ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ: ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ବ୍ୟାହତ

ପାରଳାଖେମୁଣ୍ଡି: ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଉଛି।  ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଜୋରଦାର ପ୍ରତିବାଦ ଜାରି ରଖିଛନ୍ତି ଏବଂ ତାଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛନ୍ତି।

ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି। କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଆଜି ଗଜପତି ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି।

ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି।

ବନ୍ଦ ପ୍ରଭାବରେ ଯାତ୍ରୀବାହୀ ଯାନବାହନ ସେବା ଠପ ହୋଇଯାଇଛି। ପେଟ୍ରୋଲ ପମ୍ପ , ବ୍ୟାବସାୟିକ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଛୋଟ ବଡ଼ ଦୋକାନ ଇତ୍ୟାଦି ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ମମିତା ମେହେରଙ୍କ ହତ୍ୟାକାଣ୍ଡରେ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ବିରୋଧ କରି ଭାଜପାର ବନ୍ଦ ଡାକରା ଗଜପତି ଜିଲ୍ଲାର କାଶୀନଗର ଏନଏସି , କାଶୀନଗର ବ୍ଲକ, ଗୁମ୍ମା ବ୍ଲକ, ଗୋଷାଣୀ ବ୍ଲକ, ରାୟଗଡ଼ ବ୍ଲକ, ନୂଆଗଡ଼ ବ୍ଲକ, ରା.ଉଦୟଗିରି ଏବଂ ମୋହନା ବ୍ଲକରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ଦିଗରେ ପୁଲିସର ସଜାଗ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର