍ବବିଦ୍ୟାଳୟ ସହଯୋଗରେ ସେ ଭାଷା, ସାହିତ୍ୟ ଓ ଗବେଷଣା ପ୍ରକଳ୍ପରେ ବହୁକାଳ କାର୍ଯ୍ୟ କରିଥିଲେ।

୧୯୭୯ରେ ଗଗନେନ୍ଦ୍ରନାଥଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘କାଞ୍ଚି କାବେ‌ରୀ’ ପ୍ରକାଶ ପାଇଥିଲା। ଏହିଭଳି ବିଭିନ୍ନ ବର୍ଗରେ ତାଙ୍କର ସର୍ବମୋଟ ୧୯ଟି ପୁସ୍ତକ ପ୍ରକାଶିତ ହୋଇଛି। ସେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ବିଷୁବ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ରଜତ ସମ୍ମାନ, ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ, ପ୍ରବନ୍ଧ ଓ ସମାଲୋଚନାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ପୁରସ୍କାର, ଇସ୍ତାହାର ରୌପ୍ୟଜୟନ୍ତୀ ସମାରୋହ ସମ୍ମାନ, ଝଙ୍କାର ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ ଆଦି ଲାଭ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର