ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି ଓ ପରିଚାଳନା କମିଟି

ପ୍ରଚଳନ ହେଉ ଶ୍ରୀଜଗନ୍ନାଥ ଆଚାର ସଂହିତା: ଶଙ୍କରାଚାର୍ଯ୍ୟ, ତିନିମାସରେ ଥରେ ବସିବ ଆଲୋଚନା ବୈଠକ

ପୁରୀ : ଶ୍ରୀମନ୍ଦିରରେ ଚାଲିଥିବା ନୀତି ବିଭ୍ରାଟ ସଂପର୍କରେ ସୁପ୍ରିମକୋର୍ଟ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆବଶ୍ୟକ ପରାମର୍ଶ ନେବା ସଂପର୍କରେ ଆଦେଶ ଦେବା ପରେ ଆଜି ଗଜପତି ମହାରାଜଙ୍କ ସହ ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ମହାପ୍ରଭୁଙ୍କ ନୀତି ବିଭ୍ରାଟ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଆବଶ୍ୟକ ପରାମର୍ଶ ନେଇଛନ୍ତି। ବିସ୍ତୃତ ବିଚାରବିମର୍ଶ ପରେ ଏଣିକି ବର୍ଷକୁ ତିନି ମାସରେ ଥରେ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ସହ ପରିଚାଳନା କମିଟି ଉପସ୍ଥିତିରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଜଗଦଗୁରୁ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀଜଗନ୍ନାଥ ଆଚାର ସଂହିତା ପ୍ରଚଳନ କରିବାକୁ ମତ ରଖିଛନ୍ତି।

ଆଜି ମଧ୍ୟାହ୍ନରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ବର ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ସେବାୟତମାନେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀମନ୍ଦିର ନୀତି, ପରମ୍ପରା ଓ ବିକାଶ ସଂକ୍ରାନ୍ତରେ ପ୍ରାୟ ଦୁଇଘଣ୍ଟା ଧରି ଆଲୋଚନା କରିଥିଲେ। ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ହିସାବରେ ଶ୍ରୀମନ୍ଦିର ନୀତିରେ ଶୃଙ୍ଖଳା ସହ ବିକାଶ କାର୍ଯ୍ୟ ଉପରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିଥିଲେ। ଅନ୍ୟମାନେ ବି ନିଜ ନିଜ ମତାମତ ରଖିଥିଲେ। ଆଲୋଚନା ବୈଠକ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଧାର୍ମିକ, ଆଧ୍ୟାତ୍ମିକ ପୀଠର ସଂଚାଳନ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ନିହାତି ଦରକାର। ଧାର୍ମିକ ପୀଠର ସଂଚାଳନ ଧାର୍ମିକ, ଆଧ୍ୟାତ୍ମିକ ଦିଗକୁ ନେଇ ସଦ୍‌ଭାବ ପୂର୍ବକ ହେବା ଦରକାର। ସୁପ୍ରିମକୋର୍ଟଙ୍କ ନିକଟରେ ଯେଉଁ ଯେଉଁ ଗ୍ରନ୍ଥ ସବୁର ମୁଁ ନାଁ ନେଇଥିଲେ, ସେହି ଗ୍ରନ୍ଥ ଆଧାରରେ ଶ୍ରୀଜଗନ୍ନାଥ ଆଚାର ସଂହିତା ପ୍ରଚଳନ ହେବା ଦରକାର। ଏହା ଆଧାରରେ ଶ୍ରୀମନ୍ଦିର ପରିଚାଳନା ହେଉ। ଯଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବ। କିନ୍ତୁ ଏ ସରକାର ଧର୍ମକୁ ଭାଗ ଭାଗ କରି ଦେଇଛନ୍ତି। ଯେଉଁଥି ପାଇଁ ଏତେ ସବୁ ବିଶୃଙ୍ଖଳା ଉପୁଜୁଛି।

ଶ୍ରୀମନ୍ଦିରର ସବୁକିଛି ଧାର୍ମିକ ଓ ଆଧ୍ୟାତ୍ମିକ ଦିଗ ଉପରେ ଆଧାରିତ ହୋଇଥିବା ବେଳେ ଏହାର ଅନୁପାଳନ ସମସ୍ତେ କରିବା ଦରକାର। ସହଭାଗିତା ଭିତ୍ତିରେ ସରକାର କାମ କରିବା ଦରକାର। ଯେପରି କୌଣସି ଶୋଷକ ଏହି ପବିତ୍ର ସ୍ଥାନରେ ଅନୁପ୍ରବେଶ କରିପାରିବେ ନାହିଁ। ଏହା ସମସ୍ତଙ୍କର ପ୍ରମୁଖ ଲକ୍ଷ୍ୟ ହେଉ। ଏହା ଦ୍ବାରା ଶ୍ରୀମନ୍ଦିର ସାରା ବିଶ୍ବ ପାଇଁ ମାର୍ଗଦର୍ଶକ ହୋଇପାରିବ ବୋଲି ସେ ପରିଚାଳନା କମିଟିକୁ ପରାମର୍ଶ ଦେଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଶ୍ରୀମନ୍ଦିର ସଂସ୍କୃତି, ବିକାଶ ସଂପର୍କରେ ଆଜି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ସଂସ୍କୃତି ଓ ବିକାଶ ଏଭଳି ଢଙ୍ଗରେ ହେଉ, ଯାହାକୁ ସାରା ବିଶ୍ବ ଅନୁକରଣ କରିବ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ଏହାବାଦ୍ ବିଭିନ୍ନ ପୌରାଣିକ ଗ୍ରନ୍ଥ ଆଧାରରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ କରାଯାଉ ବୋଲି ସେ କହିଥିଲେ। ଏଥି ସହ ପ୍ରତି ତିନି ମାସରେ ଥରେ ପରିଚାଳନା କମିଟି ଗୋବର୍ଦ୍ଧନ ପୀଠକୁ ଆସି ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀମନ୍ଦିର ରୀତିନୀତି ସଂପର୍କରେ ଆବଶ୍ୟକ ପରାମର୍ଶ ନେବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ କୁମାର କହିଥିଲେ।

ସମ୍ବନ୍ଧିତ ଖବର