ବାଲିଅନ୍ତା ବ୍ଲକ ଅଧୀନ ବୁଦ୍ଧିପଡ଼ାରେ ଗଜଲକ୍ଷ୍ମୀ ପୂଜା

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବୁଦ୍ଧିପଡ଼ା ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ କରାଯାଇଛି। ପୂଜା ମଣ୍ଡପରେ ୫ ଫୁଟ ଉଚ୍ଚତାର ମା’ ଗଜଲକ୍ଷ୍ମୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି । ପ୍ରତିବର୍ଷ ଆକର୍ଷଣୀୟ ସାଜସଜ୍ଜା କରାଯିବା ସହ ଅଧିକ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ କରାଯାଇଥାଏ । ସେହିପରି ବାଣ ଫୁଟାଯାଇଥାଏ । ଆଖପାଖ ଗ୍ରାମର ହଜାର ହଜାର ଲୋକ ମା’ ଙ୍କୁ ଦର୍ଶନ କରିବା ଲାଗି ପୂଜାମଣ୍ଡପ ନିକଟରେ ଭିଡ଼ ଜମାଇ ଥାନ୍ତି । ହେଲେ ଏବର୍ଷ କୋଭିଡ଼ କଟକଣା ପାଇଁ ସବୁ ଫିକା ପଡ଼ିଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ନିରାଡମ୍ବର ଭାବେ ମା’ଙ୍କର ପୂଜାର୍ଚ୍ଚନା ଚାଲିଛି । ସକାଳେ ଓ ସଂଧ୍ୟାରେ ବାଳଭୋଗ ଓ ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗ ଲାଗି ହେଉଛି ।

ଗତକାଲି ପୂର୍ବାହ୍ନରେ ଧନୁଆ ନଦୀ ଧାରରୁ ଘଟ ଅନୁକୂଳ ହୋଇଥିଲା । ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଆସନ୍ତା ଶୁକ୍ରବାର ଦିନ ଉଦଯାପିତ ହେବ । ଦିନ ୧ଟାରେ ମା’ଙ୍କ ମୂର୍ତ୍ତି ବିସର୍ଜନ ହେବ । କର୍ତ୍ତା ବିଜୟ ବେହେରା, ଶିବସୁନ୍ଦର ବେହେରା, ଅଭିମନ୍ୟୁ ଜେନା, ଅରୁଣ ଜେନା, ବାଙ୍କବିହାରୀ ନାୟକ, ଭାଗିରଥି ଜେନା, ହେମନ୍ତ ପ୍ରଧାନଙ୍କ ସମେତ ସମସ୍ତ କମିଟି ସଦସ୍ୟ ପୂଜା ପରିଚାଳନା କରିବା ସହ ଘଟ ଅନୁକୂଳ କରିଥିଲେ । ସେହିପରି ତଳଗଡ଼, ସରକଣା, ବ୍ରାହ୍ମଣସୁଆଁଲୋ, କର୍ଇଜଙ୍ଗା ଓ ପ୍ରତାପରୁଦ୍ରପୁର ଆଦି ପଞ୍ଚାୟତ ପୂଜାମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର