ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମତାମତ ଲୋଡିଲେ ଗଜପତି ମହାରାଜ

ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡିଛନ୍ତି ଗଜପତି ମହାରାଜ । ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ସଂସ୍କାର ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଆଲୋଚନା କରିଛନ୍ତି ଗଜପତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହୋଇଛି ଆଲୋଚନା ହୋଇଥିବା ବେଳେ ପ୍ରତି ୩ ମାସରେ ଥରେ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଛି । ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ଆଲୋଚନା ହେବ । ଆଜିର ଆଲୋଚନା ପରେ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହି ବୈଠକକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ଶ୍ରୀମନ୍ଦିର ସେବା ପୂଜା ଉପରେ ନିୟମିତ ଶଙ୍କରାଚାର୍ଯ୍ୟ ପରାମର୍ଶ ନିଆଯିବ |

ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଆଜିର ବୈଠକର ନିର୍ଯାସକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ | ଏଠାରେ ସୂଚନା ଥାଉ କି ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାରେ ଏକାଧିକ ନିର୍ଦ୍ଦେଶନାମା ଜାରି କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ଏବଂ କୌଣସି ଭକ୍ତ ଯେଭଳି ନିରାଶ ନହେବେ ସେନେଇ ଗୁରୁତ୍ବାରୋପ କରିଥିଲେ। ନିର୍ଦ୍ଦେଶନାମାରେ କୋର୍ଟ କହିଥିଲେ ଯେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଠାକୁରଙ୍କ ନୀତିକୁ ନେଇ ଉଦବେଗ ପ୍ରକାଶ କରି ଆସୁଛନ୍ତି। ଠାକୁରଙ୍କ କେଉଁ ନୀତି କିଭଳି ସମାହିତ ହେବ, ତାହା କୋର୍ଟ ଧାର୍ଯ୍ୟ କରିବେ ନାହିଁ। ଏଥିଲାଗି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବା ଆବଶ୍ୟକ।

କିନ୍ତୁ ଯେଉଁ ନୀତି ଶ୍ରୀମନ୍ଦିରରେ ଅନୁସୃତ ତାହାର ଶତ ପ୍ରତିଶତ ଅନୁପାଳନ ହେବା ଉଚିତ୍। ଠିକ୍ ସମୟରେ ତଥା ନିୟମିତ ଭାବେ ତଥା ବିନା ବାଧାବିଘ୍ନରେ ନୀତିକାନ୍ତି ଯେଭଳି ସମାପନ ହେବ, ତା ଉପରେ କୋର୍ଟ ଗୁରୁତ୍ବାରୋପ କରିଥିଲେ । ମନ୍ଦିର ପରିଚାଳନା କମିଟି ଦୈନନ୍ଦିନ ଏହାକୁ ଯାଞ୍ଚ କରି ନୀତି ଯେଭଳି ଶୃଙ୍ଖଳିତ ହୁଏ, ତାହାକୁ ନିଶ୍ଚିତ କରିବା ଲାଗି କୋର୍ଟ କହିଥିଲେ । ଏଠାରେ ସୂଚନା ଥାଉ କି ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତୀ ଶୁଣାଣି ଜାନୁଆରି ୮ ତାରିଖକୁ ଧାର୍ଯ୍ୟ କରାଯାଇଛି |

ସମ୍ବନ୍ଧିତ ଖବର