ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ନିକଟରେ ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଯାହାର ପ୍ରଭାବ ଆନ୍ଧ୍ର ସୀମାନ୍ତ ଗଜପତିଜିଲ୍ଲା ଉପରେ ପଡ଼ିବାର ସମ୍ଭାବନା ରହିଥିବାରୁ ଜିଲ୍ଲାକୁ ରେଡ୍ ଜୋନ୍ ପରିସରଭୁକ୍ତ କରାଯାଇଛି। ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୮ ତାରିଖ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ବହିବା ସମ୍ଭାବନା ରହିଛି। ଫଳରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଆଉ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୭ଟି ବ୍ଲକ୍ ଓ ଦୁଇଟି ସହରାଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍ ଅଫିସର୍ ଭାବେ ନିୟୋଜିତ କରାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ବ୍ଲକ୍, ତହସିଲ ଓ ସମସ୍ତ ବିଭାଗୀୟ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା ହୋଇଥିବା ନେଇ ଜିଲ୍ଲାପାଳ ମଧୁମିତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ
୨୭ରୁ ୩୦ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ଭୂସ୍ଖଳନପ୍ରବଣ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର
/filters:format(webp)/sambad/media/media_files/2025/10/27/sfhfs64h65-2025-10-27-03-30-09.jpg)
ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଗର୍ଭବତୀଙ୍କୁ ମା’ଗୃହକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଦୁଇଟି ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ରହିବେ। ସେହିପରି ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳରେ ସେମାନେ ଲୋକଙ୍କୁ ଉଦ୍ଧାର କରିବେ। ମାଇକ୍ ଜରିଆରେ ସମସ୍ତ ଗ୍ରାମାଞ୍ଚଳରେ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ଯାଞ୍ଚ କରି ଯୁଦ୍ଧକାଳୀନ ଭିତ୍ତିରେ ମରାମତି ସହ ବିଦ୍ୟୁତ୍, ଜେନେରେଟର୍ ଓ ପିଇବା ପାଣି ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ ରଖାଯିବ। ଲୋକେ ସ୍ଥାନାନ୍ତର ହେଲେ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଆଦି ଯୋଗାଇ ଦିଆଯିବ। ଏଥିପାଇଁ ସାତଟି ବ୍ଲକ୍ରେ ବରିଷ୍ଠ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଓ ପାହାଡ଼ ତଳ ଅଞ୍ଚଳଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବ। ସେହିପରି ଯେଉଁମାନଙ୍କ ଘର ଦୁର୍ବଳ ଅବସ୍ଥାରେ ରହିଛି ସେହି ପରିବାରକୁ ନେଇ ବାତ୍ୟା ଆଶ୍ରୟସ୍ଥଳରେ ରଖାଯିବ। ଆବଶ୍ୟକସ୍ଥଳେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/hgfshfhfh-2025-10-27-03-29-55.jpg)