ମୋହନା : ଗଜପତି ଜିଲ୍ଲା ମୋହନାରେ ବାଲଟ୍‌ ଜାଲିଆତି ଉଦ୍ୟମ ଧରାପଡ଼ିଛି। ପ୍ରଶାସନ ନିଜେ ସାଜିଥିଲା ଏଜେଣ୍ଟ୍‌। ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଜାଣତରେ କୁଆଡ଼େ ଜାଲିଆତି ଉଦ୍ୟମ ହୋଇଥିଲା। ଆଉ ଏଥିପାଇଁ ଷ୍ଟ୍ରଙ୍ଗ୍‌ରୁମ୍‌ ତାଲାକୁ ଦଳୀୟ ପ୍ରତିନିଧିଙ୍କ ଆଗରେ ଖୋଲିବାକୁ କୁନ୍ଥୁକୁନ୍ଥୁ ହୋଇଥିଲେ ମୋହନା ବିଡିଓ। ଶେଷରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଜିଦ୍‌ ଆଗରେ ମୁଣ୍ଡ ନୂଅଁାଇ ଷ୍ଟ୍ରଙ୍ଗ୍‌ରୁମ୍‌ ତାଲାକୁ ଖୋଲିବାରୁ ଅସଲ ତଥ୍ୟ ପଦାକୁ ଆସିଛି। ପ୍ରଶାସନର ବାଲଟ୍‌ ଜାଲିଆତିକୁ ପ୍ରାର୍ଥୀ ଓ ସ୍ଥାନୀୟ ଲୋକେ ପଣ୍ଡ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ମୋହନା ବ୍ଲକ୍‌ର ତିନିଟି ଜୋନ୍‌ରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ଟି ଷ୍ଟ୍ରଙ୍ଗ୍‌ରୁମ୍‌ ହୋଇଛି। ପ୍ରାର୍ଥୀଙ୍କ ଅନୁରୋଧ କ୍ରମେ(ଅଧିକାର) ୨ଟି ଷ୍ଟ୍ରଙ୍ଗରୁମକୁ ବିଡିଓ ତପସ୍ବିନୀ ହ‌ାଁସଦା ଖୋଲି ଦେଖାଇବା ସହ ସିଲ୍‌ କରିଥିଲେ। କିନ୍ତୁ ତୃତୀୟ ଷ୍ଟ୍ରଙ୍ଗ୍‌ରୁମ୍‌ ଦେଖାଇବାକୁ ରୋକଠୋକ ମନା କରିଥିଲେ। କିନ୍ତୁ ପ୍ରାର୍ଥୀମାନେ ତୃତୀୟ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଦେଖାଇବାକୁ ଜିଦ୍‌ ଧରିଥିଲେ। ହେଲେ, ବିଡିଓ ଅରାଜି ହେବାରୁ ସେମାନଙ୍କ ମନରେ ସନ୍ଦେହ ଦାନା ବାନ୍ଧିଥିଲା। ଏହି ସମୟରେ ହଠାତ୍‌ ଡିଆରଡିଏ ପିଡି ଅନାମ ଚରଣ ପାତ୍ର ଅନଧିକାର ଭାବେ ପଶି ଆସିଥିଲେ। ଏହାକୁ ନେଇ ପ୍ରାର୍ଥୀମାନେ ହୋ’ହଲ୍ଲା କରିବା ସହ ନିର୍ବାଚନ ଅଧିକାରୀ ଥାଉ ଥାଉ ଆପଣଙ୍କର କ’ଣ କାମ ବୋଲି ପଚାରିଥିଲେ। ପ୍ରଶ୍ନବାଣରେ ଛନ୍ଦି ଦେଇଥିଲେ। ମାତ୍ର, ପିଡି ଶ୍ରୀ ନାୟକ କୌଣସି ସଠିକ୍‌ ଉତ୍ତର ଦେଇ ନପାରି ଥତମତ ହୋଇ ବିଡିଓଙ୍କୁ ସାହାଯ୍ୟ କରିବାକୁ ଆସିଥିବା ସଫେଇ ଦେଇଥିଲେ। ଏହାକୁ ନେଇ ବେଶ୍‌ କିଛି ସମୟ ଚାପା ଉତ୍ତେଜନା ଲାଗି ରହିବା ପ‌ରେ ବିଡିଓ ଅନ୍ୟ ଉପାୟ ନପାଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ତାଙ୍କୁ ଫୋନ୍‌ ଯୋଗେ ଅବଗତ କରିଥିଲେ। ଜିଲ୍ଲାପାଳ ତୃତୀୟ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଖୋଲି ଦେଖାଇ ସିଲ୍‌ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ବିଡିଓ ୪ ନଂ କୋଠରିରେ ଥିବା ତୃତୀୟ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଖୋଲାଯାଇଥିଲା। ଏହି ରୁମ୍‌ରେ ଜିଲ୍ଲାପରିଷଦ ସଭ୍ୟ ମତଦାନ ପାଇଁ ଉଦ୍ଦିଷ୍ଟ ୯୭୮୩, ସମିତି ପାଇଁ ୮୦୧୪, ନାକଚ ୧୧୯୭, ସରପଞ୍ଚ ପାଇଁ ୫୦୦, ନାକଚ ବାଲଟ୍‌ ପେପର୍‌ ୨୫ଟି, ଵାର୍ଡସଭ୍ୟ ପାଇଁ ୭୧୯୦୦ ବାଲଟ୍‌ ପେପର ମିଳିଥିଲା। ସେହିଭଳି, ସରପଞ୍ଚ ପାଇଁ ୬୨, ସମିତିସଭ୍ୟ ପାଇଁ ୨୫୦, ଵାର୍ଡ ସଭ୍ୟ ପାଇଁ ୧୦୦ , ଜିଲ୍ଲାପରିଷଦ ପାଇଁ ୩ଟି ନାକଚ ବାଲଟ୍‌ ପେପର୍‌ ବାହାର କରାଯାଇଥିଲା।

ପରେ, ବିଡିଓ ଏବ˚ ଅଡ଼ବା ଜିଲ୍ଲା ପରିଷଦ ଜୋନ ପ୍ରାର୍ଥିନୀ ରୀନା ପ୍ରଧାନ(କ˚ଗ୍ରେସ), ମୋହନା ଜୋନ୍‌ ପ୍ରାର୍ଥିନୀ ସସ୍ମିତା ମଳିକ(ବିଜେପି) ଓ ରାଜନୈତିକ କର୍ମୀ ସାଗର ବଳିୟାରସି˚, ଜିତେନ୍ଦ୍ର କୁମାର ବେହେରାଙ୍କ ଉପସ୍ଥିତିରେ ଏହି ତଥ୍ୟ ସମ୍ବଳିତ ଲିଖିତ ରାଜିନାମା ସ୍ବାକ୍ଷରିତ କରାଯାଇ ଷ୍ଟ୍ରଙ୍ଗରୁମ୍‌କୁ ସିଲ୍‌ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।