ଗାଇସିଲେଟ୍‌ କଲେଜ ବିଜ୍ଞାନରେ ୧୧ ଛାତ୍ରଛାତ୍ରୀଙ୍କୁ ୧୧ କର୍ମଚାରୀ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ରେ ଉଚ୍ଚ ଶିକ୍ଷାଲାଭ କରିବା ପାଇଁ  ଶିକ୍ଷାପ୍ରେମୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଚେଷ୍ଟାରେ ୧୯୯୧ରେ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ମଞ୍ଜୁରୀ ପାଇଥିଲା। ଏହି କଲେଜରେ ସେତେବେଳେ ଉଚ୍ଚଶିକ୍ଷା ପାଇଁ ୧୨୮ ଛାତ୍ରଛାତ୍ରୀ ବିଜ୍ଞାନ ପାଠ ପଢିବା ପ୍ରାବାଧାନ ଥିଲା। କିନ୍ତୁ ବିଗତ ପାଂଚ ବର୍ଷରେ ଛାତ୍ରଛାତ୍ରୀ ଅଭାବରୁ ସରକାର ବିଭାଗରେ ଥିବା ୧୨୮ ସିଟ୍‌କୁ ଖସାଇ ୬୪ରେ ରଖିଥିଲେ। ୨୦୧୫-୧୬ରୁ କ୍ରମାଗତ ଛାତ୍ରଛାତ୍ରୀ ସଂଖ୍ୟା କମି ଆସୁଛି। ୨୦୨୦-୨୧ ଶିକ୍ଷାବର୍ଷରେ ମାତ୍ର ୧୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସବୁଠାରୁ ଗୁରୁତର ବିଷୟ ହେଉଛି ଯେ, ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ କର୍ମଚାରୀ ସଂଖ୍ୟା ୧୧ ଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ମଧ୍ୟ ୧୧ ରହିଛି। କର୍ମଚାରୀମାନଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୧କୋଟି ୬ ଲକ୍ଷ ଟଙ୍କା ରାଜକୋଷରୁ ଯାଉଛି।

ପ୍ରତି ଛାତ୍ର ପିଛା ସରକାର ବାର୍ଷିକ ୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ କରୁଛନ୍ତି। ଉକ୍ତ କଲେଜ ଓଡ଼ିଶା ସରକାରଙ୍କ ୨୭୭ ବର୍ଗ ମହାବିଦ୍ୟାଳୟରେ ଆସୁଥିବାରୁ ନାମଲେଖା, ପରୀକ୍ଷା ପରିଚାଳନା ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହୋଇଥାଏ। ଯେଉଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କମି ଯାଉଛନ୍ତି। କମ୍‌ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଉ ଥିବା ସଂପର୍କରେ କଲେଜର ପ୍ରତିଷ୍ଠାତା ସଂପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ ଶିକ୍ଷାଦାନର ଅଭାବ ଓ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି। ପୁରାତନ ଛାତ୍ର ତଥା ଅଭିଭାବକ ଦୀନମଣି ଦାଶ ଶିକ୍ଷାର ବାତାବରଣ ଓ ଉନ୍ନତମାନର ଶିକ୍ଷାଦାନ ହେଉ ନଥିବାରୁ ଛାତ୍ରମାନଂକୁ ଅନ୍ୟତ୍ର ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହନ୍ତି। ଅଧ୍ୟକ୍ଷ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ମତାମତ ନେବାରୁ କୁହନ୍ତି ଯେ, ଛାତ୍ରଛାତ୍ରୀ ଚାଲିଗଲେ ଆମେ କଣ କରିବୁ? ସରକାର ଯାହା ପଦକ୍ଷେପ ନେବେ ଆମେ ମାନିବୁ। ସଚେତନ ନାଗରିକ ମନରେ ଅନେକ ଅକୁହା ପ୍ରଶ୍ନ ରହିଛି! ଶିକ୍ଷା ବିଭାଗ  କଲେଜ ପ୍ରତି ଦୃଷ୍ଟି ଦେବାକୁ ଶିକ୍ଷାପ୍ରେମୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର