ପାରଳାଖେମୁଣ୍ଡି : ‘ତିତ୍ଲି’ ପ୍ରଭାବରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଗଜପତି ଜିଲ୍ଲା। ଏହି ଜିଲ୍ଲାରେ ଦୁଃଖଦ ପାହାଡ଼ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ଗତକାଲି ସୁଦ୍ଧା ୧୩ ଜଣଙ୍କର ମୃତଦେହ ମିଳିଥିଲା। ଆଜି ଆଉ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ, ଅନ୍ୟ ୩ ଜଣଙ୍କ ମୃତଦେହକୁ ଏଯାବତ୍ ଠାବ କରାଯାଇନାହିଁ।
ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ବାରଘର ଗ୍ରାମରେ ପାହାଡ଼ ଧସିବା ଫଳରେ ପଥରଗଦା ତଳେ ୧୮ ଜଣ ଲୋକ ଚାପି ହୋଇଯାଇଥିଲେ। ଏହି ୧୮ ଜଣ ମହେନ୍ଦ୍ରଗିରି ପାହାଡ଼ ତଳେ ଥିବା ଗୁମ୍ଫାରେ ଆଶ୍ରୟ ନେଇଥିଲେ।
ଆଜି ସୁଦ୍ଧା ମିଳିଥିବା ଶବଗୁଡ଼ିକୁ ଗ୍ରାମରେ ହିିଁ ସ୍ବତନ୍ତ୍ର ମେଡିକାଲ ଟିମ୍ ଦ୍ବାରା ବ୍ୟବଚ୍ଛେଦ କରାଯାଇଛି ଓ ତା’ପରେ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ନିଖୋଜ ତିନି ଜଣଙ୍କୁ ପଥର ଗଦା ଭିତରୁ ଉଦ୍ଧା ଲାଗି ଅପରେସନ୍ ଚାଲିଛି।
ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଏମ୍ଓ ଡା.ବିପିନ ବିହାରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ମେଡିକାଲ ଟିମ୍ ସେଠାରେ ଉପସ୍ଥିତ ଅଛନ୍ତି।
‘ ବାତ୍ୟା ସମୟରେ ବଡ଼ ବଡ଼ ପଥର ଧସି ବିସ୍ତୀର୍ଣ ଇଲାକା ଏକ ବିଶାଳ ପଥର ସ୍ତୂପରେ ପରିଣତ ହୋଇଛି। ଏଥିରେ ଗୁମ୍ଫାଗୁଡ଼ିକ ମଧ୍ୟ ପଥର ଗଦାରେ ମିଶି ଯାଇଛି। ଏଣୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି,’ ବୋଲି ଏସପି ଅମୂଲ୍ୟକୁମାର ଦାଶ ପ୍ରକାଶ କରିଛନ୍ତି।
ଗଜପତି ଜିଲ୍ଲାପାଳ ଅନୁପମ ଶାହା ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ସହିତ କହିଛନ୍ତି ଯେ, ‘ ବାତ୍ୟା ଓ ପଥର ଧସି ଜିଲ୍ଲାରେ କେତେ ଜଣ ମୃତାହାତ ହୋଇଛନ୍ତି ତାହାର ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି।’‘ ପାହାଡ଼ ଧସିଥିବା ଦୁର୍ଗମ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମରେ ସମସ୍ତ ବିପନ୍ନଙ୍କୁ ଆଜି ଠାରୁ ୧୫ ଦିନ ଲାଗି ରିଲିଫ୍ ଯୋଗାଣ ଓ ରନ୍ଧାଖାଦ୍ୟ ବ୍ୟବସ୍ଥା ଚାଲୁ କରାଯାଇଛି,’ ବୋଲି ଶ୍ରୀ ଶାହା କହିଛନ୍ତି।
ସେହିଭଳି. ଜିଲ୍ଲାରେ ବିଭିନ୍ନ ଦୁର୍ଗମ ସ୍ଥାନରେ ପଥର ଧସି ଓ ରାସ୍ତା ନଥିବାରୁ ସେ ସବୁ ଅଞ୍ଚଳରେ ପହଞ୍ଚିବା ଉଦ୍ଧାରକାରୀ ଦଳ ପକ୍ଷରେ ସମ୍ଭବ ହେଉ ନଥିଲା। ଆଜିଠାରୁ ସବୁ ଅଞ୍ଚଳକୁ ରାସ୍ତା କାମ, ସଫେଇ ଓ ବିଦ୍ୟୁତ, ପାଣି ଯୋଗାଣ କାମ ଆରମ୍ଭ ହୋଇଛି ଆସନ୍ତା ପାଞ୍ଚ ଛଅ ଦିନ ଭିତରେ ଏ ସମସ୍ତ କାମ ସାରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/landslidedeath-2.jpg)