ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ଗଜପତିଙ୍କୁ କିଛି ପାଉଣା ମିଳେନି

ଗଜପତିଙ୍କ ମାସିକ ଭତ୍ତା ମାତ୍ର ୩୦ ହଜାର

ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ମିଳୁଛି ଏହି ଭତ୍ତା
ଛେରା ପହଁରା ବାବଦକୁ କିଛି ପାଉଣା ମିଳେନି
କେନ୍ଦ୍ର ସରକାର ଦେଉଛନ୍ତି ମାତ୍ର ୨ହଜାର ଟଙ୍କା

ପୁରୀ : ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ କୌଣସି ପ୍ରକାର ପାଉଣା ଦିଆଯାଏ ନାହିଁ। ଏପରିକି ଛେରା ପହଁରା ବାବଦକୁ ବି କୌଣସି ପାଉଣା ମିଳେନାହିଁ। ତାଙ୍କୁ କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଭାବେ ମାସିକ ୩୦ ହଜାର ଟଙ୍କା ଦିଆଯାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ପ୍ରଥମ ସେବକ। ମୁକ୍ତିମଣ୍ଡପ ଓ ମୁକ୍ତିମଣ୍ଡପ ପଣ୍ଡିତସଭାର ପ୍ରମୁଖ ପୃଷ୍ଠପୋଷକ। ଅଗଣିତ ଭକ୍ତ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭାବେ ଯେତିକି ଭକ୍ତି ‌ଦେଖାନ୍ତି, ସେତିକି ସମ୍ମାନ ବି ଦେଇଥାନ୍ତି। କିନ୍ତୁ ବେଶ କିଛିଦିନ ହେବ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗଜପତି ମହାରାଜଙ୍କୁ ନେଇ ନାନା ଅରୁଚିକର ଖବର ପ୍ରଚାର ହେଉଛି। ଏପରିକି କଟକରୁ ପ୍ରକାଶିତ ଏକ ୱେବ୍‌ ଖବରକାଗଜରେ ଗଜପତି ମହାରାଜଙ୍କୁ ‘ପେଡ୍‌ କିଙ୍ଗ୍‌’ର ଆଖ୍ୟା ଦେଇ ସଂପାଦକୀୟ ପ୍ରକାଶ କରାଯାଇଛି। ଏହାକୁ ନେଇ ପୁରୀବାସୀଙ୍କ ସମେତ ରାଜ୍ୟର ଅଗଣିତ ଜଗନ୍ନାଥ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ଏଭଳି ଅପପ୍ରଚାରକୁ ଘୋର ବିରୋଧ କରିଛନ୍ତି। ତେଣୁ ଏହାର ସତ୍ୟତା ନେଇ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ଗଜପତି ମହାରାଜଙ୍କୁ ବାର୍ଷିକ ୫ଲକ୍ଷ ଟଙ୍କା ମିଳୁଥିବା ଖବର ମିଛ। ମହାପ୍ରଭୁଙ୍କ ପ୍ରଥମ ସେବକ ହୋଇଥିଲେ ବି କେବଳ ପରିଚାଳନା କମିଟିର ଅଧ୍ୟକ୍ଷ ବାବଦକୁ ଗଜପତି ମହାରାଜ ବାର୍ଷିକ ୩.୬ ଲକ୍ଷ ଟଙ୍କା ପାଇଥାନ୍ତି। ମାସିକ ପ୍ରାପ୍ୟ ଉପରେ ନଜର ପକାଇଲେ ଜଣେ ସରକାରୀ କର୍ମଚାରୀଙ୍କ ଦରମାଠାରୁ ବି ଏହା ବହୁତ କମ୍‌। ସେପଟେ କେନ୍ଦ୍ର ସରକାର ବି ବ୍ରିଟିଶ ଜମାନାରୁ ପଲଟିକାଲ ପେନ୍‌ସନ୍‌ ଆକାରରେ ମାସିକ ୨ହଜାର ଟଙ୍କା ଦେଉଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଗଜପତି ମହାରାଜଙ୍କୁ ସେବକ ଭାବେ କୌଣସି ପ୍ରାପ୍ୟ ଦିଆଯାଏନି। ସବୁ ସେବକଙ୍କ ଭଳି କେବଳ ଦୈନିକ ଖେଇ ପାଇଥାନ୍ତି। ଛେରା ପହଁରା କି ଅନ୍ୟ ସେବା ବାବଦକୁ କିଛି ପ୍ରାପ୍ୟ ଦିଆଯାଏନି। ଗଜପତି ମହାରାଜ ଯେହେତୁ ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ରହିଛନ୍ତି, ସେଥିପାଇଁ ଆଇନ ବିଭାଗ ଅନୁମୋଦନ କ୍ରମେ ମାସିକ ୩୦ହଜାର ଟଙ୍କା ପ୍ରାପ୍ୟ ଆକାରରେ ପ୍ରଦାନ କରାଯାଉଛି। ହିସାବ କଲେ ବର୍ଷକୁ ୩.୬ ଲକ୍ଷ ଟଙ୍କା ମିଳେ। ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ନିକଟରେ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଗଜପତି ମହାରାଜଙ୍କ ଏହି ପ୍ରାପ୍ୟ ବୃଦ୍ଧି ପାଇଁ ଚିଠି କରାଯାଇଥିଲା। ବାର୍ଷିକ ୩.୬ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗରୁ କୌଣସି ଚିଠି ଆସିନି। ପୁରୁଣା ଭତ୍ତା ହିସାବରେ ଏବେ ବି ଗଜପତି ମହାରାଜ ମାସିକ ୩୦ହଜାର ଟଙ୍କା ପାଉଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ସେପଟେ ଶ୍ରୀମନ୍ଦିରରୁ ଖେଇ ବାବଦକୁ ଗଜପତି ମହାରାଜ ଦୈନିକ ୭ କେଜି ୩୫୦ ଗ୍ରାମ ଚାଉଳ ଚୁନା ପାଉଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଦୀର୍ଘ ୨ଶହ ବର୍ଷ ହେବ ମହାରାଜମାନଙ୍କୁ ମାସିକ ୨ହଜାର ଟଙ୍କା ପ୍ରଦାନ କରୁଛନ୍ତି। ସେହି ଅନୁସାରେ ପୁରୀ ଗଜପତି ମହାରାଜ ବି ପୁରୁଣା ଢ଼ାଞ୍ଚାରେ କେନ୍ଦ୍ର ସରକାରଙ୍କଠାରୁ ମାତ୍ର ୨ହଜାର ଟଙ୍କା ମାସିକ ପାଉଣା ପାଉଛନ୍ତି। ୨ଶହ ବର୍ଷ ପରେ ବି ଏଥିରେ ‌କୌଣସି ପରିବର୍ତ୍ତନ କରାଯାଇନି। ଏଭଳି ବିଭ୍ରାନ୍ତିକର ସମାଲୋଚନାରୁ ଦୂରେଇ ନ ରହିଲେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ଏପରିକି ପ୍ରକାଶିତ ସଂପାଦକୀୟକୁ ନେଇ ସମ୍ପୃକ୍ତ ଗଣମାଧ୍ୟମ କ୍ଷମା ପ୍ରାର୍ଥନା କରିବାକୁ ସଂଗଠନ ଦାବି କରିଛି।

ସମ୍ବନ୍ଧିତ ଖବର