ଲୋକଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ, ଶ୍ରୀମନ୍ଦିର ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯିବ: ଗଜପତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି ମହାରାଜା

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ବିକାଶ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ। ଶ୍ରୀମନ୍ଦିର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯିବ। ପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି କାମ ହାତକୁ ନେଇଛନ୍ତି।

ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଲାଗି ତାଙ୍କୁ ଧନ୍ୟବାଦ ଦେବା ସହ ଗଜପତି ମହାରାଜା ତାଙ୍କ ପତ୍ରରେ ଲେଖିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏବଂ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି ଯେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ଲାଗି ଯାହା ଯାହା ସମ୍ଭବ ତାହା ଆମେ କରିବୁ। ଏହି ପ୍ରାଚୀନ ଐତିହ୍ୟର ଗୌରବକୁ ଉଜ୍ଜୀବିତ କରିବା ଲାଗି ଏବଂ ବିଶ୍ବର କୋଣଅନୁକୋଣରେ ଥିବା ଜଗନ୍ନାଥ ଭକ୍ତଙ୍କର ଇଚ୍ଛା ଓ ଆଗ୍ରହକୁ ସମ୍ମାନ ଦେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିରର ଉନ୍ନତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଥିଲେ।

ସମ୍ବନ୍ଧିତ ଖବର