ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପୁରୀ ଗଜପତି ମହାରାଜା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଜପତି ମହାରାଜା କରୋନା ପଜଟିଭ୍ ଚିହ୍ନଟ ହୋଇଥିବାରୁ ସେ ଫେବ୍ରୁଆରି ୧୯ ତାରିଖରେ ରାଷ୍ଟ୍ରପତିଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନାହିଁ। ଗଜପତିଙ୍କ ଅନୁପସ୍ଥିିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯିବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶିଷ୍ଟମାନଙ୍କର ଆଜି କରୋନା ପରୀକ୍ଷା କରାଯାଇଥିଲା। ଏହି କ୍ରମରେ ଗଜପତି ମହାରାଜାଙ୍କର ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ଗଜପତିଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ଗଜପତି ମହାରାଜା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନାହାନ୍ତି। ସେ ବର୍ତ୍ତମାନ ପାଇଁ ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବେ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନରେ ପୁରୀରେ ପହଞ୍ଚିବେ । ୨୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀସ୍ଥିତ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିବେ । ଏହା ପରେ ଶରଧାବାଲି ପଡ଼ିଆ ଠାରେ ଭକ୍ତି ସିଦ୍ଧାନ୍ତ ଗୋସ୍ୱାମୀଙ୍କର ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବେ। ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/d6a9fec5-7396-462b-bed1-f3072c6e5e6f.jpg)