ଗାଇସିଲାଟରେ ଚାଷୀ ଆତ୍ମହତ୍ୟା ମାମଲା

ଶବ ରଖି ପଦ୍ମପୁର-ବଲାଂଗୀର ରାସ୍ତା ଅବରୋଧ

ଗାଇସିଲାଟ: ସୋମବାର ରାତିରେ ଲୋଇସିଂହା ଡାକ୍ତରଖାନାରେ ବିଷ ପିଇ ଦେଇଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମର ଯୁବ ଚାଷୀ ଉମାକାନ୍ତ ସାହୁ (୩୫)ଙ୍କ ମୃତ୍ୟୁ ଘଟିଥିଲା। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଳ ନଷ୍ଟ ହେବା ପରେ ଋଣବୋଝ ସହ୍ୟ କରି ନପାରି ସେ ବିଷପାନ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଚଳିତ ବର୍ଷ ଏହି ବ୍ଲକର ଦ୍ୱିତୀୟ ଚାଷୀ ହେଲେ ଉମାକାନ୍ତ, ଯିଏକି ଚାଷ ଉଜୁଡ଼ିବା ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ପରେ ଶବକୁ ଗାଁକୁ ଅଣାଯାଇଥିଲା। ତେବେ କ୍ଷତିପୂରଣ ଦାବିରେ ସରଧାପାଲି ଛକ ଠାରେ ଦିନ ୧୧ରୁ ଦୁଇ ଘଣ୍ଟା ଧରି ପଦ୍ମପୁର-ବଲାଂଗୀର (ଭାୟା ଲୋଇସିଂହା) ରାସ୍ତାକୁ ଗ୍ରାମବାସୀ ଟାୟାର ଜାଳି ଅବରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ, ଉମାକାନ୍ତ ୬ ଏକର ଜମିରେ ଧାନ ଚାଷ କରିଥିଲେ। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ସଂପୂର୍ଣ ନଷ୍ଟ ହୋଇଥିଲା। ସେ ଡାଂଗବାହାଲ ସେବା ସମବାୟ ସମିତିରୁ ଅଗଷ୍ଟ ୧୭ ତାରିଖ ୬୯ ହଜାର ଟଙ୍କା, ଏସ୍‌ବିଆଇ ତାଲପାଲି ଶାଖାରୁ ୫୮ ହଜାର ଟଙ୍କା, ବିଭିନ୍ନ ସଂସ୍ଥାରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ। ତାଙ୍କ ପିତା ସମବାୟ ସମିତିରୁ ୫୫ ହଜାର ଟଙ୍କା ନେଇଥିଲେ। ଚାଷ ନଷ୍ଟ ହେବାରୁ ଓ ଋଣ ବୋଝ ଯୋଗୁଁ କିଛିଦିନ ହେଲା ଚିନ୍ତିତ ରହୁଥିଲେ। ରାସ୍ତା ଅବରୋଧ ସ୍ଥଳୀକୁ ଜିଲ୍ଲା ଉପାଧ୍ୟକ୍ଷ ମଦନ ଦୀପ, ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ , ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଡନସନା ଓ ବିଭିନ୍ନ ନେତା ଉପସ୍ଥିତ ଥିଲେ। ଗାଇସିଲାଟ ପୁଲିସ ଓ ସ୍ଥାନୀୟ ତହସିଲଦାର ପହଂଚ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ୨ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜାନାରୁ ପ୍ରଦାନ କରିଥିଲେ। ବିଜେପି ନେତା ଅଶୋକ ପାଣିଗ୍ରାହୀ ମଧ୍ୟ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବର୍ଷାଭାବ ଓ ଜଳସେଚନ ବ୍ୟବସ୍ଥା ନଥିବାରୁ ଗାଇସିଲାଟ୍‌ ବ୍ଲକର ଚାଷବାସ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର କରୁଛି। ରାଇସଲପଦର ଅଂଗନଦୀ କୂଳରେ ଅବସ୍ଥିତ। ନଦୀରେ ଏକ ଆଡ଼ିବନ୍ଧ ରାଇସଲପଦର ସୀମାରେ ଯାଇଛି। ମାତ୍ର ରାଇସଲପଦରବାସୀ ପାଣି ପାଉନାହାନ୍ତି।

ସମ୍ବନ୍ଧିତ ଖବର