ଭୁବନେଶ୍ବର : ମହାମାରୀ କରୋନାରେ ସମଗ୍ର ବିଶ୍ବ ହନ୍ତସନ୍ତ ହେଉଥିବା ବେଳେ ଧାର୍ମିକ ନୀତି ଓ ପର୍ବପର୍ବାଣୀ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ୨୦୨୦ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଭୂମିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଚାଲିଛି। ଗଜପତିଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ୨୦୨୦ ମସିହା କିନ୍ତୁ ଗଜପତି ମହାରାଜା ଓ ଓଡ଼ିଶା ପାଇଁ ଆଉ ଏକ ଉଲ୍ଲେଖନୀୟ ବା ସ୍ମରଣୀୟ ଦିନ ଭାବେ ବିବେଚନା କରାଯାଇପାରେ। ଯଦିଓ ଭାଦ୍ର ଶୁକ୍ଳ ଦ୍ବାଦଶୀ, ସୁନିଆ ପର୍ବର ଅଙ୍କ ଗଣନା ଅନୁସାରେ ଏବେ ତାଙ୍କ ରାଜତ୍ବର ୬୨ ଅଙ୍କ ଚାଲିଛି, କିନ୍ତୁ ୨୦୨୦ ଜୁଲାଇ ୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ବା ସିଂହାସନ ଆରୋହଣକୁ ୫୦ବର୍ଷ ପୂରିଛି। ପାଖାପାଖି ଦୁଇଶହରୁ ଅଧିକ ବର୍ଷ ପରେ କୌଣସି ଗଜପତି ମହାରାଜା ଦିବ୍ୟସିଂହ ଦେବ ୫୦ବର୍ଷ ଧରି ମହାପ୍ରଭୁଙ୍କ ସେବା ଓ ଶାସନରେ ରହିବାର ଏଭଳି ବିରଳ ଗୌରବ ଅର୍ଜନ କରିଛନ୍ତି।
୧୫୬୮ ମସିହାରୁ ଏବେ ସୁଦ୍ଧା ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ମହାରାଜା ଦିବ୍ୟସିଂହଙ୍କୁ ମିଶାଇ ପାଖାପାଖି ୧୯ ଜଣ ଗଜପତି ଇତିମଧ୍ୟରେ ମହାପ୍ରଭୁଙ୍କ ସେବା କରି ସାରିଛନ୍ତି। ହେଲେ ଗଜପତି ବୀର କିଶୋର ଦେବ ( ପ୍ରଥମ) ୧୭୩୬ ମସିହାରେ ସିଂହାସନ ଆରୋହଣ କରିଥିଲେ ଓ ସେ ପ୍ରାୟ ୧୭୯୩ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ। ସେତେବେଳେ ଅବଶ୍ୟ ରାଜାରାଜୁଡ଼ା ଶାସନ ଥିଲା।
ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ପରବର୍ତୀ ଓଡ଼ିଶାରେ ପୁରୀ ଗଜପତି ମହାରାଜାଙ୍କର ଶାସନ ବ୍ୟବସ୍ଥାରେ କୌଣସି ଭୂମିକା ନାହିଁ। ଓଡ଼ିଶାରେ ଶ୍ରୀମନ୍ଦିରକୁ ନେଇ ସ୍ବତନ୍ତ୍ର ଆଇନ ପାରିତ ହେବା ପୂର୍ବଭଳି ଗଜପତି ମହାରାଜାଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବେ ଶ୍ରୀମନ୍ଦିର ପରିଚାଳିତ ମଧ୍ୟ ହେଉନାହିଁ। ଆଜିର ବାସ୍ତବତା ହେଲା ଗଜପତି ମହାରାଜା ଏବେ ଶ୍ରୀମନ୍ଦିର ପରିଚାଳନା କମିଟିର କେବଳ ସ୍ଥାୟୀ ସଭାପତି ଅଛନ୍ତି। ତେବେ ଗଜପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂର୍ବଭଳି ଅକ୍ଷତ ରହିଛି। ଏହାସହିତ ଶ୍ରୀଜଗନ୍ନାଥ ପ୍ରେମୀ ତାଙ୍କୁ ମହାପ୍ରଭୁଙ୍କର ଆଦ୍ୟସେବକ, କେହି କେହି ଚଳନ୍ତି ପ୍ରତିମା ବୋଲି କହିଥାନ୍ତି। ଆଜି ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଜପତିଙ୍କ ପ୍ରତି ସ୍ବତନ୍ତ୍ର ଭକ୍ତି ରହିଛି ଓ ସମସ୍ତଙ୍କର ସେ ସମ୍ମାନସ୍ପଦ ହୋଇ ରହିଛନ୍ତି। ତାଙ୍କର ଗୋଟିଏ ଗୋଟିଏ ମତ ବା ସିଦ୍ଧାନ୍ତ ଗାଣତାନ୍ତ୍ରିକ ବ୍ୟବସ୍ଥାର ସର୍ବମାନ୍ୟ ନେତାଙ୍କରଠାରୁ ବି ଲୋକଙ୍କ ପାଖରେ ଅଧିକ ଗୁରୁତ୍ବ ରଖିଆସିଛି।
ତଥ୍ୟ ଅନୁସାରେ, ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ (ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା। ପାରମ୍ପରିକ ପ୍ରଥା ଅନୁସାରେ, ଜୁଲାଇ ୭ ତାରିଖ ସନ୍ଧ୍ୟାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ କୋଳରେ ବସି ସେ ରାଜପଦରେ ଅଭିଷିକ୍ତ ହୋଇଥିଲେ। ରାଜଗାଦିରେ ବସିବା ପରେ ରାଜ ପରମ୍ପରା ଅନୁସାରେ ଶ୍ରୀନଅରରୁ ଗଜପତିଙ୍କର ପ୍ରଥମ ଆଦେଶ ଥିଲା, ପିତା ବୀରକିଶୋର ଦେବ (ଦଦେଇ େବାଲି ଗଜପତି ଡାକନ୍ତି)ଙ୍କର ଦାହ ସଂସ୍କାର କର୍ମ କରିବା। ସେଦିନଟି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ତିନିରଥ ବଡ଼ଦାଣ୍ଡରେ ଥିଲେ। କିନ୍ତୁ ରାଜ ପରମ୍ପରା ଅନୁସାରେ, ଗଜପତି ମହାରାଜାଙ୍କୁ ଜାତକର୍ମରେ ବା ମୃତ କର୍ମରେ ଅଶୌଚ ଲାଗିନଥାଏ।
ତେବେ ସେହିବର୍ଷ ଗଜପତିଙ୍କର ବ୍ରତୋପନୟନ ହୋଇନଥିବା କାରଣରୁ ସେ ମହାପ୍ରଭୁଙ୍କର ଆଦ୍ୟସେବକ ଭାବେ ସେବା କରିପାରିନଥିଲେ। ୧୯୭୦ ନଭେମ୍ବର ୨୯ ତାରିଖ ଦିନ ତାଙ୍କର ବ୍ରତପୋନୟନ ହୋଇଥିଲା ଓ ପରମ୍ପରା ଅନୁସାରେ ରାଜଗୁରୁଙ୍କ ଦ୍ବାରା ଶ୍ରୀମନ୍ଦିରରେ ଶାଢିବନ୍ଧା ନୀତି ସଂପନ୍ନ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଗଜପତିଙ୍କର ପୂର୍ବନାମ ଥିଲା କାମାର୍ଣ୍ଣବ ଦେବ। ସେ ୧୯୫୩ ମସିହା ଫେବ୍ରୁଆରି ୬ ତାରିଖ ଦିନ ଜନ୍ମ ନେଇଥିଲେ। ୧୭ବର୍ଷ ବୟସରେ ତାଙ୍କର ରାଜାଭିଷେକ ହୋଇଥିଲା। ପୁରୀ କନଭେଣ୍ଟ ସ୍କୁଲରେ ୧୯୫୭ରୁ ୧୯୫୯ ମସିହା ଯାଏ ପଢିବା ପରେ ବର୍ତମାନର ଛତିଶଗଡ଼ସ୍ଥିତ ରାୟପୁର ରୟାଲ କଲେଜରେ ୧୯୬୮ଯାଏ ପଢ଼ିଥିଲେ। ପରବର୍ତୀ ସମୟରେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜରେ ତିନିବର୍ଷ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ବି (୧୯୭୨-୭୫) ଓ ସେଠାରୁ ଆମେରିକାର ଚିକାଗୋରେ ଥିବା ସୁପ୍ରତିଷ୍ଠିତ ଆଇନ ଶିକ୍ଷାନୁଷ୍ଠାନ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟି ସ୍କୁଲ ଅଫ୍ ଲ’ରେ ଏଲ୍ଏଲ୍ଏମ୍ ଶିକ୍ଷାଲାଭ କରିଥିଲେ ଗଜପତି।
କେବଳ ସେତିକି ନୁହେଁ,୧୯୭୬ରେ ସ୍ବଦେଶ ଫେରିବା ପରେ ସେଦିନର ବିଶିଷ୍ଟ ଆଇନଜୀବୀ ଅଶୋକ ସେନ୍(ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍ର ଆଇନମନ୍ତ୍ରୀ), ବି. ଏନ୍ କ୍ରିପାଲ (ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଅମୋଲ କୁମାର ଗାଙ୍ଗୁଲି (ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ)ଙ୍କ ନିକଟରେ ଉଭୟ ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ କନିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ଗଜପତିଙ୍କର ଫୁଟବଲ୍ ଓ ଟେନିସ୍ ପ୍ରତି ବିଶେଷ ଆଗ୍ରହ ରହିଛି। ଆଜି ବି ସେ ନିୟମିତ ଟେନିସ୍ ଖେଳନ୍ତି।
ରାଜ ପରିବାରର ପରମ୍ପରା ଅନୁସାରେ, ପୁରୀ ସାନଛତା ମଠର ମହନ୍ତ ଗଙ୍ଗାଦାସଜୀ ମହାରାଜାଠାରୁ ସେ ଗୁରୁଦୀକ୍ଷା ଗ୍ରହଣ କରିଥିଲେ। ହେଲେ ତତ୍କାଳୀନ କଳାହାଣ୍ଡି ମହାରାଜା ତଥା ସାଂସଦ ଏବଂ ଲୋକସଭାର ଉପନେତା ପ୍ରତାପ କେଶରୀ ଦେଓ (ଗଜପତିଙ୍କର ପିଉସା)ଙ୍କ ଘରେ ସମସ୍ତଙ୍କ ଅନୁପସ୍ଥିତିରେ ଯେତେବେଳେ ସ୍ବାମୀ ଚିଦ୍ଭାବାନନ୍ଦଙ୍କ ଶ୍ରୀମଦ୍ ଭଗବଦ୍ଗୀତା ପଢ଼ିଥିଲେ, ସେହିଠାରୁ ହିଁ ତାଙ୍କର ଆଧ୍ୟାତ୍ମିକ ଜୀବନର ମାର୍ଗ ଖୋଲିଥିଲା। ପରବର୍ତୀ ସମୟରେ ସେ ଭାରତର ଦୁଇ ମହାନ୍ ଗୁରୁ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ଓ ମୁମ୍ବାଇ ଅନ୍ତଃରାଷ୍ଟ୍ରୀୟ ଚିନ୍ମୟ ମିସନର ପ୍ରତିଷ୍ଠାତା ଚିନ୍ମୟାନନ୍ଦ ସରସ୍ବତୀ ମହାରାଜାଙ୍କ ସଂସ୍ପର୍ଶରେ ଆସିଥିଲେ। ୧୯୮୯ ମସିହାରେ ଗଜପତି ଓ ମହାରାଣୀ ଲୀଲାବତୀ ପାଟମହାଦେଈ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜାଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ସହିତ ଜପ, ଧ୍ୟାନ, ଯୋଗାସନ ଓ ପ୍ରାଣାୟମ ଆଦି ସହିତ ସ୍ବାଧ୍ୟାୟରେ ପ୍ରବୃତ୍ତ ହୋଇଥିଲେ। ସେବେଠାରୁ ଗଜପତି ମହାରାଜା ‘‘ଆଉ ସବୁ ତୁଚ୍ଛ ଓ ମହାପ୍ରଭୁଙ୍କ ସେବା ହିଁ ମୁଖ୍ୟ’’ ଭାବେ ଗ୍ରହଣ କରିନେଇଛନ୍ତି।