ଶ୍ରୀମନ୍ଦିର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜ

 

ଭୁବନେଶ୍ୱର: ପୁରୀ  ଶ୍ରୀମନ୍ଦିରର ପରିଚାଳନା ନେଇ  ଗଜପତି ମହାରାଜ ଦିବ୍ୟସିଂହ ଦେବ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।  ଗଜପତି ମହାରାଜ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ସମୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର କମହାନ୍ତି, ମୁଖ୍ୟ  ଶାସନ ସଚିବ ଆଦିତ୍ୟ ପ୍ରସଦେ ପାଢ଼ୀ,, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିିତ ଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହେଉଛନ୍ତି ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ। ତେବେ ନିକଟରେ ମନ୍ଦିରର ପରିଚାଳନା କମିଟି ପୁର୍ନଗଠିତ ହେବା ପରେ କମିଟିର  ପ୍ରଥମ ବୈଠକ  ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଯାଇଛି। ତେଣୁ ଆଜି ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନେଇ ଗଜପତି ମହାରାଜ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିବା କୁହାଯାଉଛି। ବିଶେଷ କରି ଶ୍ରୀମନ୍ଦିର ସହିତ ଜଡିତ ଅନୁଷ୍ଠାନ, ସେବାୟତଙ୍କ ଉନ୍ନତି ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଗତ କିଛି ଦିନ ହେବ ମନ୍ଦିର ପରିଚାଳନା କମିଟି ଚର୍ଚ୍ଚାରେ ରହିଛି। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବା ଜରୁରି ହୋଇପଡ଼ିଥିବାରୁ , ଏହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଥିବା ବେଳେ  ଗଜପତି ମହାରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମନ୍ଦିର ପରିଚାଳନା ସମ୍ପର୍କରେ ଆଲୋଚନା କରିବାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ବୈଠକ ପରେ  ଗଜପତି ମହାରାଜ କହିଛନ୍ତି ଯେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଇଛୁ। ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଗୁଣ୍ଡିଚା ମନ୍ଦିରର ଉନ୍ନତି,ଦକ୍ଷିଣ ଏମାର ମଠାର ଉନ୍ନତି, ବଡ଼ଦାଣ୍ଡର ଉନ୍ନତି ଓ  ଶ୍ରୀମନ୍ଦିରର ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା  ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଥିବା ଗଜପତି ମହାରାଜ କହିଛନ୍ତି।

ସମ୍ବନ୍ଧିତ ଖବର