ନକ୍ସଲ ସଦସ୍ୟ ଗଜେନ ଓ ମଞ୍ଜୁଲାଙ୍କ ଆତ୍ମସମର୍ପଣ ଘଟଣା: ସଂଗଠନ କହିଲା- ଗଦ୍ଦାର 

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଗତ ୧୯ ତାରିଖରେ କୋଣ୍ଟା ଏରିଆ କମିଟିର ଗଜେନ ଅରଫ ହଡମା ଏବଂ ମଞ୍ଜୁଲା ଅରଫ ସୋମଡି ଆତ୍ମସମର୍ପଣ କରିଥିଲେ। ଏହି ଆତ୍ମସମର୍ପଣ ପରେ ପୁଲିସ ଏମାନଙ୍କୁ ଧରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାସହ ଜଂଗଲରୁ ବହୁ ଡମ୍ପ ଉଦ୍ଧାର କରିଥିଲା।ଏପିରିକି ବହୁ ଜନମିସିଲିଆମାନଙ୍କୁ ଗିରଫ ମଧ୍ୟ କରାଇଥିଲେ। ଏହାପରେ ନକ୍ସଲ ସଂଗଠନର କୋଣ୍ଟା ଏରିଆ କମିଟି ତରଫରୁ ସଚିବ ମଙ୍ଗଡୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଏମାନେ ସଂଗଠନରେ ରହି ସଂଗଠନର ନେତାଙ୍କୁ ମାନୁନଥିଲେ। ନିଜର ଘୃଣ୍ୟ କାମ ଯୋଗୁଁ ଏମାନେ ସଂଗଠନରେ ସବୁବେଳେ ଦଣ୍ଡ ପାଉଥିଲେ।

ଜନବିରୋଧୀ କାମ ମଧ୍ୟ କରୁଥିଲେ। ଶତ୍ରୁକୁ ମିତ୍ର କରି ଏମାନେ ସଂଗଠନ ଛାଡି ଆତ୍ମସମର୍ପଣ କଲେ। ଏମାନଙ୍କୁ କେବେ ମଧ୍ୟ ବିଶ୍ବାସ ନକରିବାକୁ ଲୋକଙ୍କୁ ଆହ୍ବାନ କରିଛି ସଂଗଠନ। ଗଜେନ ଆତ୍ମସମର୍ପଣ କରିବା ବେଳେ ଵାକିଟକି ଏବଂ ଦେଢ ଲକ୍ଷ ଟଂକା ସଂଗଠନର ନେଇପଳାଇଛି।

ସେହିପରି ମଞ୍ଜୁଲା ମଧ୍ୟ ଵାକାଟକି ଏବଂ ୩୫ ହଜାରରୁ ଉର୍ଦ୍ଧ୍ବ ଟଂକା ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କଲା। ଏମାନେ ଦଳ ପାଇଁ ଗଦ୍ଦାର କାମ କରିଛନ୍ତି। ଜନତାଙ୍କ ଟଂକା ନେଇ ଏମାନେ ଭାବୁଛନ୍ତି ଧନୀ ହେବେ। କିନ୍ତୁ ଜନତା ଦରବାରରେ ଏମାନେ ନିଶ୍ଚିତ ଦଣ୍ଡ ପାଇବେ ବୋଲି ସଂଗଠନ ଧମକ ଦେଇଛି। ସିପିଆ ମାଓବାଦୀ ତରଫରୁ ଲଢାଯାଉଥିବା ଜନଯୁଦ୍ଧକୁ ଏମାନେ ସମର୍ଥନ ନକରି ଶତ୍ରୁଙ୍କ ସହ ମିଶି ଜନଯୁଦ୍ଧକୁ ହରାଇବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଆମର ବହୁ ଡମ୍ପକୁ ଏମାନେ ପୁଲିସ ନିକଟରେ ପହଞ୍ଚାଇଛନ୍ତି। ଗାଁ ଗାଁରେ ପୁଲିସକୁ ପସାଇ ଲୋକଙ୍କୁ ମାଡ ମରାଉଛନ୍ତି ବୋଲି ସଚିବ ମଙ୍ଗଡୁ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର