ଗଜବେଶରେ ମହାବାହୁ: ୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ, ଅସହ୍ୟ ତାତିରେ ବି ଛୁଟିଲେ ଲକ୍ଷାଧିକ ଭକ୍ତ

ପୁରୀ: ମହାପ୍ରଭୁଙ୍କ ଆଦ୍ୟପର୍ବ ସ୍ନାଯାତ୍ରା ଅବସରରେ ପୁଣିଥରେ ଦେଖିବାକୁ ମିଳିଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଇଛନ୍ତି। ଢାଳିଛନ୍ତି ଅପାର କରୁଣା ଓ ଆଶିଷ। ଭକ୍ତ ବି ଅପଲକ ନୟନରେ ମହାବାହୁଙ୍କ ଏହି ଦୁର୍ଲ୍ଲଭ ବେଶ ମନଭରି ଦର୍ଶନ କରିବା ସହ ଭାବବିହ୍ବଳ ହୋଇ ଝରାଇଛନ୍ତି ଲୋତକାଶ୍ରୁ। ଭକ୍ତଙ୍କ କୋଳାହଳରେ ଭରି ଉଠିଛି ବଡ଼ଦାଣ୍ଡ। ହରିବୋଲ, ହୁଳହୁଳି, ଶ୍ରୀଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଛୁଟିଛି ଭକ୍ତଙ୍କ ସୁଅ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର୍‌ ୪ଟା ୪୫ରେ ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ଭୋର ୪ଟା ୫୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ଦଇତାପତି ସେବକଙ୍କ ସହ ଅନ୍ୟ ସେବକମାନେ ରତ୍ନବେଦିରୁ ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନବେଦିକୁ ବିଜେ କରାଇଥିଲେ। ସାତ ପାହାଚଠାରେ ମସ୍ତକରେ ଟାହିଆ ବନ୍ଧା ନୀତି ସମ୍ପନ୍ନ ହୋଇଥିଲା। ସାଢ଼େ ୬ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ସକାଳ ୭ଟା ୧୫ରେ ରୁନ୍ଧ‌ା ଶେଷ ପରେ ମଦନମୋହନ ସ୍ନାନିବେଦିକୁ ବିଜେ କରିଥିଲେ। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ବେଶ, ଅଧରପୋଛା, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ପରେ ପୂର୍ବାହ୍ଣ ୧୧ଟା ୪୦ରେ ଜଳଛେକ ବିଜେ ନୀତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟା ୨୦ରେ ଜଳପୂଜା ଶେଷ ସହ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ।

ଶ୍ରୀମନ୍ଦିର ଉତ୍ତରଦ୍ୱାର ମା’ ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋ‌ସାଇଁ, ଗରାବଡ଼ୁ ସେବକମାନେ ଆଣିଥିବା ୧୦୮ ଗରା ଜଳକୁ ଚନ୍ଦନ, ଚୁଆ ଆଦି ପକାଇ ଚାହାଣି ମଣ୍ଡପ ନିକଟ ଅଧିବାସ ଘରେ ରଖାଯାଇଥିଲା। ପରେ ଏହି ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ଗରାବଡ଼ୁ ସେବକମାନେ ଯୋଗାଇ ଦେଇଥିବା ଜଳକୁ ପୂଜାପଣ୍ଡା ସେବକମାନେ ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜୀଉଙ୍କ ସ୍ନାନ କରାଇଥିଲେ। ବଡ଼ଠାକୁର ଶ୍ରୀବଳଭଦ୍ର ୩୩ ଗରା, ମହାପ୍ରଭୁ ଶ୍ରୀଜଗନ୍ନାଥ ୩୫ ଗରା, ମା’ ସୁଭଦ୍ରା ୨୨ ଗରା ଓ ପ୍ରଭୁ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ। ଅପରାହ୍ନ ୧ଟା ୨୫ ସୁଦ୍ଧା ଜଳଲାଗି ଶେଷପରେ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା। ନୂଆଲୁଗା ପିନ୍ଧି ବେଶ ହୋଇଥିଲା। ୪ଟା ୪୦ରେ ଗଜପତିଙ୍କ ଦ୍ବାରା ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ଟା ୪୫ରେ ହାତୀବେଶ ଆରମ୍ଭ ହୋଇଥିଲା। ସୋଲ, କପଡ଼ା ଆଦିରେ ପ୍ରସ୍ତୁତ ଗଜମୁହଁ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା। ପରେ ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ଦର୍ଶନ ଦେଇଥିଲେ। ରାତିରେ ବେଶ ଓଲାଗି(ଖୋଲାଯିବା) ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଥିଲେ।

ରକ୍ତଛିଟା, ମହାପ୍ରଭୁଙ୍କ ମହାସ୍ନାନ

ଜଳବିଜେ ନୀତି ସମୟରେ ଆଜି ସ୍ନାନବେଦିରେ ଅଶୁଭ ଘଟଣା ଦେଖିବାକୁ ମିଳିଛି। ସ୍ନାନବେଦିରେ ରକ୍ତଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ଆଜି ବଡ଼ ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ଆଜି ନୀତିକାନ୍ତି ବିଳମ୍ବ ହୋଇଛି। ପ୍ରାୟ ୪ ଘଣ୍ଟା ବିଳମ୍ବରେ ଶ୍ରୀଜିଉ ଗଜ ବେଶ ଆରମ୍ଭ ହୋଇଥିଲା। ନିକଟ ଅତୀତରେ ଏଭଳି ଘଟଣା ଘଟିନଥିବା ବେଳେ ଆଜି ସ୍ନା‌ନବେଦିରେ ଏଭଳି ଘଟଣା ଭକ୍ତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ଜଳଲାଗି ଓ ମଇଲମ ନୀତି ଶେଷପରେ ଅପରାହ୍ନ ପ୍ରାୟ ୨ଟାରେ ସ୍ନା‌ନବେଦି ପାଖରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ସ୍ନାନବେଦିରେ ପାଣି ପଡ଼ି ପୁଣି ଶୋଧ କରାଯାଇଥିଲା। ଅପରାହ୍ନ ପ୍ରାୟ ୩ଟା ୨୦ରେ ମହାସ୍ନାନ ପୂଜା ଓ ସାଢ଼େ ୩ଟାରେ ମହାସ୍ନାନ ଶେଷପରେ ମେକାପ ସର୍ବାଙ୍ଗ ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧିତ ଖବର