ପୁରୀ: ବୁଧବାର ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପର୍ବରୁ ସୋମବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହୋଇଥିଲା।
ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀନଅରରେ ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ପୂଜାର୍ଚ୍ଚନା ପରେ ଗଜପତିଙ୍କ ଅଭିଷେକ ହୋଇଛି।
ପୁଷ୍ୟାଭିଷେକରେ ଷୋଳ ଶାସନ ବ୍ରାହ୍ମଣ ପୁରୋହିତ ଗଜପତିଙ୍କୁ ଆଶୀର୍ବାଦ କରିଛନ୍ତି । ଏହି ପୁଷ୍ୟାଭିଷେକ କାର୍ଯ୍ୟ ରାଜଗୁରୁ ଦେବୀପ୍ରସାଦ, ରାଜଗୁରୁ ସୁଧାଂଶୁ ସମ୍ପାଦନ କରିଛନ୍ତି ।
ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ଏହାସହ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା । ଏହାପରେ ଗଜପତି ତାଙ୍କ ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହ ଆଶୀର୍ବାଦ କରିଥିଲେ ।
ଅଧିକ ପଢ଼ନ୍ତୁ: ବଦଳାଯିବ ମନୁ ଭାକରଙ୍କ ରଙ୍ଗ ଫିକା ପଡ଼ିଯାଇଥିବା ପଦକ!
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତିକୁ ସମ୍ପନ୍ନ ହୋଇଥାଏ।
ଅଧିକ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବିବାଦର ସମାଧାନ