ମହାପ୍ରଭୁଙ୍କ ମହାସ୍ନାନ ପରେ ଗଜାନନ ବେଶ ଆରମ୍ଭ

ପୁରୀ : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ମହାପ୍ରଭୁ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉ ସ୍ନାନ କରିଛନ୍ତି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସେହି ଦିନଠାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଗଜାନନବେଶ ଅନୁଷ୍ଠିତ ହୋଇଆସୁଛି ।

ଏହି ବେଶପାଇଁ  ପ୍ରଭୁ ବଳଭଦ୍ରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ଓ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ  ରାଘବଦାସ ମଠରୁ ବେଶସାମଗ୍ରୀ ଆସିଥାଏ ।

ତେବେ ଆଜି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହରା କରିନାହାନ୍ତି । ଗଜପତିଙ୍କ ତରଫରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରା ପହରା କରିଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।

ଆଜି ବ୍ରାହ୍ମ ମୂହୂର୍ତ୍ତରେ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ । ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତି ପରେ ସ୍ନାନ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର