ସଚିବାଳୟରେ ମୁଖ୍ୟମନ୍ତ୍ରୀ-ଗଜପତିଙ୍କ ବୈଠକ : ପୁରୀର ବିକାଶ ନକ୍ସା ଆଙ୍କିଲେ ଗଜପତି

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଧାମର ବିକାଶ ପ୍ରସଙ୍ଗ ନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଛି। ଗଜପତି ମହାରାଜା ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ସଂପର୍କରେ ଏକ ଉପସ୍ଥାପନା କରିଥିଲେ। ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ବିକାଶ ଠାରୁ ଆରମ୍ଭ କରି ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଶ୍ରୀଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ମଠ ଓ ଅଠରନଳାର ଉନ୍ନତୀକରଣ ଆଦି ସ୍ଥାନ ପାଇଥିଲା।

ପୁରୀଧାମର ବିକାଶ ନେଇ ଗଜପତି ମହାରାଜା ପୂର୍ବରୁ ଅନେକ ବାର ନିଜ ମତ ରଖି ଆସିଥିଲେ। ଏହି ପ୍ରକ୍ରିୟାକୁ ଆଉ ଟିକିଏ ଆଗକୁ ନେବା ଲାଗି ଆଜି ସ୍ୱୟଂ ଗଜପତି ସଚିବାଳୟ ଆସି ପ୍ରକଳ୍ପର ରୂପରେଖ ଉପସ୍ଥାପନ କରିବା ସହିତ ଏହାକୁ ଅନୁମତି ଦେବା ଲାଗି ସରକାରଙ୍କୁ ଜଣାଇଛନ୍ତି। ପୁରୀର ପ୍ରଚାର ପ୍ରସାର ପାଇଁ ଗଜପତିଙ୍କର ଏଭଳି ଉଦ୍ୟମକୁ ଶ୍ରୀଜଗନ୍ନାଥ ପ୍ରେମୀ ଅତ୍ୟନ୍ତ ଗୁରୁତ୍ୱର ସହିତ ବିଚାର କରୁଛନ୍ତି।

ଆଜି ଆଲୋଚନା ପରେ ଗଜପତି ମହାରାଜା ଗଣମାଧ୍ୟମକୁ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ତିନିଟି ମୁଖ୍ୟ ମଠ ଯଥା ଏମାର ମଠ, ଉତ୍ତରପାର୍ଶ୍ୱ ମଠ ଓ ଦକ୍ଷିଣ ପାର୍ଶ୍ୱ ମଠର ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି। ଯେଉଁ ଉଦ୍ଦେଶ୍ୟରେ ଏହି ମଠ କରାଯାଇଥିଲା, ତାହାର ମୂଳ ଉଦ୍ଦେଶ୍ୟ କିଭଳି ସାଧିତ ହେବ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ବୈଦିକ ସଂସ୍କୃତିର ପ୍ରଚାର ପ୍ରସାର ହେବ, ସେ ନେଇ ଆଜି ସରକାରଙ୍କ ଆଗରେ ଏକ ନକ୍ସା ରଖାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ନାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ଓ ଏହା ରାଜ୍ୟ ସରକାରଙ୍କର ବିଚାରାଧୀନ ରହିଛି।

ଦ୍ୱିତୀୟ ପ୍ରସ୍ତାବରେ ଗଜପତି କହିଥିଲେ ଯେ ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି, ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳୀ। ତାହାର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ମୁଖ୍ୟତଃ ଏମିତି କିଛି ହେବା ଦରକାର, ଯାହା ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ସଂପର୍କରେ ଜାଣିପାରିବେ। ଏଥିଲାଗି ଭିତର ବେଢାରେ ସୁନ୍ଦର ପଟ୍ଟଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ସ୍କନ୍ଦ ପୁରାଣ ଆଧାରିତ କଥା ପ୍ରକାଶ କରିବା ଲାଗି ଯୋଜନା ରହିଛି। ବାହାର ବେଢାରେ ବଗିଚା ଓ ଏହାର ପାଚେରିରେ ମହାପ୍ରଭୁଙ୍କୁ ନେଇ ଯେଉଁସବୁ ଘଟଣା ଘଟିଛି, ସେ ସମସ୍ତ ଇତିହାସର ପ୍ରତିଫଳନକୁ ଭକ୍ତ ଦେଖିପାରିବା ଭଳି ବ୍ୟବସ୍ଥା କରାଯିବ।

ତୃତୀୟ ହେଉଛି, ମହାପ୍ରଭୁଙ୍କ ଉଦ୍ୟାନ ନାମରେ ଜଣାଶୁଣା ଜଗନ୍ନାଥ ବଲ୍ଳଭ ମଠରେ ପର୍ଯ୍ୟଟକଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବା ଉଚିତ୍‌। ଏଥିରେ ଏକ ଐତିହ୍ୟ ଉଦ୍ୟାନ କରାଯିବ। ଚତୁର୍ଥରେ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିୟମିତ ବ୍ୟବସ୍ଥାରେ ଭକ୍ତଙ୍କ ଯାତାୟତକୁ ଶୃଙ୍ଖଳିତ କରିବା ଓ ରଥଦାଣ୍ଡରେ ଏକ ସୁନ୍ଦର ଅନୁଭୂତି ନେଇ ଯେଭଳି ଭକ୍ତ ଫେରିବେ, ସେ ନେଇ ଏଥିରେ ଗୁରୁତ୍ୱ ଦିଆଯାଇଛି। ପଞ୍ଚମରେ, ପୁରୁଷୋତ୍ତମ କ୍ଷେତ୍ରର ପ୍ରବେଶ ସ୍ଥାନ ଅଠରନଳାର ଉନ୍ନତୀକରଣ କରିବାଲାଗି କୁହାଯାଇଛି। ଯେମିତି ଭକ୍ତମାନେ ପ୍ରବେଶ କରିବା ବେଳକୁ ସୁନ୍ଦର ଅନୁଭତି ନେଇ ଶ୍ରୀଜଗନ୍ନାଥଙ୍କ ପର୍ଯ୍ୟନ୍ତ ଯିବେ।

ଏହାବାଦ୍‌ ଯେଉଁ ଦୁଇଟି ଯୋଜନା ପରିଚାଳନା କମିଟି ପୂର୍ବରୁ ଅନୁମୋଦନ କରିଛନ୍ତି, ସେ ନେଇ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତାହା ହେଲା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ। ସେବକଙ୍କ ପରିବାରର ପୁଅ ଓ ଝିଅଙ୍କର ଶିକ୍ଷା ବ୍ୟବସ୍ଥାକୁ ଏଥିରେ ସୁଦୃଢ କରାଯିବାକୁ ଯୋଜନା ହୋଇଛି। ଯେଉଁଥିରେ ଆଧୁନିକ, ଶାସ୍ତ୍ରୀୟ ଓ ପାରମ୍ପରିକ ଶିକ୍ଷା ରହିବ। ନୂଆ ପିଢି ସେବକ ନିର୍ମାଣ ପାଇଁ ମୁଖ୍ୟତଃ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ସେହିଭଳି ଗରିବ ସେବାୟତଙ୍କ ନିବାସ ସ୍ଥଳ ସଂପର୍କିତ ଯୋଜନା ନେଇ ମଧ୍ୟ ଆଲୋଚନା ହୋଇଛି। ଏସବୁ ଯୋଜନା ଆଇନ ବିଭାଗକୁ ପଠାଯାଉଛି। ସରକାର ଅନୁମତି ଦେବା ପରେ ଏହା ଆଗକୁ ଯିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି, ଗଜପତିଙ୍କ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସମସ୍ତ ପ୍ରସ୍ତାବକୁ ଅନୁଧ୍ୟାନ ପରେ ବିସ୍ତତ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗର ସଚିବ ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର