ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଦିନ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି।
/sambad/media/post_attachments/wp-content/uploads/2023/06/5ab1eb84-4a6f-4084-a636-72f7b1cb78f5-1024x682.jpg)
ନୀତିକାନ୍ତି ଅନୁଯାୟୀ, ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ଭୋର୍ରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ କରାଯାଇଥିଲା। ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା। ଏହା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଛେରାପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ମୃତ୍ୟୁ ପାଇଁ ମହାସ୍ନାନ କରାଯାଇଥିଲା। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଥିଲା।
/sambad/media/post_attachments/wp-content/uploads/2023/06/133cff68-696e-4449-95be-212e6ad61820-e1685878548747-1024x527.jpg)
ଗଜବେଶ ଶେଷପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସନ୍ଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଗଜବେଶ ଓଲାଗି ପରେ ରାତିରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଶେଷ ହେବ। ବିଳମ୍ବିତ ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।
ସ୍ନାନଯାତ୍ରା ଶୃଙ୍ଖଳା ଦାୟିତ୍ବରେ ୬୦ ପ୍ଲାଟୁନ୍ ଫୋର୍ସ ସାଙ୍ଗକୁ ୩ଶହ ଅଧିକାରୀ, ୫୫୦ ହୋମ୍ଗାର୍ଡ ଓ କନେଷ୍ଟବଳ, ଶହେ ସୁପରଭାଇଜିଂ ଅଫିସର, ୩ଜଣ କମାଣ୍ଡାଣ୍ଟ୍ଙ୍କୁ ନିୟୋଜିତ କରାଯାଇଛି। ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ତିନି ଥାକିଆ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତଙ୍କ ପାଇଁ ଭିନ୍ନ ବାରିକେଡ୍ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରୁ ଦର୍ଶନ କରୁଥିବା ଭକ୍ତଙ୍କ ପାଇଁ ଭିନ୍ନ ବାରିକେଡ୍ କରାଯାଇଛି। ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍ ବ୍ୟବସ୍ଥା କରଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/f0bc8274-d912-4f7a-9483-8862a1b53feb.jpg)