ପୁରୀ: ଶ୍ରୀଗୁଣ୍ଡିଚା ପରଦିନଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାଲିଥିବା ମରାମତି କାର୍ଯ୍ୟ ତାଦରଖ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଯାଇ ଏହି ମରାମତି କାର୍ଯ୍ୟ ତଦାରଖ କରିଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ରତ୍ନଭଣ୍ଡାର କାର୍ଯ୍ୟ ମରାମତି ସରିଲେ ରତ୍ନ ଗଣତି ମଣତି ଆରମ୍ଭ ହେବ ବୋଲି ଗଜପତି କହିଥିବା ବେଳେ ମହାପ୍ରଭୁ କରନ୍ତୁ କି ନୀଳାଦ୍ରିବିଜେ ପୂର୍ବରୁ ମରାମତି କାମ ସରିଯାଉ ବୋଲି କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଗଜପତି କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ବହୁବର୍ଷ ପରେ ରତ୍ନଭଣ୍ଡାର ମରାମତି ହେଉଛି। ଏହି ମରାମତି ନିତାନ୍ତ ଆବଶ୍ୟକ ଥିଲା। ଏହି ମରାମତି କାମ ଯେତେଶୀଘ୍ର ସରିବ ସେତେ ଶୀଘ୍ର ଗଣତି ମଣତି ହେବ। ରାଜ୍ୟ ସରକାର ଏଥିପାଇଁ ଏକ କମିଟି ଗଠନ କରିଛନ୍ତି। ଏବେ ବି ଧାର୍ଯ୍ୟ ସମୟରେ କାମ ସରିବା ନିଶ୍ଚିତ ନଥିବାରୁ ମଣତି ଗଣତି ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି, ମରାମତି କାମ ପାଖାପାଖି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଜି ଗଜପତି ଓ ବୈଷୟିକ କମିଟି ସଦସ୍ୟ ଏହି ମରାମତି ଅନୁଧ୍ୟାନ କରିଛନ୍ତି। ଭିତର ରତ୍ନଭଣ୍ଡାର ପ୍ରାୟତଃ ସରିଯାଇଛି। ବାହାର ରତ୍ନଭଣ୍ଡାରେ କିଛି ବିମ୍ ଲାଗିବା କେବଳ ବାକି ଅଛି। ଚଟାଣ ମଧ୍ୟ ସରିଛି। କେବଳ କେମିକାଲ୍ କ୍ଲିନିଂ ହେବ।
‘ଭଗବାନ କରନ୍ତୁ, ନୀଳାଦ୍ରିବିଜେ ପୂର୍ବରୁ କାମ ସରିଯାଉ’
ପରିବର୍ତ୍ତନ ହେଲାଣି ୬ଶହ ସାଆଣ ପଥର
ସିନ୍ଦୁକ ପାଇଁ ଚଉଡ଼ା ହେଲା ରତ୍ନଭଣ୍ଡାର ଦୁଆର
ମହାପ୍ରଭୁଙ୍କ କୃପା ହେଲେ ନୀଳାଦ୍ରି ବିଜେ ପୂର୍ବରୁ କାମ ସରିଯିବ। ଏ ନେଇ ଆମେ ଏଏସ୍ଆଇକୁ ଅନୁରୋଧ କରିଛୁ। ବାହାର ରତ୍ନଭଣ୍ଡାରର ଯେଉଁ ପୁରୁଣା କାଠ ଦୁଆର ଥିଲା ତାହା ହଟାଇ ଦିଆଯାଇଛି। ବର୍ମାଟିକ୍ ଉଡ୍ର ଦୁଆର ଲାଗିବାକୁ ରହିଛି। ଆସନ୍ତାକାଲି ସୁଦ୍ଧା ଲାଗିଯିବା ସମ୍ଭାବନା ରହିଛି। ଷ୍ଟେନ୍ଲେସ୍ ଷ୍ଟିଲ୍ ବିମ୍ ଜରିଆରେ ଏହି କବାଟକୁ ଖଞ୍ଜା ଯାଇଛି। ଗତକାଲି ଏହି କାମ ଶେଷ ହୋଇଛି। ବାହାର କାଠ ଦୁଆରକୁ ରୁପା ଓ ଭିତର କବାଟକୁ ସ୍ବର୍ଣ୍ଣ ଆଚ୍ଛାଦିତ କରାଯିବ। ପରବର୍ତ୍ତୀ ସମୟରେ ଏହା କରାଯିବ। ଗର୍ଭଗୃହର ମରାମତି ଓ ସଂରକ୍ଷଣ ଅନେକ ଗୁରୁତ୍ବ ବହନ କରେ। ଏଠାରେ ଷ୍ଟେନ୍ଲେସ୍ ଷ୍ଟିଲ୍ର ଜାଲି ଲାଗୁଛି। ଏହା ଛଡ଼ା ଅନ୍ୟାନ୍ୟ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ଗତବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା। ଡିସେମ୍ବରରେ ମରାମତି ଆରମ୍ଭ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ଗତ ଏପ୍ରିଲ୍୨୯ ତାରିଖରୁ କାମ ବନ୍ଦ ରଖା ଯାଇଥିଲା। ମହାପ୍ରଭୁ ରତ୍ନବେଦି ଛାଡ଼ିବା ପରେ ପୁଣି ଥରେ କାମ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୬୦୦ ସାଆଣ ପଥର ବଦଳା ସରିଲାଣି। ୮ ତାରିଖ ସନ୍ଧ୍ୟାରେ ନୀଳାଦ୍ରି ବିଜେ ରହିଛି। ଏହି ୫ ଦିନ ଭିତରେ ସବୁ କାମ ସରିଯିବ ବୋଲି ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ ଡିବି ଗଡ଼ନାୟକ କହିଛନ୍ତି। ରତ୍ନ ରଖିବା ପାଇଁ ଏକ ସ୍ବତନ୍ତ୍ର ସିନ୍ଦୁକ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରତ୍ନଭଣ୍ଡାର ଦୁଆର ଅଣଓସାରିଆ ଥିବାରୁ ସିନ୍ଦୁକ ପଶି ପାରି ନଥିଲା। ଦୁଆର ମଧ୍ୟ ଦୁର୍ବଳ ଥିଲା। ଏଣୁ ଏହି ଦୁଆରକୁ ହଟାଯାଇ ଓସାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/04/fhsfhhf-2025-07-04-03-47-44.jpg)